ଭୁବନେଶ୍ବର: ବିସିସିଆଇର ୨୦୨୩-୨୪ ଘରୋଇ କ୍ରିକେଟ୍ ଋତୁ ପାଖେଇ ଆସୁଥିବାବେଳେ ଓଡ଼ିଶାର ଦୁଇ ଆଗଧାଡ଼ିର ଖେଳାଳି ଏବେ ଅନ୍ୟ ରାଜ୍ୟର ପ୍ରଶିକ୍ଷଣ ଦାୟିତ୍ବ ସମ୍ଭାଳିଛନ୍ତି। ରାଜ୍ୟର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟର୍ ଦେବାଶିଷ ମହାନ୍ତି ଝାଡ଼ଖଣ୍ଡ ରଣଜୀ ଦଳର ଦାୟିତ୍ବ ନେଇଥିବା ବେଳେ ରଶ୍ମିରଂଜନ ପରିଡ଼ା ତ୍ରିପୁରା ୨୩ ବର୍ଷରୁ କମ୍ ଦଳର ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି।
ପୂର୍ବରୁ ଦେବାଶିଷ ୬ ଋତୁ (୨୦୧୧-୧୨ରୁ ୨୦୧୬-୧୭) ଧରି ଓଡ଼ିଶା ଦଳର ପ୍ରଶିକ୍ଷକ ଥିବାବେଳେ ପ୍ରଥମ ଥର ପାଇଁ ଏକ ରାଜ୍ୟ ଦଳର ଦାୟିତ୍ବ ନେଇଛନ୍ତି। ଭାରତ ପାଇଁ ୨ ଟେଷ୍ଟ ଏବଂ ୪୫ ଦିନିକିଆ ଖେଳିଥିବା ବିଗତ କିଛି ବର୍ଷ ଧରି ବିସିସିଆଇ ଜୁନିୟର୍ ଓ ସିନିୟର୍ ଚୟନକର୍ତା ଦାୟିତ୍ବ ଥିବାରୁ ପ୍ରଶିକ୍ଷଣ କରିପାରୁନଥିଲେ। ଗତବର୍ଷ ଏହି ଦାୟିତ୍ବରୁ ମୁକ୍ତି ପାଇବା ପରେ ଦେବାଶିଷ ଏବେ ପ୍ରଶିକ୍ଷଣକୁ ପୁଣି ପେସା ଭାବେ ପରଖିବାକୁ ସୁଯୋଗ ପାଇଛନ୍ତି। ‘ପ୍ରଥମ ଥର ପାଇଁ ରାଜ୍ୟ ବାହାର ଦଳର ଦାୟିତ୍ବ ନେଇଥିବାରୁ ନିଶ୍ଚିତ ଭାବେ ଆହ୍ବାନ ଆସିବ’ ବୋଲି ଦେବାଶିଷ ପ୍ରକାଶ କରିଛନ୍ତି। ଦେବାଶିଷଙ୍କୁ ନିଯୁକ୍ତ କରିଥିବାରୁ ଝାଡ଼ଖଣ୍ଡ ରାଜ୍ୟ କ୍ରିକେଟ୍ ସଂଘ (ଜେଏସସିଏ) ଅତ୍ୟନ୍ତ ଖୁସି ରହିଛି। ‘ଦେବାଶିଷ ଜଣେ ମହାନ ଖେଳାଳି। ଝାଡ଼ଖଣ୍ଡ କ୍ରିକେଟ୍ ଏବେ ପରିବର୍ତିତ ପରିସ୍ଥିତିରେ ଗତି କରୁଥିବାରୁ ତାଙ୍କ ଅଭିଜ୍ଞତା ନିଶ୍ଚିତ ଉପଯୋଗୀ ହେବ। ଯୁବ ଖେଳାଳିମାନଙ୍କୁ ବରିଷ୍ଠ ବର୍ଗରେ ଭଲ କରିବା ଦିଗରେ ସେ ନିଶ୍ଚିତ ଖେଳାଳିଙ୍କୁ ମୋଟିଭେଟ୍ କରିପାରିବେ।’ ବୋଲି ଜେଏସ୍ସିଏର ସମ୍ପାଦକ ଦେବାଶିଷ ଚକ୍ରବର୍ତୀ ‘ସମ୍ବାଦ’ ସହ କଥା ହେବାବେଳେ ଆତ୍ମବିଶ୍ବାସ ସ୍ବରରେ କହିଥିଲେ।
ମହେନ୍ଦ୍ର ସିଂହ ଧୋନିଙ୍କ ସେବା ସମ୍ପର୍କରେ ପ୍ରଶ୍ନ କରାଯିବାରୁ ଦେବାଶିଷ କହିଥିଲେ ମାହି ସବୁବେଳେ ଝାଡ଼ଖଣ୍ଡ କ୍ରିକେଟ୍ର ମାର୍ଗଦର୍ଶକ ଭାବେ ରହି ଆସିଛନ୍ତି। କେବଳ ପୁରୁଷ କି ମହିଳା ନୁହଁନ୍ତି ସମସ୍ତ ବର୍ଗର ଖେଳାଳିଙ୍କ ସହ ମିଶି ସେମାନଙ୍କୁ ପ୍ରେରଣା ଯୋଗାଉଛନ୍ତି। ତାଙ୍କ ପ୍ରେରଣା ହିଁ ଝାଡ଼ଖଣ୍ଡ କ୍ରିକେଟ୍କୁ ଆଗକୁ ନେଇଛି ବୋଲି ପ୍ରକାଶ କରିଥିଲେ ଦେବାଶିଷ ଚକ୍ରବର୍ତୀ। ଦେବାଶିଷ ମହାନ୍ତି ଦାୟିତ୍ବ ନେବା ସହ ଝାଡ଼ଖଣ୍ଡ ମଧ୍ୟ ଇତିମଧ୍ୟରେ ଆମନ୍ତ୍ରଣୀୟ ପ୍ରତିଯୋଗିତା ଖେଳିସାରିଛି ବୋଲି ସୂଚନା ମିଳିଛି। ଆସନ୍ତା ସପ୍ତାହରେ କଟକରେ ଖେଳାଯିବାକୁ ଥିବା ପ୍ରଥମ ବିସି ମହାନ୍ତି ସ୍ମାରକୀ କ୍ରିକେଟ୍ ପ୍ରତିଯୋଗିତା ଲାଗି ମଧ୍ୟ ଦେବାଶିଷ ଝାଡ଼ଖଣ୍ଡ ଦଳ ସହ କଟକ ଆସିବା କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, ଦେବାଶିଷଙ୍କ ଅବସରକୁ ଗୋଟିଏ ଦଶନ୍ଧି ଅତିକ୍ରମ କରିଥିବାବେଳେ ସେ ୧୧୭ ପ୍ରଥମ ଶ୍ରେଣୀ ମ୍ୟାଚ୍ରୁ ୪୧୭ ୱିକେଟ୍ ସହ ଓଡ଼ିଶାର ଅଗ୍ରଣୀ ବୋଲର୍ ଅଛନ୍ତି।
ଅନ୍ୟପକ୍ଷରେ ତ୍ରିପୁରା ପ୍ରଶିକ୍ଷକ ଦାୟିତ୍ବ ନେଇଥିବା ରଶ୍ମି ରଂଜନ ପରିଡ଼ା ମଧ୍ୟ ତିନିଟି (୨୦୧୭-୧୮ରୁ ୨୦୧୯-୨୦) ଋତୁ ପାଇଁ ଓଡ଼ିଶା ଦଳର ମୁଖ୍ୟ ପ୍ରଶିକ୍ଷକ ଥିଲେ। ରଶ୍ମିଙ୍କ ପ୍ରଶିକ୍ଷଣରେ ଓଡ଼ିଶା ଶେଷ ଥର ପାଇଁ ରଣଜୀ କ୍ବାର୍ଟରଫାଇନାଲ୍ ଖେଳିଥିଲା। ବ୍ୟାଟିଂ ପ୍ରଶିକ୍ଷକ ଏବଂ ଓସିଏ ଏକାଡେମି ପ୍ରଶିକ୍ଷକ ଭାବେ ମଧ୍ୟ କାର୍ଯ୍ୟ କରି ସେ ପ୍ରଚୁର ଅଭିଜ୍ଞତା ରଖିଛନ୍ତି। ଏକମାତ୍ର ଓଡ଼ିଆ ଭାବେ ଦୁଇ ଥର ରଣଜୀ ଟ୍ରଫି ଜିତିଥିବା ରଶ୍ମି ଏହି ଗୌରବ କେବଳ ରାଜସ୍ଥାନ ଦଳରୁ ପ୍ରତିନିଧିତ୍ବ ବେଳେ ପାଇଛନ୍ତି। ଓଡ଼ିଶା ସହିତ ଆସାମ, ରାଜସ୍ଥାନ, ହିମାଚଳପ୍ରଦେଶ, ବିଦର୍ଭ ପାଇଁ ୫ ରାଜ୍ୟ ଦଳରୁ ପ୍ରତିନିଧିତ୍ବ କରିବାର ବିରଳ କୀର୍ତ୍ତିମାନ ରଖିଛନ୍ତି। ଓଡ଼ିଶା ଓ ଆସାମ ଦଳର ଅଧିନାୟକତ୍ବ ମଧ୍ୟ କରିଥିଲେ ଏହି ଘରୋଇର କ୍ରିକେଟ୍ର ମହାନ ବ୍ୟାଟର୍। ଘରୋଇ କ୍ରିକେଟ୍ରେ ୧୩୯ ମ୍ୟାଚ୍ରୁ ୧୬ ଶତକ ସହିତ ୮୩୧୭ ରନ୍ ସଂଗ୍ରହ କରିଛନ୍ତି।