ଭୁବନେଶ୍ବର: ଓଡ଼ିଆ ଝିଅ ତଥା ଅନ୍ତର୍ଜାତୀୟ ହକି ଖେଳାଳି ଦୀପଗ୍ରେସ୍ ଏକ୍କା ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଭାରତର ଜାତୀୟ କ୍ରୀଡ଼ା କ୍ଷେତ୍ରରେ ଦ୍ବିତୀୟ ସର୍ବୋଚ୍ଚ ପୁରସ୍କାର ଚୟନ କମିଟି ଦୀପଗ୍ରେସ୍ ଏକ୍କାଙ୍କ ନାମକୁ ମନୋନୀତ କରିଛି।
ସୂଚନାଯୋଗ୍ୟ, ଦୀପଗ୍ରେସ ଏକ୍କା ବିଗତ କିଛି ବର୍ଷ ହେଲା ଭାରତୀୟ ମହିଳା ହକି ଟିମ୍ ପାଇଁ ଡିଫେଣ୍ଡର ଭାବେ ଖେଳ ଜାରି ରଖିଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ଲୁଲକିଡିହି ଗାଁରେ ୧୯୯୪ ମସିହା ଜୁନ୍ ୩ ତାରିଖରେ ଜନ୍ମଲାଭ କରିଥିବା ଦୀପଗ୍ରେସ୍ ଏକ୍କା ୨୦୧୧ ମସିହାରେ ହକି ଖେଳିବା ଆରମ୍ଭ କରିଥିଲେ। ସେ ଏପର୍ଯ୍ୟନ୍ତ ଡିଫେଣ୍ଡର ଭାବେ ୨୪୦ଟି ହକି ମ୍ୟାଚ ଖେଳି ସାରିଛନ୍ତି। ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କାଂସ୍ୟ ପଦକ ବିଜେତା ଭାରତୀୟ ମହିଳା ହକି ଟିମ୍ର ସେ ସଦସ୍ୟ ଥିଲେ।
୨୮ ବର୍ଷୀୟା ଦୀପଗ୍ରେସ୍ ଏକ୍କା ୨୦୧୪ ଓ ୨୦୧୮ରେ ଆୟୋଜିତ ଏସୀୟ କ୍ରୀଡ଼ାରେ ମଧ୍ୟ ଭାରତୀୟ ଦଳର ସଦସ୍ୟ ଥିଲେ। ଏତଦ ବ୍ୟତୀତ ଦୀପଗ୍ରେସ୍ ଏକ୍କା ‘୨୦୧୬ ମହିଳା ଏସୀୟ ଚାମ୍ପିଅନସିପ ଟ୍ରଫି ଏବଂ ୨୦୧୭ ଏସିଆ କପ୍ ହକି’ରେ ଚାମ୍ପିଅନ ଭାରତୀୟ ଟିମ୍ର ସଦସ୍ୟ ଥିଲେ। ଦୀପଗ୍ରେସ ଏକ୍କା ଘରୋଇ ହକି ଟୁର୍ଣ୍ଣାମେଣ୍ଟରେ ରେଳବାଇ ତରଫରୁ ଖେଳୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/Deep.jpg)