ବେଙ୍ଗାଲୁରୁ: ଆସନ୍ତାକାଲିଠାରୁ ଏଠାରେ ଆରମ୍ଭ ହେବାକୁ ଯାଉଛି ବରିଷ୍ଠ ମହିଳା ହକି ଖେଳାଳିଙ୍କ ଜାତୀୟ ହକି ଶିବିର। ଏହି ଶିବିର ପାଇଁ ହକି ଇଣ୍ଡିଆ ରବିବାର ୨୫ ଜଣିଆ ଦଳ ଘୋଷଣା କରିଛି। ଏହି ୨୫ ଜଣଙ୍କ ମଧ୍ୟରେ ଟୋକିଓ ଅଲିମ୍ପିକ୍ସରେ ଚତୁର୍ଥ ସ୍ଥାନ ଅକ୍ତିଆର କରିଥିବା ଭାରତୀୟ ଦଳର ୧୬ ଜଣ ସଦସ୍ୟାଙ୍କୁ ସ୍ଥାନ ମିଳିଛି। ତେବେ ୨୫ ଜଣିଆ ଦଳରେ ୫ ଜଣ ଓଡ଼ିଆ ଝିଅ ଶିବିର ପାଇଁ ମନୋନୀତ ହୋଇଛନ୍ତି। ସେମାନେ ହେଲେ ଦୀପ୍ଗ୍ରେସ୍ ଏକ୍କା, ଲିଳିମା ମିଞ୍ଜ୍, ନମିତା ଟପ୍ପୋ, ରଶ୍ମିତା ମିଞ୍ଜ୍ ଓ ମାରିଆନା କୁଜୁର। ରଶ୍ମିତା ଏବେ କନିଷ୍ଠ ବର୍ଗରୁ ବରିଷ୍ଠ କୋର୍ ଗ୍ରୁପ୍କୁ ପଦୋନ୍ନତି ପାଇଛନ୍ତି। ସମସ୍ତ ମନୋନୀତ ଖେଳାଳିମାନେ ରବିବାର ମଧ୍ୟ ରିପୋର୍ଟ କରିଥିବା ହକି ଇଣ୍ଡିଆ ପକ୍ଷରୁ କୁହାଯାଇଛି। ଏହି ଶିବିର ଅକ୍ଟୋବର ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଅନ୍ୟପକ୍ଷରେ ଟୋକିଓ ଅଲିମ୍ପିକ୍ସ ଦଳରେ ସ୍ଥାନ ପାଇଥିବା ସାଲିମା ଟେଟେ, ଲାଲ୍ରେମ୍ସିଆମି, ସର୍ମିଲା ଏବଂ ବିଚୁ ଦେବୀ ସେହି ବେଙ୍ଗାଲୁରୁର ସାଇ କ୍ୟାମ୍ପସ୍ରେ ଆୟୋଜିତ ହେଉଥିବା କନିଷ୍ଠ ବାଳିକା ଶିବିରରେ ଯୋଗଦେବେ ବୋଲି ହକି ଇଣ୍ଡିଆ କହିଛି।
ଶିବିର ପାଇଁ ଦଳ: ସବିତା, ରଜନୀ ଇଟିମାର୍ପୁ, ଦୀପ୍ଗ୍ରେସ୍ ଏକ୍କା, ରିନା ଖୋଖର, ମନ୍ପ୍ରୀତ୍ କୌର, ଗୁର୍ଜିତ୍ କୌର, ନିଶା, ନିକ୍କି ପ୍ରଧାନ, ମୋନିକା, ନେହା, ଲିଳିମା ମିଞ୍ଜ୍, ସୁଶୀଲା ଚାନୁ ପୁଖ୍ରମ୍ବାମ୍, ନମିତା ଟପ୍ପୋ, ରାଣୀ, ବନ୍ଦନା କାଟାରିୟା, ନଭ୍ଜ୍ୟୋତ୍ କୌର, ନଭ୍ନୀତ୍ କୌର, ରାଜୱିନ୍ଦର କୌର, ଉଦିତା, ରଶ୍ମିତା ମିଞ୍ଜ୍, ଜ୍ୟୋତି, ଗଗନଦୀପ କୌର, ମାରିଆନା କୁଜୁର, ସୁମନ ଦେବୀ ଥୌଡ଼ମ, ମହିମା ଚୌଧୁରୀ।