ଆଇପିଏଲ୍‌ ପରିଚାଳନା ପରିଷଦର ନିଷ୍ପତ୍ତି : ଖେଳାଳି ରଖିବା ଶେଷ ତାରିଖ ଜାନୁଆରି ୨୧

ଫେବ୍ରୁଆରି ୪ ସୁଦ୍ଧା କିଣାବିକା

ନୂଆଦିଲ୍ଲୀ : ଆଗାମୀ ଆଇପିଏଲ୍‌ (ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌) ପୂର୍ବରୁ ୮ଟିଯାକ ଫ୍ରାଞ୍ଚାଇଜ୍‌ ପାଇଁ ପରିଚାଳନା ପରିଷଦ ନିୟମାବଳୀ ଜାରି କରିଛି। ଆଇପିଏଲ୍‌ ପରିଚାଳନା ପରିଷଦର ନିଷ୍ପତ୍ତି ମୁତାବକ ଫ୍ରାଞ୍ଚାଇଜ୍‌ଗୁଡ଼ିକ କେଉଁ ଖେଳାଳିଙ୍କୁ ନିଜ ପାଖରେ ରଖିବେ ଏବଂ କାହାକୁ ଛାଡ଼ିବେ ସେମାନଙ୍କ ନାମ ଜାନୁଆରି ୨୧ ତାରିଖ ସୁଦ୍ଧା ଦାଖଲ କରିପାରି‌ବେ। ପୁଣି ଫ୍ରାଞ୍ଚାଇଜ୍‌ଗୁଡ଼ିକ ମଧ୍ୟରେ ଖେଳାଳି କିଣାବିକା ତଥା ଅଦଳବଦଳ ପ୍ରକ୍ରିୟା ଫେବ୍ରୁଆରି ୪ ତାରିଖରୁ ବନ୍ଦ ହୋଇଯିବ। ଏନେଇ ଶୁକ୍ରବାର ଆଇପିଏଲ୍‌ ଅଧ୍ୟକ୍ଷ ବ୍ରିଜେଶ ପଟେଲ ସୂଚନା ଦେଇଛନ୍ତି। ପଟେଲ ଏବଂ ପରିଚାଳନା ପରିଷଦ ସଦସ୍ୟଙ୍କ ମଧ୍ୟରେ ଏକ ଭର୍ଚୁଆଲ ବୈଠକରେ ପରବର୍ତୀ ଆଇପିଏଲ୍‌ ପାଇଁ ଯୋଜନା ଓ ପ୍ରସ୍ତୁତି ଉପରେ ଆଲୋଚନା ହୋଇ ଏହି ନିଷ୍ପତ୍ତି ନିଆଯାଇଛି। ଏହା ବ୍ୟତୀତ ଚଳିତ ବର୍ଷର ସଂସ୍କରଣ ପାଇଁ ଫେବ୍ରୁଆରି ଦ୍ବିତୀୟ କିମ୍ବା ତୃତୀୟ ସପ୍ତାହରେ ଏକ ମିନି (ଛୋଟକାଟିଆ) ଖେଳାଳି ନିଲାମ କରାଯିବ ବୋଲି ପଟେଲ କହିଛନ୍ତି। ଆଇପିଏଲ୍‌ ଦଳଗୁଡ଼ିକ ପାଇଁ ଖେଳାଳିଙ୍କ ବାବଦରେ ଉପଲବ୍‌ଧ ୮୫ କୋଟି ଟଙ୍କାରେ କୌଣସି ବୃଦ୍ଧି କରାଯିବ ନାହିଁ ବୋଲି ମଧ୍ୟ ନିଷ୍ପତ୍ତି ନିଆଯାଇଛି।

ଏହି ଦୃଷ୍ଟିରୁ ଚେନ୍ନାଇ ସୁପର କିଙ୍ଗ୍‌ସ ନିକଟରେ ଗତ ନିଲାମ ପରେ ଏବେ କେବଳ ୧୫ ଲକ୍ଷ ବଳକା ରହିଥିବାରୁ ସଂପୃକ୍ତ ଫ୍ରାଞ୍ଚାଇଜ୍‌ ଦୁଇଟି ଅଧିକ ମୂଲ୍ୟର ଖେଳାଳି କେଦାର ଯାଦବ ଓ ପୀୟୂଷ ଚାୱାଲାଙ୍କୁ ଛାଡ଼ି ଦେଇ ପୁଞ୍ଜି ବଢ଼ାଇବାକୁ ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ସନ୍ତୁଳିତ ମୁମ୍ବାଇ ଇଣ୍ଡିଆନ୍‌ସ ତା’ର ଅଧିକାଂଶ ଖେଳାଳିଙ୍କୁ ବଜାୟ ରଖିବା ଏବଂ କିଛି ଖେଳାଳିଙ୍କୁ ଛାଡ଼ିଦେଇ ବଳକା ଥିବା ୧.୯୫ କୋଟିକୁ ବଢ଼ାଇବାକୁ ଚାହିଁବ। ରାଜସ୍ଥାନ ରୟାଲ୍‌ସ ନିକଟରେ ସବୁଠୁ ଅଧିକ ୧୪.୭୫ କୋଟି ବଳକା ରହିଥିଲା ବେଳେ ସନ୍‌ରାଇଜର୍ସ ହାଇଦ୍ରାବାଦ (୧୦.୧ କୋଟି), ଦିଲ୍ଲୀ କ୍ୟାପିଟାଲ୍‌ସ (୯ କୋଟି), କୋଲ୍‌କାତା ନାଇଟ୍‌ ରାଇଡର୍ସ (୮.୫ କୋଟି) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (୬.୪ କୋଟି) ପଛକୁ ପଛ ରହିଛନ୍ତି।

ସମ୍ବନ୍ଧିତ ଖବର