ଖେଳସୂଚୀ ଘୋଷଣାରେ ବିଳମ୍ବ, ମୁମ୍ବାଇ ଇଣ୍ଡିଆନ୍ସ ଓ କେକେଆର୍‌ ନିରାଶ

ଦୁବାଇ: ଆଇପିଏଲ୍‌ର ତ୍ରୟୋଦଶ ସଂସ୍କରଣ ଆରମ୍ଭ ହେବାକୁ ଆଉ ୩ ସପ୍ତାହ ସମୟ ରହିଥିବା ବେଳେ ୟୁଏଇରେ ଥିବା ଅଲଗା ସଙ୍ଗରୋଧ ନିୟମ କାରଣରୁ ଖେଳସୂଚୀ ଘୋଷଣାରେ ପ୍ରତିବଂଧକ ଆସିଛି। ଦୁଇ ଦେଶ ମଧ୍ୟରେ ଯାତାୟତ କଟକଣା ମଧ୍ୟ ରହିଛି। ନେଭେଟିଭ୍ ବ୍ୟକ୍ତି ହିଁ ସୀମା ପାର କରିପାରିବା ବ୍ୟବସ୍ଥା ରହିଛି। କୋଭିଡ୍‌-୧୯ ପ୍ରୋଟୋକଲ ଓ ଭ୍ରମଣ କଟକଣା କାରଣରୁ ହିଁ ଖେଳ ସୂଚୀକୁ ନେଇ ବିସିସିଆଇ ଅସୁବିଧାରେ ପଡିଛି। ସାରଜାରୁ ଦୁବାଇ ଯାତ୍ରା ଉପରେ କଟକଣା ନ ଥିବାରୁ ବିସିସିଆଇ ଆଇପିଏଲ୍‌ର ସମ୍ପୂର୍ଣ୍ଣ ପ୍ରଥମ ଚରଣକୁ ସାରଜା ଓ ଦୁବାଇରେ କରାଇବା ନେଇ ଯୋଜନା କରୁଛି। ଦ୍ବିତୀୟ ଚରଣ ମ୍ୟାଚ୍‌ଗୁଡିକ ଦୁବାଇଠାରୁ ୧୩୦ କିଲୋମିଟର୍ ଦୂର ଆବୁଧାବିରେ ଖେଳାଯିବା ନେଇ ବିଚାର ଚାଲିଛି। ୫୩ ଦିନିଆ ଏହି ୬୦ ମ୍ୟାଚ୍‌ ପ୍ରତିଯୋଗିତା ଅବସରରେ ଗ୍ରୀଷ୍ମ ପରିବେଶ ମଧ୍ୟ‌ ଖେଳାଳିଙ୍କ ପାଇଁ ଅନ୍ୟତମ ଅଡୁଆ ଆଣିବ ବୋଲି ଆଶଙ୍କା କରାଯାଉଛି।

ମୁମ୍ବାଇ ଇଣ୍ଡିଆନ୍ସ ଓ କେକେଆର୍‌ ନିରାଶ
ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ଦଳ ଅଭ୍ୟାସରୁ ବଞ୍ଚିତ ହୋଇ ନିରାଶା ଜାହିର କରିଛନ୍ତି। ୟୁଏଇରେ ଅଲଗା ସହରରେ ଅଲଗା ସଙ୍ଗରୋଧ ନିୟମ ଥିବାରୁ ଏହି ଦୁଇ ଦଳ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ରୋହିତ ଶର୍ମା ଏବଂ ଦୀନେଶ କାର୍ତିକଙ୍କ ଦଳ ଆବୁଧାବିରେ ଅବସ୍ଥାନ କରୁଛନ୍ତି। ଏଠାରେ ସଙ୍ଗରୋଧ ନିୟମ ୧୪ ଦିନ ରହିଛି। ଫଳରେ ସପ୍ତାହେ ହେବ ପହଞ୍ଚିଥିଲେ ମଧ୍ୟ ଅଭ୍ୟାସ ଆରମ୍ଭ କରିବା ସ୍ଥିତିକୁ ଆସିପାରିନାହାନ୍ତି। ଦୁବାଇରେ ୭ ଦିନିଆ ସଙ୍ଗରୋଧ ନିୟମ ଥିବାରୁ ଅନ୍ୟ ଦଳଗୁଡିକ ଅଭ୍ୟାସ ଲାଗି ପ୍ରସ୍ତୁତ ହୋଇଗଲେଣି। ବିସିସିଆଇକୁ ଏ କ୍ଷେତ୍ରରେ ହସ୍ତକ୍ଷେପ କରିବାକୁ ମୁମ୍ବାଇ ଇଣ୍ଡିଆନ୍ସର ଜଣେ ଅଧିକାରୀ ଅନୁରୋଧ କରିଛନ୍ତି। ମହାମାରୀ କାରଣରୁ ଆଇପିଏଲ୍‌-୧୩ ଏଥର ୟୁଏଇ ସ୍ଥାନାନ୍ତର ହୋଇଛି। ସେପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ପର୍ଯ୍ୟନ୍ତ ଏହା ଦୁବାଇ, ଆବୁଧାବି ଓ ସାରଜାରେ ଖେଳାଯିବ। ଭାରତ ଛାଡ଼ିବା ପୂର୍ବରୁ କିନ୍ତୁ ପ୍ରଥମ ପଜିଟିଭ୍‌ କେସ୍‌ ନଜରକୁ ଆସିଥିଲା। ରାଜସ୍ଥାନ ରୟାଲ୍ସର ‌କ୍ଷେତ୍ରରକ୍ଷକ ପ୍ରଶିକ୍ଷକ ଦିକ୍ଷାନ୍ତ ୟାଗ୍ନିକଙ୍କ ସ୍ବାବ ଟେଷ୍ଟ୍‌ ପଜିଟିଭ୍ ଆସିବା ପରେ ସେ ସୁସ୍ଥ ହୋଇ ଫେରିଛନ୍ତି।

ସମ୍ବନ୍ଧିତ ଖବର