ସୁନ୍ଦରଗଡ଼: ଅଲିମ୍ପିକ୍ସ ଇତିହାସରେ ପ୍ରଥମ ଥର ପାଇଁ ଭାରତୀୟ ମହିଳା ହକି ଦଳ ଚମତ୍କାର ଦେଖାଇଛି। ତିନି ଥରର ଅଲିମ୍ପିକ ବିଜେତା ଅଷ୍ଟ୍ରେଲିଆ ଦଳକୁ ୧-୦ରେ ହରାଇ ଦଳ ସେମିଫାଇନାଲକୁ ପ୍ରବେଶ କରିଛି। ମହିଳା ହକି ଦଳର ଏହି ଐତିହାସିକ ବିଜୟରେ ସାରା ଦେଶ ଉଲ୍ଲସିତ। ଏହା ସହ ସୁନ୍ଦରଗଡ଼ ଜିଲ୍ଲାର ନିପଟ ମଫସଲ ଗାଁ ଲୁଲକିଡିହି ବାମନିବାହାଲ (ପଡ଼ା) ମଧ୍ୟ ଉଚ୍ଛୁଳୁଛିି ଖୁସିରେ। ମହିଳା ହକି ଦଳର ଉପଅଧିନାୟିକା ଭାର ସମ୍ଭାଳିଥିବା ଗାଁ ଝିଅ ଦୀପଗ୍ରେସ୍ ଏକ୍କାଙ୍କୁ ନେଇ ଗର୍ବରେ ଫାଟିପଡ଼ୁଛି ଜନ୍ମମାଟି। ବିଜୟ ଖବର ଶୁଣିବା ପରେ ଗାଁରେ ଥିବା ମା’-ବାପା ଖୁସିରେ ଆତ୍ମହରା ହୋଇପଡ଼ିଛନ୍ତି। ୨୦୧୬ ରିଓ ଅଲିମ୍ପିକ୍ସ ପରେ ଦ୍ବିତୀୟ ଥର ପାଇଁ ଅଲିମ୍ପିକ୍ସ ଖେଳିବାର ସୁଯୋଗ ପାଇଥିବା ୨୭ ବର୍ଷିୟା ଦୀପଗ୍ରେସ୍ଙ୍କ ବାଲିଶଙ୍କରା ବ୍ଲକର ଛତିଶଗଡ଼-ଝାଡ଼ଖଣ୍ଡ ସୀମାନ୍ତ ଏହି ଛୋଟ ଗାଁର ଟିଣ ଛପର ଘରୁ ଟୋକିଓ ଅଲିମ୍ପିକ୍ସର ଲମ୍ବା ଯାତ୍ରା ଏବେ ବେଶ୍ ଚର୍ଚ୍ଚାରେ। ଏକ ଗରିବ ଚାଷୀ ପରିବାରରେ ଜନ୍ମଗ୍ରହଣ କରିଥିବା ଦୀପଗ୍ରେସ୍ଙ୍କ ବାପା ଚାର୍ଲସ୍ ଏକ୍କା ହକି ଖେଳାଳି ଥିଲେ। ଦଳର ରକ୍ଷଣଭାଗ ସମ୍ଭାଳୁଥିବା ଚାର୍ଲସ୍ ସେତେବେଳେ ଝାଡ଼ଖଣ୍ଡ, ଛତିଶଗଡ଼ ଅଞ୍ଚଳକୁ ମ୍ୟାଚ୍ ଖେଳିବାକୁ ଯାଉଥିଲେ। କିନ୍ତୁ ସରକାରୀ ପ୍ରୋତ୍ସାହନ ଏବଂ ଉନ୍ନତ ତାଲିମ ଅଭାବରୁ ସେ ଗାଁ ଖେଳାଳି ହୋଇ ରହିଯାଇଥିଲେ। ଦୀପଗ୍ରେସ୍ ତାଙ୍କ ସବା ସାନ ଝିଅ।
ଭାଇ ଦୀପକ, ଡେନିସ, ଡେଭିଡ୍ ଓ ଭଉଣୀ ଦୀପ୍ତିରୋସଙ୍କ ପରେ ଦୀପଗ୍ରେସ୍ଙ୍କ ଜନ୍ମ। ଦୀପକ ଝାରସୁଗୁଡ଼ାରେ ଏକ କମ୍ପାନିରେ ଚାକିରି କରୁଥିବା ବେଳେ ଡେଭିଡ୍ ବାପାଙ୍କ ସହ ଚାଷ କଥା ବୁଝୁଛନ୍ତି। ଭଉଣୀ ଦୀପ୍ତିରୋସ ବିବାହ କରି ଶାଶୁ ଘରେ। ଅନ୍ୟ ଜଣେ ଭାଇ ଡେନିସ ମଧ୍ୟ ଜଣେ ହକି ଖେଳାଳି। ସେ ଦିଲ୍ଲୀରେ ତୈଳ ଓ ପ୍ରାକୃତିକ ଗ୍ୟାସ ନିଗମରେ ନିଯୁକ୍ତି ପାଇ କମ୍ପାନି ଟିମ୍ରେ ଖେଳୁଛନ୍ତି। ବାପା ଓ ଭାଇଙ୍କ ଖେଳ ଦେଖି ଦୀପଗ୍ରେସ୍ଙ୍କର ମଧ୍ୟ ହକି ଖେଳ ପ୍ରତି ଆଗ୍ରହ ବଢ଼ିଥିଲା। କିନ୍ତୁ ହକି ବାଡ଼ି କି ବଲ୍ କିଣିବା ସମ୍ଭବ ନଥିବାରୁ ବାପାଙ୍କ ସହ ଗାଁ ପାଖ ଜଙ୍ଗଲରୁ ଧଉଁଲା ବା ଧଅଁରା ଗଛର କାଠ ଆଣି ସେଥିରେ ହକି ବାଡ଼ି ଓ ଛିଣ୍ଡା ଜରିରେ ବଲ୍ ତିଆରି କରି ଗାଁ ଦାଣ୍ଡରେ ଛୋଟ ପିଲାଙ୍କ ସହ ଖେଳୁଥିଲେ ଦୀପଗ୍ରେସ୍। ଦୀପଗ୍ରେସ୍ଙ୍କ ହକି ପ୍ରତି ରୁଚି ଦେଖି ବାପା ନିଜ ଅଧୁରା ସ୍ବପ୍ନ ପୂରା କରିବାକୁ ଆଗେଇ ଆସିଲେ। ଝିଅକୁ ଭଲ ହକି ଖେଳାଳି ଭାବେ ଗଢ଼ି ତୋଳିବାକୁ ସେ ତାଙ୍କୁ ୨୦୦୪ରେ ସୁନ୍ଦରଗଡ଼ ରାଜ୍ୟ କ୍ରୀଡ଼ା ଛାତ୍ରାବାସରେ ଛାଡ଼ିଥିଲେ। କିନ୍ତୁ ସେତେବେଳେ ସେଠାରେ ଝିଅମାନଙ୍କ ପାଇଁ ହଷ୍ଟେଲ ସୁବିଧା ନଥିଲା। ଘରୁ ଚାଉଳ, ଡାଲି ପଠାଉଥିଲେ ବାପା। ଦୁଇ ବର୍ଷ ଅଭ୍ୟାସ କରିବା ପରେ ୨୦୦୬ରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ରେ ପ୍ରବେଶ କରିଥିଲେ ଦୀପଗ୍ରେସ୍। ୨୦୦୮ ଯାଏ ତାଙ୍କୁ କୋଚ୍ ପ୍ରଦୀପ ଷଡ଼ଙ୍ଗୀ ହକି ତାଲିମ ଦେଉଥିଲେ।
ପରବର୍ତ୍ତୀ ସମୟରେ ମହିଳା ହକି କୋଚ୍ ଭାବେ ଲୁସେଲ ଏକ୍କା ନିଯୁକ୍ତି ପାଇବା ପରେ ତାଙ୍କ ଠାରୁ ତାଲିମ ନେଲେ ଦୀପଗ୍ରେସ୍। ୨୦୧୧ରେ ସେ ଜାତୀୟ ମହିଳା ହକି କ୍ୟାମ୍ପକୁ ମନୋନୀତ ହୋଇ ଯାଇଥିଲେ। ତା’ ପରଠାରୁ ଦୀପଗ୍ରେସ୍ ଆଉ ପଛକୁ ଫେରି ନାହାନ୍ତି। ସାଇ କ୍ରୀଡ଼ା ଛାତ୍ରାବାସରୁ ବାହାରିଥିବା ଏକମାତ୍ର ଅନ୍ତର୍ଜାତୀୟ ଖେଳାଳି ସୁଶ୍ରୀ ଏକ୍କାଙ୍କ ଖେଳ ଶୈଳୀ, ଅକ୍ଳାନ୍ତ ପରିଶ୍ରମ କରିବାର ଆଗ୍ରହ, ପ୍ରତିପକ୍ଷ ଦଳର ଆକ୍ରମଣକୁ ଏକୁଟିଆ ପ୍ରତିହତ କରିବାର ଦକ୍ଷତା ଦେଖି ତାଙ୍କୁ ହକିର ‘ଲେଡି ଦିଲୀପ ତିର୍କି’ କୁହାଯାଏ। ଦ୍ବିତୀୟ ଥର ଅଲିମ୍ପିକ୍ସ ଖେଳୁଥିବା ଦୀପଗ୍ରେସ୍ ଏଯାଏ ୨୦୨ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ଟୋକିଓ ଯାଇଥିବା ମହିଳା ହକି ଦଳରେ ଦୀପଗ୍ରେସ୍ ଓ ନମିତା ଟପ୍ପୋଙ୍କ ସହ ଭାରତୀୟ ପୁରୁଷ ଦଳରେ ଅଭିଜ୍ଞ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ଅଛନ୍ତି। ୪ ଜଣ ଯାକ ଦଳର ରକ୍ଷଣଭାଗ ସମ୍ଭାଳିବାର ଦାୟିତ୍ବ ନେଇଛନ୍ତି। କଠିନ ପରିଶ୍ରମରେ ବିଶ୍ବାସ ରଖିଥିବା ଆଦିବାସୀ ଖେଳାଳିଙ୍କ ଶାରୀରିକ କ୍ଷମତା, ଦମ୍ଭ, କ୍ଷୀପ୍ରତା, ଶୃଙ୍ଖଳା ମନୋଭାବ ସହ ଲୋକଦେଖାଣିଆ ଖେଳ ଅପେକ୍ଷା ଦଳର ସ୍ବାର୍ଥକୁ ଗୁରୁତ୍ବ ଦେବା ହିଁ ସେମାନଙ୍କୁ ଦଳର ରକ୍ଷଣଭାଗ ସମ୍ଭାଳିବାର ଗୁରୁ ଦାୟିତ୍ବ ଦେଇଛି। ଅଷ୍ଟ୍ରେଲିଆ ସହ କ୍ବାର୍ଟର ଫାଇନାଲରେ ଗୋଲ୍ ରକ୍ଷକ ସବିତା ପୁନିଆ ଓ ଦୀପଗ୍ରେସ୍ ଏକ୍କାଙ୍କ ଚମତ୍କାର ରକ୍ଷଣ ଶୈଳୀ ଦଳକୁ ବିଜୟର ସ୍ବାଦ ଚଖାଇଛି। ଶକ୍ତିଶାଳୀ ଓ ତିନି ଥର ଅଲିମ୍ପିକ୍ସ ବିଜେତା ଅଷ୍ଟ୍ରେଲିଆକୁ ଭେଟିବା ସମୟରେ ଲୋକ ଆଗରୁ ଭାବି ନେଇଥିଲେ ଯେ ମ୍ୟାଚ୍ ପରେ ଦଳ ଭାରତ ପଳାଇ ଆସିବ! ଦଳ ହାରିଲେ ମଧ୍ୟ କେହି ବିଶେଷ ଖରାପ ଭାବି ନ ଥାନ୍ତେ। କିନ୍ତୁ ଭାରତୀୟ ମହିଳା ଦଳ ସଂଘର୍ଷପୂର୍ଣ୍ଣ ଖେଳର ପ୍ରଦର୍ଶନ କରି ବିଶ୍ବ ମହିଳା ହକିରେ ସବୁଠାରୁ ବଡ଼ ବିପର୍ଯ୍ୟୟ କରି ନୂଆ ଇତିହାସ ରଚି ଦେଲେ।
ମ୍ୟାଚ୍ ପରେ ଅଧିକାଂଶ ଲୋକ ଏହାକୁ ବିଶ୍ବାସ କରି ପାରୁ ନ ଥିଲେ। ଭାରତର ଏହି ବିଜୟରେ ସୁନ୍ଦରଗଡ଼ର ଝିଅ ଦୀପଗ୍ରେସ୍ଙ୍କର ଭୂମିକା ଅତି ଗୁରୁତ୍ବପୂର୍ଣ୍ଣ ଥିଲା। ଗୋଟିଏ ଗୋଲ୍ରେ ଅଗ୍ରଣୀ ହେବାପରେ ପ୍ରାୟ ୪୦ ମିନିଟ୍ ଧରି ନିଜ ଗୋଲପୋଷ୍ଟ୍କୁ ରକ୍ଷା କରିବା ସହଜ ନଥିଲା। ଘାଇଲା ବାଘ ପରି ସେମାନେ ଘନ ଘନ ଆକ୍ରମଣ କରୁ ଥିଲେ। କିନ୍ତୁ ଆମର ରକ୍ଷକ ଖେଳାଳିମାନେ ଅତ୍ୟଧିକ ଚାପରେ ଥିଲେ ମଧ୍ୟ ସବୁ ଆକ୍ରମଣକୁ କ୍ରମାଗତ ଭାବେ ବିଫଳ କରି ଚାଲିଥିଲେ। ଦୀପଗ୍ରେସ୍ ଏକୁଟିଆ ଅତିକମରେ ୫-୬ ଆକ୍ରମଣରୁ ନିଜ ଦଳକୁ ରକ୍ଷା କରିଥିଲେ। କେବଳ ଏହି ମ୍ୟାଚ୍ରେ ନୁହେଁ, ଏବେଯାଏ ଖେଳା ଯାଇଥିବା ସବୁ ମ୍ୟାଚ୍ରେ ଦୀପଗ୍ରେସ୍ ଏହିପରି ଉଚ୍ଚମାନର ପ୍ରଦର୍ଶନ କରି ଆସିଛନ୍ତି। ବିଗତ ଏକ ଦଶକରୁ ଅଧିକ ସମୟ ଧରି ସେ ଭାରତୀୟ ମହିଳା କନିଷ୍ଠ ଓ ବରିଷ୍ଠ ଦଳର ଏକ ମୂଲ୍ୟବାନ ଓ ସ୍ଥାୟୀ ଅଙ୍ଗ ଭାବେ ରହି ଆସିଛନ୍ତି। ୪ ତାରିଖରେ ହେବାକୁ ଥିବା ସେମିଫାଇନାଲକୁ ଜନ୍ମମାଟି ଲୁଲକିଡିହି ଉତ୍ସୁକତାର ସହ ଅପେକ୍ଷା କରିଛି। ଗାଁ ଝିଅ ସ୍ବର୍ଣ୍ଣପଦକ ଆଣିବ ବୋଲି ଆଶା ରଖିଛନ୍ତି।
‘‘ମୋ ସମେତ ଆମ ପରିବାରର ସମସ୍ତେ ଅତ୍ୟନ୍ତ ଖୁସି ଯେ ଭାରତୀୟ ମହିଳା ଦଳ ସେମିଫାଇନାଲରେ ପ୍ରବେଶ କରିଛି। ସେମିଫାଇନାଲ ପର୍ଯ୍ୟନ୍ତ ଦଳ ଯିବ ବୋଲି ଆଶା କରି ନ ଥିଲୁ। ଦଳର ଏହି ସଫଳତାରେ ମୋ ଭଉଣୀର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହା ଆମ ଖୁସିକୁ ଦ୍ବିଗୁଣିତ କରି ଦେଇଛି। ଦୀପଗ୍ରେସ୍ ଅନେକ ଅବସରରେ ଦଳକୁ ବିପଦରୁ ରକ୍ଷା କରିଛି। ଏଥିରେ ଆମେ ବିଶେଷ ଆନନ୍ଦିତ। ଆମେ ଆଶା କରୁଛୁ ଯେ ଭାରତ ଏଇ ସ୍ବର୍ଣ୍ଣିମ ସୁଯୋଗକୁ ହାତଛଡା ନ କରି ଫାଇନାଲ ଯିବା ପାଇଁ ପୂରା ଶକ୍ତି ଲଗାଇବ। ଭାରତ ରକ୍ଷଣ ଉପରେ ଗୁରୁତ୍ୱ ଦେବା ସହ ଆକ୍ରମଣ ଉପରେ ମଧ୍ୟ ସମାନ ଗୁରୁତ୍ୱ ଦେବା ଆବଶ୍ୟକ। ପେନାଲଟି କର୍ଣ୍ଣରକୁ ଗୋଲ୍ରେ ପରିଣତ କରିବାର ଦକ୍ଷତା ବଢ଼ାଇବା ଆବଶ୍ୟକ।
ଦୀନେଶ ଏକ୍କା (ଦୀପଗ୍ରେସ୍ଙ୍କ ଭାଇ)
ପୂର୍ବତନ ଜାତୀୟ ହକି ଖେଳାଳି