ନୂଆଦିଲ୍ଲୀ: ଲଗାତାର ପଞ୍ଚମ ପରାଜୟ ପରେ ଦିଲ୍ଲୀ କ୍ୟାପିଟାଲ୍ସ ପଏଣ୍ଟ ଖାତା ଖୋଲିଛି। ଗୁରୁବାର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ରେ ରାତିବେଳା ଖେଳାଯାଇଥିବା ବର୍ଷାବାଧାପ୍ରାପ୍ତ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) କୁ ୪ ୱିକେଟ୍ରେ ଦିଲ୍ଲୀ ପରାସ୍ତ କରିଛି। ଚଳିତ ସଂସ୍କରଣରେ ପ୍ରଥମ ମ୍ୟାଚ୍ ଖେଳିଥିବା ଇଶାନ୍ତ ଶର୍ମା ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଳେ। ବର୍ଷା ଯୋଗୁଁ ଘଣ୍ଟାଏ ବିଳମ୍ବରେ ମ୍ୟାଚ୍ ଆରମ୍ଭ ହୋଇଥିଲା ବେଳେ କେକେଆର୍ ପ୍ରଥମେ ବ୍ୟାଟିଂ କରି ୧୨୭ ରନ୍ କରିଥିଲା। ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଦିଲ୍ଲୀ ମଧ୍ୟ ସମାନ ଦଶା ଭୋଗିଥିଲା। କେବଳ ଡେଭିଡ୍ ୱାର୍ଣ୍ଣର ଅର୍ଦ୍ଧଶତକୀୟ ପାଳି ଖେଳି ଗୋଟିଏ ପଟ ସମ୍ଭାଳିଥିଲେ ବି ଇମ୍ପାକ୍ଟ ପ୍ଲେୟାର ଭାବେ ଆସିଥିବା ପୃଥ୍ବୀ ସ’ଙ୍କ ଖରାପ ପ୍ରଦର୍ଶନ ଜାରି ରହିଥିଲା। ପାୱାର ପ୍ଲେ ମଧ୍ୟରେ ଦିଲ୍ଲୀ ୬୧/୧ ସ୍କୋର କରିଥିଲା ବେଳେ ଅଷ୍ଟମ ଓଭର ପରଠୁ ୱିକେଟ୍ ଖସିବା ଧାରା ଆରମ୍ଭ ହୋଇଥିଲା। ମିଚେଲ ମାର୍ଶ, ଫିଲ୍ ସଲ୍ଟ ଏକ ଅଙ୍କ ରନ୍ କରି ଆଉଟ୍ ହେବା ପରେ ଦଳକୁ ଶତକର ନିକଟତର କରାଇ ୱାର୍ଣ୍ଣର ମଧ୍ୟ ନିଜ ୱିକେଟ୍ ହରାଇଥିଲେ। ମନୀଷ ପାଣ୍ଡେ ଦଳର ଦ୍ବିତୀୟ ସର୍ବାଧିକ ୨୧ ରନ୍ କରିଥିଲେ। ଅକ୍ଷର ପଟେଲ୍ ଶେଷ ପର୍ଯ୍ୟନ୍ତ ରକ୍ଷଣାତ୍ମକ ଖେଳି ୪ ବଲ୍ ପୂର୍ବରୁ ଦଳକୁ ଜିତାଇଥିଲେ। କେକେଆର୍ର ବରୁଣ ଚକ୍ରବର୍ତ୍ତୀ, ଅନୁକୁଳ ଓ ନୀତୀଶ ରାଣା ୨ ୱିକେଟ୍ ଲେଖାଏଁ ନେଇଥିଲେ।
ଏଥିପୂର୍ବରୁ ପ୍ରଥମ ଥର ଦିଲ୍ଲୀ କ୍ୟାପିଟାଲ୍ସର ବୋଲରମାନେ ଚମତ୍କାର ପ୍ରଦର୍ଶନ କରି କୋଲ୍କାତା ନାଇଟ୍ ରାଇଡର୍ସ (କେକେଆର୍)କୁ ତା’ ଘରେ ୧୨୭ ରନ୍ରେ ଅଲ୍ଆଉଟ୍ କରି ଦେଇଥିଲେ। କେବଳ ମିଚେଲ ମାର୍ଶଙ୍କୁ ଛାଡ଼ିଦେଲେ ଈଶାନ୍ତ ଶର୍ମା, ମୁକେଶ କୁମାର, ଅନ୍ରିକ୍ ନର୍ଖିୟା, ଅକ୍ଷର ପଟେଲ ଓ କୁଲଦୀପ ଯାଦବଙ୍କ ଇକୋନୋମି ୬.୦୦ ତଳେ ରହିଥିଲା। ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା କେକେଆର୍ ପକ୍ଷରୁ ପ୍ରାରମ୍ଭିକ ବ୍ୟାଟର ଜାସନ୍ ରଏ (୪୩, ୩୯ ବଲ୍) ଏକମାତ୍ର ଖେଳାଳି ଭାବେ ୪୦ରୁ ଅଧିକ ରନ୍ କରିପାରିଥିଲେ। ମନ୍ଦୀପ ସିଂହ (୧୨) ଓ ଆନ୍ଦ୍ରେ ରସେଲ୍ (୩୮) ଦୁଇ ଅଙ୍କ ଛୁଇଁଥିବା ଅନ୍ୟତମ ଖେଳାଳି ହୋଇଥିଲେ। ପ୍ରଥମରୁ ଈଶାନ୍ତ, ମୁକେଶ କୁମାର ଓ ନର୍ଖିୟା ପାୱାର ପ୍ଲେ ମଧ୍ୟରେ ଗୋଟିଏ ଲେଖାଏଁ ୱିକେଟ୍ ବାଣ୍ଟିନେଇଥିଲା ବେଳେ ରଏଙ୍କ ରକ୍ଷଣାତ୍ମକ ଖେଳ ଯୋଗୁଁ ଦଳ ୩୫ ରନ୍ ସଂଗ୍ରହ କରିଥିଲା। ନିୟମିତ ଅନ୍ତରାଳରେ ୱିକେଟ୍ ହରାଉଥିବା କେକେଆର୍ ରନ୍ ବାହାର କରିବାକୁ ସଂଘର୍ଷ କରୁଥିଲା ବେଳେ ୧୫ତମ ଓଭରରେ କୁଲଦୀପ ଯାଦବ ହ୍ୟାଟ୍ରିକ ସୁଯୋଗ ସୃଷ୍ଟି କରିଥିଲେ। ଚତୁର୍ଥ ବଲ୍ରେ ଅର୍ଦ୍ଧଶତକ ଆଡ଼କୁ ଅଗ୍ରସର ହେଉଥିବା ରଏଙ୍କୁ ବ୍ୟାକୱାର୍ଡ ସ୍କୋୟାରରେ ଆଉଟ୍ କରିବା ପରେ ପରବର୍ତ୍ତୀ ବଲ୍ରେ ଅନୁକୁଳ ରଏଙ୍କୁ ଏଲ୍ବିଡବ୍ଲୁ କରିଥିଲେ। ତେବେ ଶେଷ ବଲ୍ରେ ଉମେଶ ଯାଦବ ବଲ୍କୁ ଉଠାଇ ମାରିଥିଲେ, କିନ୍ତୁ ତାହା ସୁରକ୍ଷିତ ଜାଗାରେ ପଡ଼ିବାରୁ ହ୍ୟାଟ୍ରିକ ହୋଇପାରିନଥିଲା। ଈଶାନ୍ତ, ନର୍ଖିୟାଙ୍କ ସହିତ ଦୁଇ ସ୍ପିନର ଅକ୍ଷର ପଟେଲ ଓ କୁଲ୍ଦୀପ ଯାଦବ ପ୍ରତ୍ୟେକ ୨ ଲେଖାଏଁ ୱିକେଟ୍ ଦଖଲ କରିଥିଲେ। ଶେଷ ଓଭରରେ ରସେଲ ଲଗାତାର ତିନୋଟି ଛକା ମାରି ଦଳକୁ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଥିଲେ।