ଦୀପା କର୍ମକାର ୨୧ ମାସ ବାସନ୍ଦ

ନୂଆଦିଲ୍ଲୀ: ତାରକା ଜିମ୍ନାଷ୍ଟ ଦୀପା କର୍ମକାରଙ୍କ ଉପରେ ୨୧ ମାସର ବାସନ୍ଦ ଲାଗୁ କରାଯାଇଛି। ଅନ୍ତର୍ଜାତୀୟ ଟେଷ୍ଟିଂ ଏଜେନ୍ସି (ଆଇଟିଏ) ପକ୍ଷରୁ କରାଯାଇଥିବା ଡୋପ ଟେଷ୍ଟ୍‌ରେ ଦୀପା ଧରାପଡ଼ିଥିବାରୁ ଏହି ନିଲମ୍ବନ କରାଯାଇଛି। ଅନ୍ତର୍ଜାତୀୟ ଜିମ୍ନାଷ୍ଟିକ ସଂଘ (ଏଫଆଇଜି)ର ଆଣ୍ଟି ଡୋପିଂ କାର୍ଯ୍ୟକ୍ରମ ପରିଚାଳନା କରୁଥିବା ସ୍ବୟଂଶାସିତ ସଂସ୍ଥା ଆଇଟିଏ ଦୀପାଙ୍କ ନମୂନା ସଂଗ୍ରହ କରିଥିବା ବେଳେ ସେଥିରୁ ହିଜେନାମାଇନ୍ ମିଳିଥିବା କୁହାଯାଇଥିଲା। ନମୂନା ସଂଗ୍ରହ ସମୟରେ କିନ୍ତୁ କୌଣସି ପ୍ରତିଯୋଗିତା ନଥିବା ଭାରତୀୟ ସଂଘ କହିଛି। ୨୦୨୧ ଅକ୍ଟୋବର ୧୧ ତାରିଖରେ ନମୂନା ସଂଗ୍ରହ ହୋଇଥିବାରୁ ଚଳିତ ବର୍ଷ ଜୁଲାଇରେ ଏହି ନିଲମ୍ବନ ଅବଧି ଶେଷ ହୋଇଯିବ। ସୂଚନାଯୋଗ୍ୟ, ସ୍ବିଜରଲାଣ୍ଡ୍‌ରେ ଥିବା ଏହି ଅଣ ଲାଭାଂଶ ସଂସ୍ଥା ୱାଡ଼ା ଆଇଓସି ପାଇଁ ବିଭିନ୍ନ ଆଣ୍ଟି ଡୋପିଂ କାର୍ଯ୍ୟକ୍ରମ ପରିଚାଳନା କରୁଛି। ଏଥି ସହିତ ୨୦୨୧ ଅକ୍ଟୋବର ୧୧ ପରଠାରୁ ଦୀପାଙ୍କ ସମସ୍ତ ପ୍ରତିଯୋଗିତାର ଫଳାଫଳକୁ ଅଯୋଗ୍ୟ ଘୋଷଣା କରାଯିବ ବୋଲି ଜଣାପଡ଼ିଛି। ଦୀପାଙ୍କ ଶେଷ ପ୍ରମୁଖ ପ୍ରତିଯୋଗିତା କିନ୍ତୁ ୨୦୧୯ ବକୁ ବିଶ୍ବକପ୍‌ ରହିଛି।

ନିଲମ୍ବନକୁ ଦୀପା କର୍ମକାର ଗ୍ରହଣ କରିନେଇଛନ୍ତି। ଦୀପା କହିଛନ୍ତି, ସେ ଅଜ୍ଞାତରେ ନେଇଥିବା ଇଂଜେକ୍ସନ୍‌ କାରଣରୁ ତାଙ୍କ ନମୂନାରୁ ନିଷିଦ୍ଧ ହିଜେନାମାଇନ୍‌-ଏସ୩ ବେଟା-୨ ମିଳିଥିଲା। ଆମେରିକା ଆଣ୍ଟି ଡୋପିଂ ଏଜେନ୍ସି ଅନୁସାରେ ହିଜେନାମାଇନ୍‌ ବହୁ ପାରମ୍ପରିକ ମେଡିସିନ୍‌ ଓ ହର୍ବାଲରୁ ମଧ୍ୟ ମିଳିଥାଏ। ୨୦୧୭ରେ ହିଜେନାମାଇନକୁ ୱାଡାର ନିଷିଦ୍ଧ ତାଲିକାଭୁକ୍ତ କରାଯାଇଥିଲା। ୨୯ ବର୍ଷୀୟା ଦୀପା ୨୦୧୬ ରିଓ ଅଲିମ୍ପିକ୍ସ ଭଲ୍ଟ ଇଭେଣ୍ଟରେ ଚତୁର୍ଥରେ ରହି ଅଳ୍ପକେ କାଂସ୍ୟ ପଦକରୁ ବଞ୍ଚିତ ହେବା ପରଠାରୁ ଚର୍ଚ୍ଚିତ ଚେହେରା ପାଲଟିଥିଲେ। ‘ମୁଁ ଜାଣିପାରିନି ଏ ନିଷିଦ୍ଧ ଡ୍ରଗ୍ସ କିଭଳି ମୋ ଶରୀରକୁ ଆସିଲା। କୌଣସି କ୍ରୀଡ଼ାବିତ୍‌ଙ୍କୁ ଏହା ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଦେବ। ଏହା କେବଳ ଯନ୍ତ୍ରଣାଦାୟକ ନୁହେଁ, କଠୋର ମାନସିକ ଲଢ଼େଇ ଦେଇଛି’ ବୋଲି ଏହି ତ୍ରିପୁରା ତାରକା ପ୍ରକାଶ କରିଥିଲେ। ୨୦୧୭ ଓ ୨୦୧୯ରେ ଦୁଇଟି ଅସ୍ତ୍ରୋପଚାର କରାଇବା ପରେ ଯେତେବେଳେ ମୁଁ ପ୍ରତ୍ୟାବର୍ତନ କରିବାକୁ ଯୋଜନା କଲି ଆଉ ଏକ ବଡ଼ ଝଟକାର ସମ୍ମୁଖୀନ ହେଲି ବୋଲି ଦୀପା ପ୍ରକାଶ କରିଥିଲେ। ଲମ୍ବା ଲଢ଼େଇ ପରେ ଜୁଲାଇରେ ମୁଁ ପ୍ରତ୍ୟାବର୍ତନ କରିବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର