ନୂଆଦିଲ୍ଲୀ: ଦ୍ରୁତ ବୋଲର ଦୀପକ ଚହର ରବିବାର ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ଟି-୨୦ ଅନ୍ତର୍ଜାତୀୟ ଶୃଙ୍ଖଳାର ଫାଇନାଲ ମ୍ୟାଚ୍ରେ ହ୍ୟାଟ୍ରିକ୍ ଓ୍ଵିକେଟ୍ ନେଇ ଇତିହାସ ରଚିଛନ୍ତି। ଏବେ ଚହର କେବଳ ୩ ଦିନ ମଧ୍ୟରେ ଦ୍ୱିତୀୟ ସଫଳତା ହାସଲ କରିଛନ୍ତି। ରାଜସ୍ଥାନ ତରଫରୁ ଖେଳି ଚହର ମଙ୍ଗଳବାର ଥିରୁବନନ୍ତପୁରମରେ ବିଦର୍ଭ ବିପକ୍ଷରେ ସୟଦ ମୁସ୍ତାକ ଅଲି ଟ୍ରଫିରେ ହ୍ୟାଟ୍ରିକ୍ ନେଇଛନ୍ତି।
HAT-TRICK! D L Chahar (3.0-18-4) Vidarbha 99/9 #RAJvVID @paytm #MushtaqAliT20
— BCCI Domestic (@BCCIdomestic) November 12, 2019
ଭାରତୀୟ କ୍ରିକେଟର ଦୀପକ ଚହର (୨୭ ବର୍ଷ) ଦ୍ରୁତ ବୋଲିଂ କରି ୩ ଓଭରରେ ୧୮ ରନ୍ ଦେଇଛନ୍ତି। ସେ ୪ଟି ଓ୍ଵିକେଟ ନେଇଥିବା ବେଳେ ଏଥିରେ ହ୍ୟାଟ୍ରିକ ମଧ୍ୟ ସାମିଲ ଅଛି। ଚହରଙ୍କ ପ୍ରଭାବଶାଳୀ ବୋଲିଂ ଯୋଗୁଁ ରାଜସ୍ଥାନ ଟିମ ବିଦର୍ଭକୁ ୯ ଓ୍ଵିକେଟରେ ୯୯ ରନ୍ରେ ଅଟକାଇ ଦେଇଛି। ଚହରଙ୍କ ହ୍ୟାଟ୍ରିକରେ ଦର୍ଶନ ନାଲକଣ୍ଡେ, ଶ୍ରୀକାନ୍ତ ବାଘ ଓ ଅକ୍ଷୟ ଓ୍ଵାଡକର ଶିକାର ହୋଇଥିଲେ। ଏହି ସବୁ ଓ୍ଵିକେଟ ୧୩ତମ ଓଭରର ଶେଷ ୩ଟି ବଲରୁ ଅମଲ ହୋଇଥିଲା।
ଦୀପକ ରବିବାର ଟି-୨୦ ଅନ୍ତର୍ଜାତୀୟରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ରେକର୍ଡ ପ୍ରତିଷ୍ଠା କରିଥିଲେ। ସେ ମାତ୍ର ୭ ରନ ଦେଇ ୬ଟି ଓ୍ଵିକେଟ ନେଇଥିଲେ। ବାଂଲାଦେଶ ବିପକ୍ଷରେ ଭାରତ ଏହି ମ୍ୟାଚରେ ୩୦ ରନ୍ରେ ବିଜୟୀ ହୋଇଥିଲା। ଏଥି ସହିତ ଭାରତୀୟ ଟିମ୍ ଶୃଙ୍ଖଳାରେ ବାଂଲାଦେଶକୁ ୨-୧ରେ ପରାସ୍ତ କରିଥିଲା।