ନୂଆଦିଲ୍ଲୀ: ଅଗଷ୍ଟ ମାସରେ ଇଣ୍ଡୋନେସିଆର ଜାକର୍ତା ଓ ପାଲେମବାଙ୍ଗରେ ଖେଳାଯିବାକୁ ଥିବା ଏସୀୟ କ୍ରୀଡ଼ା ଲାଗି ଭାରତୀୟ ମହିଳା ହକି ଦଳ ଶୁକ୍ରବାର ଘୋଷିତ ହୋଇଛି। ୧୮ ଜଣିଆ ଏହି ଭାରତୀୟ ଦଳରେ ଓଡ଼ିଶାରୁ ୪ ଜଣ ସ୍ଥାନ ପାଇଛନ୍ତି। ସେମାନେ ହେଲେ ଡିଫେଣ୍ଡର୍ ଦୀପ୍ଗ୍ରେସ୍ ଏକ୍କା, ସୁନୀତା ଲାକ୍ରା ଏବଂ ମିଡ୍ଫିଲ୍ଡର ନମିତା ଟପ୍ପୋ ଓ ଲିଳିମା ମିଞ୍ଜ୍। ଗତବର୍ଷ ସଫଳତାର ସହ ନବମ ଏସିଆ କପ୍ରେ ଭାରତକୁ ବିଜେତା କରାଇଥିବା ଅଭିଜ୍ଞ ଷ୍ଟ୍ରାଇକର୍ ରାଣୀଙ୍କୁ ନେତୃତ୍ୱ ଭାର ଅର୍ପଣ କରାଯାଇଛି। ଅଭିଜ୍ଞା ଗୋଲରକ୍ଷିକା ସବିତାଙ୍କୁ ଉପ ଅଧିନାୟିକା ନିଯୁକ୍ତ କରାଯାଇଛି। ଭାରତ ଏଠାରେ ସ୍ୱର୍ଣ୍ଣ ପଦକ ଜିତି ୨୦୨୦ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ ଲକ୍ଷ୍ୟରେ ରହିବ। ଭାରତର ରକ୍ଷଣଭାଗରେ ଦୁଇ ଓଡ଼ିଆ ଦୀପଗ୍ରେସ୍ ଏକ୍କା, ସୁନୀତା ଲାକ୍ରାଙ୍କ ସହିତ ଦୀପିକା, ରୀନା ଖୋକର, ଡ୍ରାଗ୍ ଫ୍ଲିକର୍ ଗୁରଜିତ୍ କଉର୍ ଏବଂ ମଧ୍ୟଭାଗରେ ଦୁଇ ଓଡ଼ିଆ ନମିତା ଟପ୍ପୋ, ଲିଲିତା ମିଞ୍ଜ୍, ମୋନିକା ଉଦିତା, ନିକି ପ୍ରଧାନ ଓ ନେହା ଗୋୟଲ ରହିଛନ୍ତି। ଅଧିନାୟିକା ରାଣୀଙ୍କ ନେତୃତ୍ୱରେ ରହିଥିବା ଅଗ୍ରଭାଗରେ ଅଭିଜ୍ଞା ବନ୍ଦନା କାଟାରିଆ, ଯୁବ ତାରକା ଲାଲରେମସିଆମି, ନଭନିତ୍ କଉର୍ ଓ ନଭଜୋତ୍ କଉର୍ ରହିଛନ୍ତି। ନଭନିତ୍ ଓ ନିଭଜୋତ ସମ୍ପ୍ରତି ଭାରତ ପାଇଁ ଭଲ ଖେଳୁଛନ୍ତି। ଅଧିନାୟିକା ରାଣୀ ଏବଂ କାଟାରିଆ ଉଭୟ ୨୦୦ରୁ ଊର୍ଧ୍ୱ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ସାରିଥିବାରୁ ଦଳର ସବୁଠୁ ଅଭିଜ୍ଞ ଯୋଡ଼ି ଫାଇଦା ଦେବେ।
ଆମ ନିକଟରେ ଅଭିଜ୍ଞ ଓ ଯୁବ ଖେଳାଳିଙ୍କ ଭଲ ମିଶ୍ରଣ ରହିଛି। ପ୍ରତି ଖେଳାଳି ଉଚ୍ଚସ୍ତରରେ ଖେଳିବାକୁ ଯୋଗ୍ୟ ଥିବାରୁ ମୁଁ ଖୁସି ବୋଲି ପ୍ରକାଶ କରିଛନ୍ତି ମୁଖ୍ୟ ପ୍ରଶିକ୍ଷକ ଜୋର୍ଡ ମାରିନ୍। କିନ୍ତୁ ଏସୀୟ କ୍ରୀଡ଼ା ପୂର୍ବରୁ ଜୁଲାଇ ୨୧ ତାରିଖରୁ ଲଣ୍ଡନ୍ରେ ଖେଳାଯିବାକୁ ଥିବା ମହିଳା ବିଶ୍ୱକପ୍ ହକି ମଧ୍ୟ ଏସୀୟ କ୍ରୀଡ଼ା ପାଇଁ ପ୍ରଭାବ ରଖିବ ବୋଲି ସେ କହିଥିଲେ। ଲଣ୍ଡନ୍ ବିଶ୍ୱକପ୍ ନିଶ୍ଚିତ ଆମ ପାଇଁ ଏସୀୟ କ୍ରୀଡ଼ା ଲାଗି ଆତ୍ମବିଶ୍ୱାସ ଯୋଗାଇବ ବୋଲି ମାରିନ୍ କହିଥିଲେ। ଖେଳାଳିମାନଙ୍କୁ ମୁଁ ଏତିକି କହିପାରିବି ତୁମେମାନେ ଭଲ ଏବଂ କୌଣସି ଦଳ ବିପକ୍ଷରେ ତୁମେ ଜିତିପାରିବ। କିନ୍ତୁ ଏହାକୁ ହାସଲ କରିପାରିଲେ ହିଁ ଅଭିଜ୍ଞତା ମିଳିଥାଏ ବୋଲି ମାରିନ୍ କହିଥିଲେ। ଭାରତ ୨୦୧୭ରେ ଏସିଆ କପ ଜିତିଥିବାବେଳେ ୨୦୧୬ରେ ଏସିଆନ୍ ଚାମ୍ପିଅନ୍ସ ଟ୍ରଫିରେ ରୌପ୍ୟ ପଦକ ହାସଲ କରିଥିଲା। ଏସୀୟ କ୍ରୀଡ଼ାରେ ଭାରତକୁ ୮ ନମ୍ବର ମାନ୍ୟତାରେ ଥିବା ଚୀନ୍ ଏବଂ ୯ ନମ୍ବର କୋରିଆଠାରୁ କଡ଼ା ଆହ୍ଵାନ ମିଳିବ। ଚୀନ୍ ଓ କୋରିଆ ବିପକ୍ଷ ମ୍ୟାଚ୍ ପାଇଁ ଭାରତ କୌଣସି ସ୍ୱତନ୍ତ୍ର ଯୋଜନା କରିଛି କି ବୋଲି ପ୍ରଶ୍ନ ହେବାରୁ ମାରିନ୍ କହିଥିଲେ ‘ଭାରତର ବର୍ତମାନର ଲକ୍ଷ୍ୟ ହେଉଛି ଲଣ୍ଡନ୍ ବିଶ୍ୱକପ୍। ସେଠାରେ ଭଲ ପ୍ରଦର୍ଶନ କରିପାରିଲେ ଆମେ ଲୟରେ ରହିପାରିବୁ। ଭଲ ପ୍ରଦର୍ଶନ କଲେ ପ୍ରତିଦ୍ୱନ୍ଦ୍ୱୀ ଯିଏ ଥାଉ ସେଥିରେ କିଛି ଫରକ ନାହିଁ ବୋଲିର ମାରିନ୍ ପ୍ରକାଶ କରିଥିଲେ।
ଭାରତୀୟ ଦଳ
ଗୋଲରକ୍ଷକ: ସବିତା (ଉପ ଅଧିନାୟିକା), ରଜନୀ ଏତିମାର୍ପୁ,। ରକ୍ଷଣଭାଗ: ଦୀପ୍ଗ୍ରେସ୍ ଏକ୍କା, ସୁୁନୀତା ଲାକ୍ରା, ଦୀପିକା, ଗୁରଜିତ୍ କଉର୍, ରୀନା ଖୋକର। ମଧ୍ୟଭାଗ: ନମିତା ଟପ୍ପୋ, ଲିଲିମା ମିଞ୍ଜ୍, ମୋନିକା, ଉଦିତା, ନିକି ପ୍ରଧାନ, ନେହା ଗୋୟଲ। ଅଗ୍ରଭାଗ: ରାଣୀ (ଅଧିନାୟିକା), ବନ୍ଦନା କାଟାରିଆ, ଲାଲରେମସିଆମି, ନଭନିତ୍ କଉର୍, ନଭଜୋତ କଉର୍।