ନୂଆଦିଲ୍ଲୀ : ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୩ର ୫୦ତମ ମ୍ୟାଚରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ୭ ୱିକେଟରେ ଦିଲ୍ଲୀ କ୍ୟାପିଟାଲ ପରାସ୍ତ କରିଛି। ବାଙ୍ଗାଲୋରର ୧୮୨ ରନର ଟାର୍ଗେଟକୁ ପିଛା କରି ଦ୍ବିତୀୟ ପାଳିରେ ଦିଲ୍ଲୀ ୩ ୱିକେଟ ହରାଇ ୧୬.୪ ଓଭରରେ ୧୮୭ ରନ କରି ବିଜୟୀ ହୋଇଛି। ଦିଲ୍ଲୀର ଅଧିନାୟକ ଡେଭିଡ ୱାର୍ନର ଓ ଫିଲିପ ସାଲ୍ଟ ଓପନିଂ କରିଥିଲେ। ବ୍ୟକ୍ତିଗତ ଭାବେ ୨୨ ରନ କରି ୱାର୍ନର ଆଉଟ ହୋଇଥିବାବେଳେ ଦ୍ବିତୀୟ ୱିକେଟ ଭାବେ ମିଚେଲ ମାର୍ସ ଆସି ୨୬ ରନ କରି ଆଉଟ ହୋଇଯାଇଥିଲେ। କିନ୍ତୁ ଫିଲିଫ ୮୭ ରନ କରି ଆଉଟ ହୋଇଥିଲେ ବି ଖେଳର ସ୍ଥିତିକୁ ସୁଦୃଢ଼ କରିଦେଇଥିଲେ। ପରେ ରିଲି ରସୌ ଓ ଅକ୍ଷର ପଟେଲ ଶେଷ ପର୍ଯ୍ୟନ୍ତ ରହି ଖେଳର ମୁଣ୍ଡି ମାରିଥିଲେ। ରିଲି ୩୫ ରନ କରିଥିବାବେଳେ ଅକ୍ଷର ୮ ରନ କରିଥିଲେ। ବାଙ୍ଗାଲୋର ପକ୍ଷରୁ ଜୋସ ହାଜେଲଉଡ, କର୍ଣ୍ଣ ଶର୍ମା ଓ ହର୍ସଲ ପଟେଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।
ଏହି ମ୍ୟାଚରେ ବାଙ୍ଗାଲୋର ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ ଓପନ କରିଥିବା ଅଧିନାୟକ ଫାଫ୍ ଡୁପ୍ଲେସିସ୍ ଓ ବିରାଟ କୋହଲି ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । କୋହଲି ୫୫ରନ କରିଥିବାବେଳେ ଡୁପ୍ଲେସିସ୍ ୪୫ରନ କରିଥିଲେ । ମାତ୍ର ଗ୍ଲେନ ମାକ୍ସଓ୍ବେଲ ଖାତା ଖୋଲିପାରିନଥିଲେ । କିନ୍ତୁ ମହିପାଲ ଲାମରୋର ଲଢୁଆ ବ୍ୟାଟିଂ କରି ୨୯ଟି ବଲରେ ୩ ଛକା ୬ ଚୌକା ସହ ଅପରାଜିତ ୫୪ରନ କରିଥିଲେ । ତେବେ ଦିନେଶ କାର୍ତ୍ତିକ ମାତ୍ର ୧୧ ରନ କରି ଆଉଟ ହୋଇଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ବିକେଟ ହରାଇ ୧୮୧ ରନ କରିଥିଲା ।
ଦିଲ୍ଲୀ ପକ୍ଷରୁ ମିଚେଲ ମାର୍ସ ୨ଟି ଓ୍ବିକେଟ ନେଇଥିବାବେଳେ ଖଲିଲ ଅହମ୍ମଦ ଓ ମୁକେଶ କୁମାର ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।
ଶନିବାର ଖେଳାଯାଇଥିବା ଆଇପିଏଲର ପ୍ରଥମ ମ୍ୟାଚରେ ଚେନ୍ନାଇ ଦଳ ଏକତରଫା ଭାବେ ମୁମ୍ବାଇକୁ ୬ ଓ୍ବିକେଟରେ ହରାଇ ଦେଇଥିଲା ।