ଉଦାହରଣ ସୃଷ୍ଟି କଲେ ଦୀପା: ଅସୁସ୍ଥ କ୍ରୀଡ଼ା ସାମ୍ବାଦିକଙ୍କୁ ଦେଲେ ଆର୍ଥିକ ସହାୟତା

ଭୁବନେଶ୍ୱର: ସେ କ୍ରିକେଟ ଖେଳାଳିଙ୍କ ଭଳି କୋଟି କୋଟି ଟଙ୍କା ଆୟ କରନ୍ତି ନାହିଁ। କିମ୍ବା ବିଜ୍ଞାପନରୁ ମଧ୍ୟ ପାଆନ୍ତି ନାହିଁ ପ୍ରଚୁର ଅର୍ଥ। ହେଲେ ନିଜ ଖେଳରେ ସେ ଜଣେ ଲିଜେଣ୍ଡ ହୋଇସାରିଛନ୍ତି। ଅଲିମ୍ପିକ୍‌ରେ ପଦକ ଜିତିବାରୁ ଅଳ୍ପକେ ବଞ୍ଚିତ ହୋଇଥିଲେ ଗତଥର। ସେହି ମହାନ୍‌ ଜିମ୍ନାଷ୍ଟ ଦୀପା କର୍ମକାର ଏକ ବଡ଼ ଉଦାହରଣ ସୃଷ୍ଟି କରିଛନ୍ତି। ଜଣେ ଗୁରୁତର ଅସୁସ୍ଥ ହୋଇପଡ଼ିଥିବା ବରିଷ୍ଠ କ୍ରୀଡ଼ା ସାମ୍ବାଦିକଙ୍କୁ ଅର୍ଥ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ଦୀପା। ଜିମ୍ନାଷ୍ଟ ଦୀପାଙ୍କ ଘର ତ୍ରିପୁରାର ରାଜଧାନୀ ଅଗରତାଲାରେ। ସେହି ଅଗରତାଲାରୁ ବାହାରୁଥିବା ଲୋକପ୍ରିୟ ଇଂରାଜୀ ସମ୍ବାଦପତ୍ର ‘ତ୍ରିପୁରା ଟାଇମ୍ସ’ର କ୍ରୀଡ଼ା ସମ୍ପାଦକ ହେଲେ ବିଶ୍ୱଜିତ୍‌ ଶର୍ମା। ବହୁ ଦିନରୁ ସେ କ୍ରୀଡ଼ା ସାମ୍ବାଦିକତା ଧାରାରେ ଅଛନ୍ତି।

ତ୍ରିପୁରା କ୍ରୀଡ଼ା ସାମ୍ବାଦିକ ସଂଘର ସମ୍ପାଦକ ଦାୟିତ୍ୱ ତୁଲାଇ ସାରିଥିବା ବିଶ୍ୱଜିତ ଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘର କାର୍ଯ୍ୟନିର୍ବାହୀ ସଦସ୍ୟ ମଧ୍ୟ ରହିସାରିଛନ୍ତି। ସେ ଏବେ କିଡ଼ନୀ ଜନିତ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ବିଶ୍ୱଜିତଙ୍କୁ ନିଜ ସମ୍ବଳ ଅନୁସାରେ ସାହାଯ୍ୟ କରିବା ପାଇଁ ଦୀପା ଆଗଭର ହୋଇଥିଲେ। ନିକଟରେ ବିଶ୍ୱଜିତଙ୍କ ଘରେ ପହଞ୍ଚି ସେ ୫୦ ହଜାର ଟଙ୍କା ପ୍ରଦାନ କରିଛନ୍ତି। ତାଙ୍କ ପ୍ରଶିକ୍ଷକ ବିଖ୍ୟାତ ଜିମ୍ନାଷ୍ଟିକ୍‌ ଗୁରୁ ବିଶେଶ୍ୱର ନନ୍ଦୀ ମଧ୍ୟ ପ୍ରଦାନ କରିଛନ୍ତି ୧୫ ହଜାର ଟଙ୍କା। କୌଣସି ଗୁରୁତର ଅବସ୍ଥାରେ ଥିବା କ୍ରୀଡ଼ା ସାମ୍ବାଦିକଙ୍କୁ କୌଣସି ଖେଳାଳି ଅର୍ଥ ସାହାଯ୍ୟ କରିବା ଏହା ପ୍ରଥମ ବୋଲି କୁହାଯାଉଛି। ଦୀପାଙ୍କ ଏହି ଉଦାହରଣ ହୁଏତ କୋଟିପତି କ୍ରିକେଟରଙ୍କୁ ବାଟ ଦେଖାଇବ।

ସମ୍ବନ୍ଧିତ ଖବର