ରଣଜୀ ଦାୟିତ୍ୱକୁ ଫେରିଲେ ଦେବାଶିଷ

ରାଜ୍ୟ ପ୍ରଶିକ୍ଷକ, ଚୟନକର୍ତ୍ତା ବଦଳିଲେ: ନିରଂଜନ ନୂଆ

କଟକ: ଗୋଟିଏ ବର୍ଷ ପରେ ଦେବାଶିଷ ମହାନ୍ତି ପୁଣି ଥରେ ଓଡ଼ିଶା ରଣଜୀ ଦଳର ମୁଖ୍ୟ ପ୍ରଶିକ୍ଷକ ପଦକୁ ଫେରିଛନ୍ତି। ଗତ ଋତୁର ପ୍ରଦର୍ଶନରେ ଶିବସୁନ୍ଦରଙ୍କ ଉପରେ ଓସିଏ ପରିଚାଳନା ସମିତି ଅସନ୍ତୁଷ୍ଟ ଥିବାରୁ ତାଙ୍କୁ ପ୍ରଶିକ୍ଷକ ପଦରୁ ବାଦ୍‌ ଦିଆଯାଇଛି। ଏବେ ସେ ଓଡ଼ିଶା କ୍ରିକେଟ୍‌ ଏକାଡେମିର ବୈଷୟିକ ନିର୍ଦେଶକ ନିଯୁକ୍ତ ହୋଇଥିଲା ବେଳେ ଏହି ଦାୟିତ୍ୱରେ ପୂର୍ବରୁ ଥିବା ରଶ୍ମିରଂଜନ ପରିଡ଼ାଙ୍କୁ ଚୟନକର୍ତ୍ତା ଭାବେ ବଦଳି କରାଯାଇଛି। ସେହିପରି ଅନ୍ୟତମ ଚୟନକର୍ତ୍ତା ଧୀରେନ୍ଦ୍ର କୁମାର ରାଉତଙ୍କୁ ବରିଷ୍ଠ ଚୟନକର୍ତ୍ତାରୁ ହଟାଯାଇ ମହିଳା ଚୟନକର୍ତ୍ତା ଭାବେ ନୂଆ ଦାୟିତ୍ୱ ଦିଆଯାଇଛି। ଅନ୍ୟପକ୍ଷରେ ଅବକାଶ ଖଟୁଆଙ୍କ ବଦଳରେ ରାକେଶ ମହାନ୍ତିଙ୍କୁ କନିଷ୍ଠ ଚୟନ କର୍ତ୍ତାରୁ ପଦୋନ୍ନତି ଦିଆଯାଇ ବରିଷ୍ଠ ଚୟନକର୍ତ୍ତା କରାଯାଇଛି। ଦୀର୍ଘ ୪ ବର୍ଷ ଧରି ରାଜ୍ୟ ଦଳରେ ସ୍ଥାନ ପାଇପାରୁନଥିବା ଓଡ଼ିଶାର ନିର୍ଭରଯୋଗ୍ୟ ଅଲରାଉଣ୍ଡର ତଥା ପୂର୍ବତନ ଅଧିନାୟକ ନିରଂଜନ ବେହେରା ଏଥର ପ୍ରଶିକ୍ଷକ ଭୂମିକାରେ ଅବତ୍ତୀର୍ଣ୍ଣ ହୋଇଛନ୍ତି। ଯଦିଓ ପ୍ରଶିକ୍ଷକ ନିଯୁକ୍ତି ବିଷୟରେ ଓସିଏରୁ ତାଙ୍କୁ କୌଣସି ଯୋଗାଯୋଗ କରାଯାଇନାହିଁ, ତଥାପି ଏହି ଦାୟିତ୍ୱକୁ ସେ ଗ୍ରହଣ କରିବେ ଓ କନିଷ୍ଠସ୍ତରର କ୍ରିକେଟ୍‌ର ଉନ୍ନତି ଦିଗରେ କାର୍ଯ୍ୟ କରିବେ ବୋଲି ନିରଂଜନ କହିଛନ୍ତି। ୨୦୧୪-୧୫ ଋତୁରେ ନିରଂଜନ ଶେଷ ରଣଜୀ ମ୍ୟାଚ୍‌ ଖେଳିଥିଲେ। ୧୯ ବର୍ଷରୁ କମ୍‌ ଦଳରେ ସୌରଭ ସେହଗଲ୍‌ଙ୍କ ସ୍ଥାନରେ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ଗତ ଋତୁରେ କୁଳମଣି ପରିଡ଼ାଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲେ ବି ଧାନବାଦ କୁଚ୍‌ବେହାର ଟ୍ରଫିରେ ଓଡ଼ିଶାର ନୈରାଶ୍ୟ ଜନକ ପ୍ରଦର୍ଶନ ଓ ଖେଳାଳିଙ୍କୁ ଖେଳିବାକୁ ନଛାଡ଼ିବା ଯୋଗୁଁ କୁଳମଣିଙ୍କୁ ଅନେକ ନନ୍ଦିତ ହେବାକୁ ପଡ଼ିଥିଲା। ପରବର୍ତ୍ତୀ ସମୟରେ ସେ ପ୍ରଶିକ୍ଷକ ପଦରୁ ଇସ୍ତଫା ଦେଇଥିଲେ। ଏମାନଙ୍କ ବ୍ୟତୀତ ସୁରେଶ କୁମାର, ରଶ୍ମିତା ମହାନ୍ତି ଓ ଇତିଶ୍ରୀ ପଟ୍ଟନାୟକ ନିଜ ନିଜ ସ୍ଥାନ ବଜାୟ ରଖିଛନ୍ତି।

ଅନ୍ୟପକ୍ଷରେ ୧୬ ବର୍ଷରୁ କମ୍‌ ଦଳରେ ସୁବ୍ରତ ବେହେରାଙ୍କ ସ୍ଥାନରେ କେଭି ପ୍ରସାଦଙ୍କୁ ନୂଆ ପ୍ରଶିକ୍ଷକ ଭାବେ ସ୍ଥାନ ଦିଆଯାଇଛି। ସୁବ୍ରତଙ୍କୁ କନିଷ୍ଠ ଚୟନକର୍ତ୍ତା ଭାବେ ସାନ୍ତ୍ୱନାମୂଳକ ଥଇଥାନ କରାଯାଇଛି। ସେହିପରି ଜେସି ରାଉତରାୟଙ୍କ ବଦଳରେ ଜଗନ୍ନାଥ ଦାସ କନିଷ୍ଠ ଚୟନକର୍ତ୍ତା ହୋଇଛନ୍ତି। ମହିଳା ଚୟନ ସମିତିରେ ସନ୍ତୋଷ ଦାସଙ୍କ ସ୍ଥାନରେ ଧୀରେନ୍ଦ୍ର କୁମାର ରାଉତଙ୍କୁ ଏବଂ ଅଙ୍କିତା ଦାସଙ୍କୁ ବାଦ୍‌ ଦିଆଯାଇ ଗୀତା ସାମନ୍ତରାୟଙ୍କୁ ଦାୟିତ୍ୱ ଦିଆଯାଇଛି। ଏସବୁବାଦ୍‌ ଏକାଡେମି ପ୍ରଶିକ୍ଷକଙ୍କ ମଧ୍ୟରେ ମାନସ ରାୟଙ୍କୁ ନୂଆ ପ୍ରଶିକ୍ଷକ ଏବଂ ହୃଷିକେଶ ବଙ୍ଗାରୀ ସହକାରୀ ପ୍ରଶିକ୍ଷକ ଭାବେ ନିଯୁକ୍ତି ପାଇଛନ୍ତି। ୧୯ ବର୍ଷରୁ କମ୍‌ ଦଳର ଫିଜିଓ ଭାବେ ୧୬ ବର୍ଷରୁ କମ୍‌ ଦଳର ଫିଜିଓ ସୋମୁ ମଲ୍ଲିକଙ୍କୁ ଦାୟିତ୍ୱ ଦିଆଯାଇଛି। ଦିନେଶ ସାହୁ ଏବେ ୧୬ ବର୍ଷରୁ କମ୍‌ ଦଳର ନୂଆ ଫିଜିଓ ଦାୟିତ୍ୱରେ ରହିବେ। ଏମାନଙ୍କ ବ୍ୟତୀତ ପ୍ରଶିକ୍ଷକ, ଚୟନକର୍ତ୍ତା, ଟ୍ରେନର, ଫିଜିଓ ମାନଙ୍କ ମଧ୍ୟରେ ରହିଥିବା ଅନ୍ୟାନ୍ୟ ସଦସ୍ୟମାନେ ଅପରିବର୍ତ୍ତିତ ରହିଛନ୍ତି।

ପ୍ରସାଦ ପ୍ରଶିକ୍ଷକ, ଅରୁଣ ଚୟନକର୍ତ୍ତା
୧୬ ବର୍ଷରୁ କମ୍‌ ଦଳରେ ପ୍ରସାଦଙ୍କ ନିଯୁକ୍ତିଙ୍କୁ ନେଇ ଆରମ୍ଭରୁ ବିବାଦ ସୃଷ୍ଟି ହେଲାଣି। କୌଣସି ଗୋଟିଏ ବି ରାଜ୍ୟ ମ୍ୟାଚ୍‌ ଖେଳିନଥିବା ପ୍ରସାଦ କିପରି ପ୍ରଶିକ୍ଷକ ହେଲେ ତାହାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହେଲାଣି। ପରିଚାଳନା ସମିତିର ଜଣେ ସଦସ୍ୟ ପ୍ରସାଦଙ୍କୁ ପ୍ରଶିକ୍ଷକ କରାଇବାକୁ ଗତ ବୈଠକରେ ଜିଦ୍‌ ଧରିଥିବା ଜଣାପଡ଼ିଛି। ଏହାର ଫଳ ସ୍ୱରୂପ ଅନଭିଜ୍ଞ ବ୍ୟକ୍ତିଙ୍କୁ ତୃଣମୂଳ ଖେଳାଳିଙ୍କ ପ୍ରଶିକ୍ଷଣ ପରି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଧରାଇ ଦିଆଯାଇଛି। କେବଳ ଏତିକି ନୁହେଁ ମହିଳା ଚୟନକର୍ତ୍ତା ଭାବେ ସ୍ଥାନ ବଜାୟ ରଖିଥିବା ଅରୁଣ ନାଏକଙ୍କୁ ମଧ୍ୟ ରାଜ୍ୟସ୍ତରର କ୍ରିକେଟ ଅଭିଜ୍ଞତା ନାହିଁ। ଗତବର୍ଷ ମଧ୍ୟ ଏହାକୁ ନେଇ ଅନେକ ସମାଲୋଚନା କରାଯାଇଥିଲା। ତଥାପି ତାଙ୍କୁ କିପରି ପୁଣି ଚୟନ ସମିତିରେ ସାମିଲ କରାଗଲା ତାହାକୁ ନେଇ ପ୍ରଶ୍ନଉଠୁଛି। ଏହି ଚୟନ ସମିତିରୁ ରାଜ୍ୟ ଦଳରେ ଖେଳିବା ଅଭିଜ୍ଞତା ନଥିବା ଦର୍ଶାଇ ସନ୍ତୋଷ ଦାସଙ୍କୁ ବାଦ୍‌ ଦିଆଗଲା। କିନ୍ତୁ ଯଦି ସନ୍ତୋଷଙ୍କୁ ହଟାଇ ଦିଆଯାଇପାରୁଛି, ତାହାଲେ ଅରୁଣ ନାଏକ କିପରି ସମିତିରେ ରହିବାକୁ ଯୋଗ୍ୟ ହେଲେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର