ଭୁବନେଶ୍ବର: ପୂର୍ବତନ ଭାରତୀୟ ଦ୍ରୁତ ବୋଲର ତଥା ପୂର୍ବତନ ଜାତୀୟ ଚୟନକର୍ତ୍ତା ଦେବାଶିଷ ମହାନ୍ତି ଘରୋଇ ପ୍ରତିଯୋଗିତା ଆରମ୍ଭ ପୂର୍ବରୁ ନାଗାଲାଣ୍ଡ ବରିଷ୍ଠ ପୁରୁଷ କ୍ରିକେଟ୍‌ ଦଳର ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି। ଏହା ସ୍ପଷ୍ଟ କରିଛନ୍ତି ନାଗାଲାଣ୍ଡ କ୍ରିକେଟ୍‌ ସଂଘ ସମ୍ପାଦକ ହ୍ୟୁନିଲୋ ଆନିଲୋ ଖିଙ୍ଗ। ସେ କହିଛନ୍ତି ଯେ ‘‘ଗତ ଦୁଇ ଦୁଇ ବର୍ଷ ଆମର ମୁଖ୍ୟ ପ୍ରଶିକ୍ଷକ ଆର୍‌ଏକ୍ସ ମୁରଲୀ ମୁଖ୍ୟ ପ୍ରଶିକ୍ଷକ ଥିଲେ। ଏବେ ସମୟ ବଦଳିଛି। ଆମେ ପୂର୍ବତନ ଭାରତୀୟ କ୍ରିକେଟର୍‌ଙ୍କୁ ପ୍ରଶିକ୍ଷକ କରିବାକୁ ଚାହୁଥିଲୁ।

Advertisment

କାରଣ ତାଙ୍କ ଅଭିଜ୍ଞତା ଆମ ଖେଳାଳିଙ୍କ ପାଇଁ ସହାୟକ ହେବ। ‌ମହାନ୍ତି ସବୁଠୁ ଭଲ ପ୍ରାର୍ଥୀ। ଗତ କିଛି ବର୍ଷ ହେବ ଆମ ଖେଳାଳିଙ୍କ ଉନ୍ନତି ହେଉଛି। ଆମର ବିଶ୍ବାସ, ମହାନ୍ତିଙ୍କ ତତ୍ତ୍ବାବଧାନରେ ଦଳ ଆହୁରି ଉନ୍ନତ ପ୍ରଦର୍ଶନ କରିବ’’। ଦେବାଶିଷ ଭାରତ ପକ୍ଷରୁ ୨ ଟେଷ୍ଟ୍‌ ଓ ୪୫ ଦିନିକିଆ ଖେଳିଛନ୍ତି। ଏଥିସହ ସେ ନିଜ ଘରୋଇ ଦଳ ଓଡ଼ିଶା ସହ ବିଭିନ୍ନ ଦଳର ପ୍ରଶିକ୍ଷକ ରହିବାର ଅଭିଜ୍ଞତା ରଖିଛନ୍ତି। ଜାତୀୟ କନିଷ୍ଠ ଦଳ ଚୟନକର୍ତ୍ତା ମଧ୍ୟ ସେ ରହିଛନ୍ତି। ଦେବାଶିଷ ମୁଖ୍ୟ ପ୍ରଶିକ୍ଷକ ଏବଂ ପୂର୍ବତନ ଗୋଆ ଅଧିନାୟକ ସ୍ବପ୍ନିଲ ଆସନୋଡ୍‌କର ବ୍ୟାଟିଂ ‌ପ୍ରଶିକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି।