ଦିଲ୍ଲୀ,ବାଙ୍ଗାଲୋର୍‌ ପ୍ଲେ ଅଫ୍‌ରେ

କ୍ବାଲିଫାୟାର୍‌-୧ରେ ମୁମ୍ବାଇ-ଦିଲ୍ଲୀ ଭେଟ

ଆବୁଧାବି: ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌କୁ ୬ ୱିକେଟ୍‌ରେ ହରାଇ ଦିଲ୍ଲୀ କ୍ୟାପିଟାଲ୍ସ ପ୍ଲେ ଅଫ୍‌ ଯୋଗ୍ୟତା ଅର୍ଜନ କରିଛି। କେବଳ ଯୋଗ୍ୟତା ନୁହେଁ ପଏଣ୍ଟ୍‌ ଟେବୁଲ୍‌ ଦ୍ବିତୀୟ ସ୍ଥାନକୁ ପକ୍କା କରି ମୁମ୍ବାଇ ଇଣ୍ଡିଆନ୍ସ ସହ ନଭେମ୍ବର ୫ ତାରିଖରେ (ଗୁରୁବାର) କ୍ବାଲିଫାୟର୍‌-୧ ଖେଳିବାକୁ ମଧ୍ୟ ଦିନ ଧାର୍ଯ୍ୟ କରି ନେଇଛି। ବିରାଟ କୋହଲିଙ୍କ ଦଳ ଦିଲ୍ଲୀକୁ ୧୭.୨ ଓଭର ପୂର୍ବରୁ ଜିତିବା ସୁଯୋଗ ନ‌ ଦେବା ମଧ୍ୟ ଏହି ଦଳ ପାଇଁ ଫାଇଦା ଆଣିଛି। ନିଜ ନେଟ୍‌ ରନ୍‌ ରେଟ୍‌କୁ କେକେଆର୍‌ ତଳକୁ ଖସିବାକୁ ନ ଦେବାରୁ ଆର୍‌ସିବି ମଧ୍ୟ ନିଜ ପ୍ଲେ ଅଫ୍‌ ସୁଯୋଗକୁ ନିଶ୍ଚିତ କରିଛି। ଅର୍ଥାତ୍‌ ସୋମବାର ମ୍ୟାଚ୍‌ରେ ବିଜୟୀ ହୋଇ ଦିଲ୍ଲୀ ଏବଂ ପରାଜୟ ହେବା ସତ୍ତ୍ବେ ବାଙ୍ଗାଲୋର୍‌ ପ୍ଲେ ଅଫ୍‌ ଯୋଗ୍ୟତା ଅର୍ଜନ କରି ନେଇଛନ୍ତି। ଚତୁର୍ଥ ଦଳ ଭାବେ କିଏ ଯିବ, ତାହା ଏବେ ମଙ୍ଗଳବାର ଖେଳାଯିବାକୁ ଥିବା ମୁମ୍ବାଇ ଇଣ୍ଡିଆନ୍ସ ବନାମ ସନ୍‌ରାଇଜର୍ସ ହାଇଦ୍ରାବାଦ ମୁକାବିଲାରୁ ସ୍ପଷ୍ଟ ହେବ। ବହୁ ପୂର୍ବରୁ ଉନ୍ନତ ନେଟ୍‌ ରନ୍‌ ରେଟ୍ ରଖିଥିବାରୁ ହାଇଦ୍ରାବାଦକୁ ସିଧାସଳଖ ବିଜୟ ହିଁ ପ୍ଲେ ଅଫ୍‌ ‌ନେବାର ଏକମାତ୍ର ବିକଳ୍ପ ରଖିଛି। ହାଇଦ୍ରାବାଦ ହାରିଲେ ଏବେ ଚତୁର୍ଥ ସ୍ଥାନରେ ଥିବା କୋଲକାତା ଯୋଗ୍ୟତା ଅର୍ଜନ କରି‌ନେବ। ବାଙ୍ଗାଲୋର୍ ସହିତ ଏଲିମିନେଟର୍‌ ଖେଳିବା ଦୌଡ଼ରେ ଏବେ କୋଲକାତା କିମ୍ବା ହାଇଦ୍ରାବାଦ ରହିଲେ। ହାଇଦ୍ରାବାଦ ଭାଗ୍ୟ କିନ୍ତୁ ନିଜ ହାତରେ ରହିଛି।

ସୋମବାର ଯୁବ ତାରକା ଖଚିତ ଦିଲ୍ଲୀ କ୍ୟାପିଟାଲ୍ସ ବିରାଟ କୋହଲିଙ୍କ ଦଳ ସମ୍ମୁଖରେ ୧୫୩ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା। ଏଥି ସହିତ ପ୍ଲେ ଅଫ୍‌ ପାଇଁ ଦିଲ୍ଲୀକୁ କେବଳ ବିଜୟ କିମ୍ବା ଅନ୍ୟୁନ ୧୩୪ ରନ୍‌ କରି ପରାଜୟ ବରଣର ସୁଯୋଗ ଦିଆଯାଇଥିଲା। ବିରାଟ କୋହଲିଙ୍କ ଦଳକୁ ବି ଯୋଗ୍ୟତା ଅର୍ଜନ ଲାଗି ଦିଲ୍ଲୀକୁ ୧୭.୩ ଓଭର ପୂର୍ବରୁ ବାଟ ନ ଛାଡ଼ିବାର ଆବଶ୍ୟକତା ଥିଲା। ଯାହା ଆର୍‌ସିବି କରିବାରେ ସକ୍ଷମ ହୋଇଥିଲା। ଦ୍ବିତୀୟ ସ୍ଥାନରେ ରହିବାର ସୌଭାଗ୍ୟ କିନ୍ତୁ ଦିଲ୍ଲୀ ହା‌ତେଇ ନେଇଥିଲା। ଫର୍ମକୁ ନେଇ ସଂଘର୍ଷରତ ଅଜିଙ୍କ୍ୟ ରାହାଣେଙ୍କ ଚମତ୍କାର ପ୍ରତ୍ୟାବର୍ତନ (୬୦, ୪୬ ବଲ୍‌) ଏବଂ ଲୟରେ ଥିବା ଶିଖର ଧାୱନ (୫୪, ୪୧ ବଲ୍‌)ଙ୍କ ସମୟୋପଯୋଗୀ ଅର୍ଧଶତକ ଦିଲ୍ଲୀକୁ ଦ୍ବିତୀୟ ସ୍ଥାନରେ ପହଞ୍ଚାଇବାର ସୌଭାଗ୍ୟ ଦେଇଥିଲା। ଗୋଟିଏ ଓଭର ପୂର୍ବରୁ ଦିଲ୍ଲୀ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା। ଚମତ୍କାର ବୋଲିଂ କରିଥିବା ଅନରିକ୍‌ ନର୍ଖିୟା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ପ୍ଲେ ଅଫ୍‌ ଯୋଗ୍ୟତା ଅର୍ଜନ ଲାଗି ନେଟ୍‌ ରନ୍‌ ରେଟ୍‌ ଦ୍ବନ୍ଦ୍ବଠୁ ଦୂରେଇ ରହିବା ପାଇଁ ‌ସୋମବାର ଲଢ଼େଇରେ ନିଶ୍ଚିତ ବିଜୟ ଆବଶ୍ୟକ କରୁଥିଲେ ଉଭୟ ଦଳ। ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିତି କ୍ଷେତ୍ରରକ୍ଷଣ କରିବାକୁ ପସନ୍ଦ କରିଥିଲା। ଜୋସ୍ ଫିଲିପ୍‌ ଏବଂ ଦେବଦତ୍ତ ପଡ଼ିକଲ୍‌ ବାଙ୍ଗାଲୋର୍ ପାଳି ଆରମ୍ଭ କରିଥିଲେ। ସତର୍କପୂର୍ଣ୍ଣ ବ୍ୟାଟିଂ କରିଥିଲେ ମଧ୍ୟ କାଗିସୋ ରବାଦା ଫିଲିପଙ୍କୁ ଆଉଟ୍ କରି ଦିଲ୍ଲୀକୁ ପ୍ରଥମ ସଫଳତା ‌ଦେଇଥିଲେ। ଏହା ପରେ ପଡ଼ିକଲଙ୍କ ସହ ଯୋଗ ଦେଇ ବିରାଟ କୋହଲି ୫୭ ରନ୍ ଯୋଡ଼ି ସ୍ଥିତି ସମ୍ଭାଳି ନେଇଥିଲେ। ଜୀବନଦାନରୁ ଫାଇଦା ଉଠାଇନପାରି କୋହଲି (୨୯, ୨୪ ବଲ) ଆର୍ ଅଶ୍ବିନଙ୍କ ଶିକାର ହୋଇଥିଲେ। ପଡ଼ିକଲ୍ ମଧ୍ୟ ନିଜ ପଞ୍ଚମ ଅର୍ଧଶତକ ହାସଲ କରିବାର ପରବର୍ତ୍ତୀ ବଲ୍‌ରେ ଅନରିକ୍‌ ନର୍ଖିୟାଙ୍କ ଦ୍ବାରା ବୋଲ୍ଡ ହୋଇଯାଇଥିଲେ। କ୍ରିସ୍ ମୋରିସ୍‌ ପୁଣି ଥରେ ପ୍ରଭାବହୀନ ରହି ଶୂନରେ ଆଉଟ୍ ହେବା ଆର୍‌ସିବିକୁ ଚିନ୍ତାରେ ପକାଇଥିଲା। ଶେଷ ଭାଗରେ ଏବି ଡି’ଭିଲିୟର୍ସ (୩୫, ୨୧ ବଲ୍‌) ଏବଂ ଶିଭମ ଦୁବେ (୧୭, ୧୧ ବଲ) ନିଜ ଶ୍ରେଷ୍ଠ ପ୍ରୟାସ କରିଥିଲେ। ଡି’ଭିଲିୟର୍ସଙ୍କ ରନ୍‌ ଆଉଟ୍ ଆର୍‌ସିବିର ଆଶାଜନକ ସ୍କୋର୍‌ଠାରୁ ଦଳକୁ ଦୂରେଇ ରଖିଥିଲା। ଦିଲ୍ଲୀ ପାଇଁ ଡାନିଏଲ୍ ସାମ୍ସଙ୍କ ବ୍ୟତୀତ ଅନ୍ୟ ସମସ୍ତ ବୋଲର୍ ଭଲ ବୋଲିଂ କରିଥିଲେ। ଦୁଇ ଦକ୍ଷିଣ ଆଫ୍ରିକୀୟ ଦ୍ରୁତ ବୋଲର ଅନରିକ୍ ନର୍ଖିୟା (୩/୩୩) ଏବଂ କାଗିସୋ ରବାଦା (୨/୩୦) ସବୁଠୁ ପ୍ରଭାବୀ ରହିଥିଲେ। ତଥାପି ଶେଷ ୪ ଓଭରରୁ ୪୦ ରନ୍ ଯୋଡ଼ି ଆର୍‌ସିବି ସମ୍ମାନଜନକ ସ୍କୋର୍‌ ଛିଡ଼ା କରିଥିଲା।

ସମ୍ବନ୍ଧିତ ଖବର