୧ କିଲୋମିଟର୍‌ ଦୂରରେ ଟିଭି ଦେଖିଲେ ଦୀପଗ୍ରେସଙ୍କ ପରିବାର

ଝିଅ ପଠାଇଥିବା ଭାରତୀୟ ଜର୍ସି ପିନ୍ଧି ଅପେକ୍ଷା କରିଥିଲେ ବାପା, ଜଙ୍ଗଲକୁ ଗାଈ ଚରାଇବାକୁ ଯାଇଥିଲେ ମା’

ସୁନ୍ଦରଗଡ଼: ଝିଅ ଦୀପଗ୍ରେସ ପଠାଇଥିବା ଭାରତୀୟ ଜର୍ସି ପିନ୍ଧି ବାପା ଚାରଲେସ ଏକ୍କା ଅପେକ୍ଷା କରିଥିଲେ ସେ ପ୍ରତୀକ୍ଷିତ ମୁହୂର୍ତ୍ତକୁ। ମୁହଁରେ ରହିଥିଲା ଦୃଢ଼ ଆତ୍ମବିଶ୍ବାସ। ଅପେକ୍ଷା ଥିଲା ଟୋକିଓର ହକି ଆଷ୍ଟ୍ରୋଟର୍ଫକୁ କେତେବେଳେ ଭାରତୀୟ ମହିଳା ଦଳ ସହ ଝିଅ ଦୀପଗ୍ରେସ ହକି ବାଡ଼ି ଧରି ଓହ୍ଲାଇବେ। ସକାଳୁ ସକାଳୁ ଜଙ୍ଗଲକୁ ଗାଈ ଚରାଇବାକୁ ଯାଇଥିବା ମା’ ଜୟମନି ମଧ୍ୟ ଝିଅର ଖେଳ ଦେଖିବେ ବୋଲି ବେଳାବେଳି ଫେରିଥିଲେ। ପଛେ ପଛେ ଭାଉଜ ମାର୍ଟିନା ବିଲରେ ତଳି ରୁଆ ସାରି ଘରକୁ ଫେରି ଆସିଥିଲେ। କିନ୍ତୁ ଘରେ ଟିଭି ନଥିଲା। ସେହିପରି ବିଜୁଳିର ଲୁଚକାଳି ଓ ଲୋ-ଭୋଲଟେଜ୍‌ ଯୋଗୁଁ ପ୍ରାୟ ବହୁ ସମୟ ବମନିବାହାଲ ପଡ଼ାଟି ଅନ୍ଧାରରେ ରହିଥାଏ। ତା’ ଛଡ଼ା ଦୀପଗ୍ରେସଙ୍କ ପରିବାର ଚାଷ ପାଇଁ ବହୁ ସମୟ ବିଲବାଡ଼ି, ଗୋରୁ ଗାଈଙ୍କ କାମରେ ବ୍ୟସ୍ତ ଥିବାରୁ ଟିଭି ପାଇଁ ମନ ବଳାଇ ନଥିଲେ। ତେଣୁ ଘର ଠାରୁ ଗୋଟିଏ କିଲୋମିଟର ଦୂର ଲୁଲକିଡିହି ଅରୁଣ ସାହୁଙ୍କ ଘରକୁ ବାପା ମା’ ଓ ପରିବାର ଲୋକେ ଯାଇ ଟିଭିରେ ଖେଳ ଦେଖିଥିଲେ। ଖେଳ ଦେଖିବାକୁ ଲୁଲକିଡିହିରେ ଭିଡ଼ ଜମିଥିଲା। କିନ୍ତୁ ସମସ୍ତଙ୍କୁ ନିରାଶ କରି ଭାରତୀୟ ମହିଳା ହକି ଦଳ ଆର୍ଜେଣ୍ଟିନା ଠାରୁ ୧-୨ରେ ହାରି ଯାଇଥିଲା। ତେବେ ଗାଁ ଝିଅ ଦୀପଗ୍ରେସଙ୍କ ଚମତ୍କାର ପ୍ରଦର୍ଶନ ବାପାମା’ ଓ ଗାଁ ଲୋକଙ୍କୁ ସାମାନ୍ୟ ଉତ୍ସାହିତ କରିଥିଲା। ଭାରତୀୟ ଦଳର ପରାଜୟକୁ ନେଇ ବାପା ଚାରଲେସ ନିଜ ପ୍ରତିକ୍ରିୟାରେ କହିଥିଲେ, ‘ଆଶା ଥିଲା ଝିଅ ସ୍ବର୍ଣ୍ଣପଦକ ଆଣିବ, କିନ୍ତୁ ସଂଘର୍ଷ କରି ବି ଦଳ ହାରିଗଲା। ପ୍ରଥମ ଥର ପାଇଁ ଦଳ ସେମିଫାଇନାଲ୍‌ ଯାଇ ହାରି ଯାଇଥିବାରୁ ଦୁଃଖ ତ ଲାଗୁଛି, କିନ୍ତୁ ଖେଳରେ ହାରଜିତ ଲାଗି ରହିବ। ତେଣୁ ତାକୁ ଭାବି ଲାଭ ନାହିଁ। ଆଗକୁ ଦଳ କେମିତି ଭଲ ଖେଳିବ ଓ କାଂସ୍ୟ ପଦକ ଆଣିବ ସେ ଉପରେ ଧ୍ୟାନ କେନ୍ଦ୍ରିତ କରୁ। ଆଶା ଅଛି ଦଳ ନିଶ୍ଚିତ କାଂସ୍ୟ ପଦକ ନେଇ ଭାରତକୁ ଫେରିବ’।
ଉତ୍ସାହିତ ନଥିଲା ପ୍ରଶାସନ

ରାଜ୍ୟ ସରକାର ହକି ଖେଳକୁ ପ୍ରୋତ୍ସାହିତ କରି ଆସୁଛନ୍ତି। ୨୦୨୩ରେ ହକିର ଗଡ଼ ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାରେ ହକି ବିଶ୍ବକପ୍‌ ଆୟୋଜନ ପାଇଁ ସ୍ଥିର କରି ବିଶ୍ବସ୍ତରୀୟ ଏକ ସ୍ବତନ୍ତ୍ର ହକି ଷ୍ଟାଡ଼ିୟମ ତିଆରି କରୁଛନ୍ତି। କିନ୍ତୁ ହକି ଅଲିମ୍ପିକ୍ସରେ ଉଭୟ ପୁରୁଷ ଓ ମହିଳା ଦଳ ସେମି ଫାଇନାଲକୁ ଯାଇଥିବା ଏବଂ ଉଭୟ ଦଳରେ ସୁନ୍ଦରଗଡ଼ରୁ ୨ ଜଣ ଲେଖାଏଁ ଖେଳାଳି ସାମିଲ ହୋଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ କି ଜିଲ୍ଲା କ୍ରୀଡ଼ା ବିଭାଗ ଏ ନେଇ ଉତ୍ସାହିତ ଥିବା ପରିଲକ୍ଷିତ ହୋଇ ନଥିଲା। ସେମି ଫାଇନାଲ ଖେଳ ଦିନ ଅନ୍ତତଃପକ୍ଷେ ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ ଓ ଦୀପ୍ରଗ୍ରେସ ଏକ୍କା, ସୁନିତା ଟପ୍ପୋଙ୍କ ଜନ୍ମମାଟିରେ ଲୋକଙ୍କୁ ଖେଳ ଦେଖିବାକୁ ସ୍ବତନ୍ତ୍ର ବ୍ୟବସ୍ଥା କରିବେ ବୋଲି ହକି ପ୍ରେମୀ ଓ ସମ୍ପୃକ୍ତ ଗାଁ ଲୋକେ ଆଶା କରିଥିଲେ। କିନ୍ତୁ ପ୍ରଶାସନ କୌଣସି ବ୍ୟବସ୍ଥା ତ କରି ନଥିଲେ, ସମ୍ପୃକ୍ତ ଖେଳାଳିଙ୍କ ପରିବାରକୁ ଭେଟି ଶୁଭେଚ୍ଛା ଜଣାଇବାକୁ ମଧ୍ୟ ଉଚିତ ମଣି ନଥିଲେ। ସୁନ୍ଦରଗଡ଼ ଜିଲ୍ଲାକୁ ଦେଶର ହକି ଗଡ଼ କୁହାଯାଉଥି‌ବା ଓ ଏଠାରୁ ଅନେକ ଅନ୍ତଃଜାତୀୟ ହକି ଖେଳାଳି ଭାରତୀୟ ଦଳରେ ସାମିଲ ହୋଇ ସୁନାମ ଆଣିଥିଲେ ମଧ୍ୟ ପ୍ରଶାସନ ଓ ଜିଲ୍ଲା କ୍ରୀଡ଼ା ବିଭାଗର ଏ ପ୍ରକାର ଉଦାସୀନତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

ସମ୍ବନ୍ଧିତ ଖବର