ଭୁବନେଶ୍ବର : ଓଡ଼ିଆ କ୍ରିକେଟ ଖେଳାଳି ତଥା ଭାରତୀୟ କ୍ରିକେଟଦଳର ପୂର୍ବତନ ମଧ୍ୟମଗତି ବୋଲର ଦେବାଶିଷ ମହାନ୍ତି ବିସିସିଆଇର ଜାତୀୟ ଚୟନ କମିଟିରେ ସ୍ଥାନ ପାଇଛନ୍ତି । ତାଙ୍କ ସହିତ ଆବେ କୁରୁଭିଲ୍ଲା ମଧ୍ୟ ୫ ଜଣିଆ ସିନିୟର ଚୟନ କମିଟିରେ ସ୍ଥାନ ପାଇଛନ୍ତି । ପୁରୁଖା କ୍ରିକେଟ ଖେଳାଳି ଚେତନ ଶର୍ମାଙ୍କୁ ଚୟନ କମିଟିର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି । ୫ ଜଣିଆ ଚୟନ କମିଟିରେ ଏହା ପୂର୍ବରୁ ସୁନୀଲ ଯୋଶୀ ଓ ହରବିନ୍ଦର ସିଂ ସ୍ଥାନ ପାଇଛନ୍ତି । ଏ ନେଇ ଟ୍ୱିଟ୍ କରି ସୂଚନା ଦେଇଛି ବିସିସିଆଇ । ଦେବାଶିଷ ମହାନ୍ତି ଭାରତ ପାଇଁ ୨ଟି ଟେଷ୍ଟ, ୪୫ଟି ଏକ ଦିବସୀୟ ମ୍ୟାଚ ଖେଳିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଓଡ଼ିଶା କ୍ରିକେଟ ଦଳର ମୁଖ୍ୟ କୋଚ୍ ଭାବେ କାର୍ଯ୍ୟ କରିଛନ୍ତି ଦେବାଶିଷ ।
ଏହି ପଦ ପାଇଁ ମୋଟ ୧୧ ଜଣ ପୂର୍ବତନ ଖେଳାଳି ଆବେଦନ କରିଥିଲେ । ଏମାନଙ୍କ ମଧ୍ୟରୁ ପଶ୍ଚିମ ଜୋନରୁ ଅଜିତ ଅଗରକର, ଆବେ କୁରୁଭିଲ୍ଲା ଓ ନୟନ ମୋଙ୍ଗିଆ ଆବେଦନ କରିଥିଲେ । ସେହିଭଳି ଉତ୍ତର ଜୋନରୁ ଚେତନ ଶର୍ମା, ମନିନ୍ଦର ସିଂ, ବିଜୟ ଦାହିୟା, ଅଜୟ ରାତ୍ରା ଓ ନିଖିଲ ଚୋପ୍ରା ଆବେଦନ ପତ୍ର ଭରିଥିଲେ । ପୂର୍ବ ଜୋନରୁ ଶିବସୁନ୍ଦର ଦାସ, ଦେବାଶିଷ ମହାନ୍ତି ଓ ରାଣାଦେବ ବୋଷ କରିଥିଲେ ଆବେଦନ । ଏହି ୧୧ ଜଣଙ୍କ ମଧ୍ୟରୁ ୫ ଜଣଙ୍କ ନାମ ସିଏସି ସିଲେକ୍ସନ କମିଟିକୁ ପଠାଇଥିଲା, ଯେଉଁଥିରେ ଅଗରକର, ଚେତନ ଶର୍ମା, ମନିନ୍ଦର ସିଂ, ନୟନ ମୋଙ୍ଗିଆ ଓ ଦେବାଶିଷ ମହାନ୍ତିଙ୍କ ନାମ ସାମିଲ ଥିଲା ।
Based on CAC’s recommendations Mr Chetan Sharma, Mr Abey Kuruvilla and Mr Debashish Mohanty have been appointed to the senior selection committee. Mr Sharma will be head the selection panel.
Details 👉 https://t.co/05nmQMBAVh pic.twitter.com/XIUDDiRGzY
— BCCI (@BCCI) December 24, 2020
ଗତକାଲି ଅନ୍ୟତମ ଓଡ଼ିଆ କ୍ରିକେଟ ଖେଳାଳି ପ୍ରଜ୍ଞାନ ଓଝାଙ୍କୁ ଆଇପିଏଲ ଗଭର୍ଣ୍ଣିଂ କାଉନସିଲରେ ସ୍ଥାନ ମିଳିଥିଲା । ସେ ଭାରତୀୟ କ୍ରିକେଟର୍ସ ଆସୋସିଏସନର ପ୍ରତିନିଧିଭାବେ ଆଇପିଏଲ ଗଭର୍ଣ୍ଣିଂ କାଉନସିଲରେ ସ୍ଥାନ ପାଇଛନ୍ତି ।