ପରିବାର ସହ ଫୁଟ୍‌ବଲ୍‌ ଖେଳିଲେ କ୍ରିକେଟର ଦେବାଶିଷ ମହାନ୍ତି

ଭୁବନେଶ୍ବର: ରାଜ୍ୟର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟର୍‌ ଦେବାଶିଷ ମହାନ୍ତିଙ୍କ ପାଇଁ ସମୟ ଏଭଳି ଆସିଛି ଯେ ସେ ଖୁସି ଓ ଦୁଃଖର ଦୋଛକିରେ ଛିଡ଼ା ହୋଇଛନ୍ତି। ଗତ ମାସରେ ନିଜ ଦ୍ବିତୀୟ ପୁତ୍ର ସନ୍ତାନକୁ ପାଇଥିବା ଦେବାଶିଷଙ୍କୁ ଏବେ ଗୃହାବଦ୍ଧରେ ରହିବାକୁ ପଡ଼ିଛି। କରୋନା ମହାମାରୀର ଭୟାଭୟତା କାରଣରୁ ଅବଶ୍ୟ ପରିବାର ସହ ସମୟ କାଟିବାକୁ ସୁଯୋଗ ମିଳିଛି, କିନ୍ତୁ ଗୃହାବଦ୍ଧ ହୋଇ। ଦ୍ବିତୀୟ ପୁତ୍ର ସନ୍ତାନ ପାଇବାର ଖୁସି ବାଣ୍ଟିବାକୁ ସମୟ ଓ ସୁଯୋଗ ପାଇନାହାନ୍ତି ଏହି ବିସିସିଆଇ କନିଷ୍ଠ ଚୟନ ସମିତି ସଦସ୍ୟ।

ବିରତି ସମୟକୁ ଦେବାଶିଷ ପତ୍ନୀ ରିତିମୁକ୍ତା, ଦୁଇ ପୁତ୍ର ଦିବ୍ୟାଂଶ ଓ ରୁଦ୍ୟାଂଶ ସହିତ ବିତାଉଛନ୍ତି। ଜୟବେବ ବିହାରସ୍ଥିତ ନିଜ ଘରେ ଦିବ୍ୟାଂଶକୁ ଡ୍ରମ୍‌ ବାଦ୍ୟ ଶିଖାଇବା ଓ ତା’ ସହ ଫୁଟ୍‌ବଲ୍‌ ଖେଳିବାର ମଜା ନେଉଛନ୍ତି। ସମାନ ସମୟରେ ସାମାଜିକ ଦୂରତା ରକ୍ଷା କରିବା ଲାଗି ଥିବା ସାମାଜିକ ଦାୟିତ୍ବକୁ ବି ଭୁଲିନାହାନ୍ତି। ଏହି ମହାମାରୀର ଭୟାଭୟତା କବଳରୁ ରକ୍ଷା ପାଇବା ଲାଗି ଘରେ ରହିବାକୁ ସେ ଓଡ଼ିଶାର ସମସ୍ତ ଜନସାଧାରଣ, ଯୁବବର୍ଗ ଏବଂ କ୍ରୀଡ଼ାବିତ୍‌ମାନଙ୍କୁ ନିବେଦନ କରିଛନ୍ତି। ଏଭଳି ପରିସ୍ଥିତି ପଡିଆ ଭିତରର ସବୁ ଆହାନଠାରୁ ବି ବଳିଯାଇଛି ବୋଲି ‘ସମ୍ବାଦ’ ସହ କଥା ହେବା ବେଳେ ପ୍ରକାଶ କରିଥିଲେ ଭାରତ ପାଇଁ ୨ ଟେଷ୍ଟ୍ ଏବଂ ୪୫ ଦିନିକିଆ ଖେଳିଥିବା ଏହି ଦ୍ରୁତ ବୋଲର। ଅବସର ସମୟକୁ ଖୁବ୍ କମ୍‌ ମନୋରଂଜନରେ ବ୍ୟୟ କରନ୍ତି ଦେବାଶିଷ। ମୁଁ ବିଶେଷ କିଛି କରେ ନାହିଁ। କୌଣସି ନିର୍ଦ୍ଦିଷ୍ଟ ଗୀତ ଶୁଣେ ନାହିଁ ଓ କ୍ବଚିତ୍ ମୁଭି ଦେଖିଥାଏ। ଭଲ ଲାଗୁଥିବା କିଛି ଗୀତକୁ ଶୁଣିଥାଏ ବିଶେଷ କରି ଅକ୍ଷୟ ମହାନ୍ତିଙ୍କ ଗୀତ ଭଲ ଲାଗେ ବୋଲି କହିଥିଲେ ୪୩ ବର୍ଷୀୟ ଏହି କିଂବଦନ୍ତି ଓଡ଼ିଆ କ୍ରିକେଟର୍‌।

ସୂଚନାଯୋଗ୍ୟ, ୨୦୦୮ ଏପ୍ରିଲ୍‌ରେ ସମ୍ବଲପୁରର ରିତିମୁକ୍ତା ଦାଶଙ୍କୁ ବିବାହ କରିଥିବା ଦେବାଶିଷ ୨୦୧୮ରେ ପ୍ରଥମ ପୁତ୍ର ଦିବ୍ୟାଂଶକୁ ପାଇଥିଲେ। ଗତ ଫେବ୍ରୁଆରି ୨୧ ତାରିଖରେ ରୁଦ୍ୟାଂଶଙ୍କୁ ପାଇଛନ୍ତି।

ସମ୍ବନ୍ଧିତ ଖବର