ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)-୨୦୨୨ର ୬୪ତମ ମ୍ୟାଚ୍ରେ ପଂଜାବ କିଙ୍ଗ୍ସକୁ ୧୭ ରନ୍ରେ ପରାସ୍ତ କରିଛି ଦିଲ୍ଲୀ । ଦ୍ବିତୀୟ ପାଳିରେ ପଂଜାବ ୧୬୦ ରନ୍ର ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୯ ୱିକେଟ ହରାଇ ୧୪୨ ରନ୍ କରି ପରାସ୍ତ ହୋଇଛି । ପଂଜାବ ପକ୍ଷରୁ ଜିତେଶ ଶର୍ମା ସର୍ବାଧିକ ୪୪ ରନ୍ କରିଥିବା ବେଳେ ଜନି ବେୟାରଷ୍ଟୋ ୨୮ ଓ ଶିଖର ଧାୱନ ୧୯ ରନ୍ କରିଥିଲେ । ଅନ୍ୟ ପଟେ ଦିଲ୍ଲୀ ପକ୍ଷରୁ ଘାତକ ବୋଲିଂ ଦେଖିବାକୁ ମିଳିଥିଲା । ଶାର୍ଦ୍ଦୁଲ ଠାକୁର ୪ ୱିକେଟ ନେଇଥିବା ବେଳେ ଅକ୍ଷର ପଟେଲ, କୁଲଦୀପ ଯାଦବ ୨-୨ ୱିକେଟ ଓ ନର୍ଟେଜ୍ ଗୋଟେ ୱିକେଟ ନେଇ ଦିଲ୍ଲୀକୁ ବିଜୟ ଦେଇଥିଲେ । ଏହି ବିଜୟ ସହ ଦିଲ୍ଲୀ ୧୪ ପଏଣ୍ଟ ସଂଗ୍ରହ କରି ଟେବୁଲ ତାଲିକାର ୪ର୍ଥ ସ୍ଥାନରେ ରହିଛି ।
ଟସ୍ ଜିଣି ପଂଜାବ୍ର ଅଧିନାୟକ ମୟଙ୍କ ଅଗ୍ରଓ୍ଵାଲ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ପଂଜାବ ତରଫରୁ ଆମନ୍ତ୍ରଣ ମିଳିବା ପରେ ଦିଲ୍ଲୀ ବ୍ୟାଟିଂ କରିଥିଲା। ଋଷଭ ପନ୍ତଙ୍କ ନେତୃତ୍ୱରେ ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ଵିକେଟ୍ ହରାଇ ୧୫୯ ରନ୍ କରିଥିଲା। ଫଳରେ ପଂଜାବକୁ ୧୬୦ ରନ୍ର ବିଜୟ ଲକ୍ଷ୍ୟ ମିଳିଥିଲା।
ବିସ୍ଫୋରକ ବ୍ୟାଟର ଡେଭିଡ ଓ୍ଵାର୍ଣ୍ଣର ଓ ସରଫରାଜ ଖାନ୍ ଦିଲ୍ଲୀ କ୍ୟାପିଟାଲ୍ସର ପାଳି ଆରମ୍ଭ କରିଥିଲେ। ମାତ୍ର ଦିଲ୍ଲୀର ବ୍ୟାଟିଂ ବିପର୍ଯ୍ୟୟ ପ୍ରଥମ ବଲ୍ରୁ ହିଁ ଦେଖାଯାଇଥିଲା। ଓ୍ଵାର୍ଣ୍ଣର ମାତ୍ର ଗୋଟିଏ ବଲ୍ ସାମ୍ନା କରି ଆଉଟ୍ ହୋଇ ପାଭିଲିଅନ୍କୁ ଫେରିଯାଇଥିଲେ। କିନ୍ତୁ ସରଫରାଜ ଓ ମିଚେଲ ମାର୍ଶ ୨ୟ ଓ୍ଵିକେଟ୍ ପାଇଁ ୫୧ ରନ୍ ଯୋଡ଼ିଥିଲେ। ସରଫରାଜ ୧୬ ବଲ୍ ଖେଳି ୩୨ ରନ୍ କରିଥିଲେ। ସେ ୫ ଚୌକା ଓ ଗୋଟିଏ ଛକା ମାରିଥିଲେ।
ଦିଲ୍ଲୀ ପାଇଁ ମିଚେଲ ମାର୍ଶ ସର୍ବାଧିକ ୬୩ ରନ୍ ସଂଗ୍ରହ କରିଥିଲେ। ସେ ୪୮ ବଲ୍ର ସାମ୍ନା କରି ୪ ଚୌକା ଓ ୩ ଛକା ମାରିଥିଲେ। ଲଲିତ ଯାଦବ ୨୪ ରନ୍, ଅକ୍ଷର ପଟେଲ ଅପରାଜିତ ୧୭ ରନ୍, ଋଷଭ ପନ୍ତ ୭ ରନ୍ କରିଥିଲେ। ପଂଜାବ ପକ୍ଷରୁ ଲିଆମ୍ ଲିଭିଂଷ୍ଟୋନ୍ ଓ ଅର୍ଶଦୀପ ସିଂହ ୩-୩ ଓ୍ଵିକେଟ୍ ନେଇଥିଲେ। କାଗିସୋ ରାବଡ଼ାଙ୍କୁ ଗୋଟିଏ ଓ୍ଵିକେଟ୍ ମିଳିଥିଲା।