ଚେନ୍ନାଇକୁ ହରାଇଦେଲା ଦିଲ୍ଲୀ

ନୂଆଦିଲ୍ଲୀ: ଆଇପିଏଲ୍‌-୧୧ର ୫୨ତମ ମ୍ୟାଚ୍‌ରେ ଶୁକ୍ରବାର ଘରୋଇ ଦିଲ୍ଲୀ ଡେୟାର୍‌ ଡେଭିଲ୍‌ସ ୩୪ ରନ୍‌ରେ ଦୁଇ ଥର ବିଜେତା ଚେନ୍ନାଇ ସୁପର୍‌ କିଙ୍ଗ୍‌ସକୁ ହରାଇ ଦେଇଛି। ଏହି ଫଳାଫଳର କୌଣସି ଗୁରୁତ୍ୱ ରହିନଥିଲେ ମଧ୍ୟ ଚେନ୍ନାଇ ପଏଣ୍ଟ୍‌ ଟେବୁଲ୍‌ ଶୀର୍ଷକୁ ଫେରିବାରୁ ବଞ୍ଚିତ ହୋଇଛି। ଦିଲ୍ଲୀର ୧୬୨ ରନ୍‌ ଜବାବରେ ଚେନ୍ନାଇ ୧୨୮/୬ରେ ସୀମିତ ରହିବା ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା। ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ୧୩ ମ୍ୟାଚ୍‌ରୁ ପଞ୍ଚମ ପରାଜୟ ବରଣ କରିଥିଲା। ପ୍ଲେ ଅଫ୍‌ ଦୌଡ଼ରୁ ବାଦ୍‌ ପଡ଼ିସାରିଥିବା ଦିଲ୍ଲୀ ତ୍ରୟୋଦଶ ମ୍ୟାଚ୍‌ରୁ ଚତୁର୍ଥ ବିଜୟ ପାଇ କେବଳ ସାନ୍ତ୍ୱନା ଅର୍ଜନ କରିଛି। ଚେନ୍ନାଇ ଟସ୍‌ ଜିତି ପ୍ରଥମେ କ୍ଷେତ୍ରରକ୍ଷଣ କରିଥିଲା। ଦିଲ୍ଲୀ କିନ୍ତୁ ଆକ୍ରମଣାତ୍ମକ ଖେଳିବା ପରିବର୍ତେ ମନ୍ଥର ଆରମ୍ଭ କରିଥିଲା। ପୃଥ୍ଵୀ ସ’ ୧୦ ବଲ୍‌ରୁ ୫ ରନ୍‌ କରିବା ପରେ ପ୍ରଥମ ଛକା ମାରିଥିଲେ। କିନ୍ତୁ ଏହି ୧୮ ବର୍ଷୀୟ ମୁମ୍ବାଇ ତାରକା ୧୭ ବଲ୍‌ରୁ ୧୭ ରନ୍‌ କରିବା ପରେ ଦୀପକ ଚହରଙ୍କ ବଲ୍‌ରେ ସାର୍ଦୁଲ ଠାକୁରଙ୍କୁ କ୍ୟାଚ୍‌ ଦେଇ ଫେରିଥିଲେ। ଅଧିନାୟକ ଶ୍ରେୟସ ଆୟର୍‌ (୧୯, ୨୨ ବଲ୍‌, ୩ ଚୌକା)ଙ୍କୁ ଦକ୍ଷିଣ ଆଫ୍ରିକୀୟ ଦ୍ରୁତ ବୋଲର୍‌ ଲୁଙ୍ଗି ଏନ୍‌ଗିଡ଼ି ବୋଲ୍‌ଡ କରି ଦେଇଥିଲେ। ଋଷବ ପନ୍ତ୍‌ (୩୮, ୨୬ ବଲ୍‌, ୩ ଚୌକା, ୨ ଛକା) ଆକର୍ଷଣୀୟ ପାଳି ଖେଳିଥିଲେ ମଧ୍ୟ ଏନ୍‌ଗିଡିଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ୧୫ ଓଭରରେ ୧୦୦ ରନ୍‌ ଟପିଥିବା ଦିଲ୍ଲୀକୁ କିନ୍ତୁ ଆହ୍ଵାନଭରା ସ୍କୋର୍‌ ଦେଇଥିଲେ ଦୁଇ ଭାରତୀୟ ତାରକା ବିଜୟ ଶଙ୍କର (୩୬*, ୨୮ ବଲ୍‌, ୨ ଚୌକା, ୨ ଛକା) ଏବଂ ହର୍ଷଲ ପଟେଲ୍‌ (୩୬*, ୧୬ ବଲ୍‌, ୧ ଚୌକା, ୪ ଛକା)। ବିଶେଷ କରି ଶେଷ ଓଭର ବୋଲିଂ କରିଥିବା ଡ୍ଵାନ୍‌ ବ୍ରାଭୋଙ୍କୁ ହର୍ଷଲ ୪ ଛକା ମାରିବା ସହିତ ୨୬ ରନ୍‌ ଆଦାୟ କରିବା ଦିଲ୍ଲୀକୁ ମ୍ୟାଚ୍‌କୁ ଫେରାଇଥିଲା। ଏନ୍‌ଗିଡି (୩-୦-୧୪-୨) ଚେନ୍ନାଇର ସଫଳତମ ବୋଲର ଥିଲେ।

ଜବାବରେ ଚେନ୍ନାଇ ସେନ୍‌ ଓ୍ଵାଟ୍‌ସନ୍‌ (୧୪), ସୁରେଶ ରାଇନା (୧୫) ଏବଂ ସାମ୍‌ ବିଲିଙ୍ଗସ୍‌ (୧)ଙ୍କୁ ଶସ୍ତାରେ ହରାଇଥିଲା। ପ୍ରଥମ ୫ ଓଭରରେ ଦଳ ୨୨ ରନ୍‌ କରିଥିଲା। ଷଷ୍ଠ ଓଭରରେ ୨୨ ରନ୍‌ (ଅଭେଶ ଖାନ୍‌-ଅମ୍ବାତି ରାୟୁଡୁ) ଆଦାୟ କରି ପାଓ୍ଵାର ପ୍ଳେ (୪୪/୦) ଅଭିଯାନ ଶେଷ କରିଥିଲା। ଅମ୍ବାତି ରାୟୁଡୁ (୫୦, ୨୯ ବଲ୍‌, ୪ ଚୌକା, ୪ ଛକା) ଆଉ ଏକ ଅର୍ଧଶତକ ହାସଲ କରି ନେଇଥିଲେ ମଧ୍ୟ ପରବର୍ତୀ ବଲ୍‌ରେ ଆଉଟ୍‌ ହୋଇଯାଇଥିଲେ। ମହେନ୍ଦ୍ର ସିଂହ ଧୋନି (୧୭, ୨୩ ବଲ୍‌)ଙ୍କ ଉତ୍ସାହବିହୀନ ପାଳି ଚେନ୍ନାଇକୁ ବିପଦରେ ପକାଇଥିଲା। ରବୀନ୍ଦ୍ର ଜାଦେଜା (୨୭*, ୧୮ ବଲ୍‌, ୨ ଛକା) ନିଷ୍ଫଳ ପ୍ରୟାସ କରିଥିଲେ। ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ ପାଇଁ ହର୍ଷଲ୍‌ ପଟେଲ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସଂକ୍ଷିପ୍ତ ସ୍କୋର୍‌: ଦିଲ୍ଲୀ ଡେୟାର୍‌ ଡେଭିଲ୍‌ସ: ୨୦ ଓଭରରେ ୧୬୨/୫ (ଋଷବ ପନ୍ତ୍‌-୩୮, ବିଜୟ ଶଙ୍କର-୩୬*, ହର୍ଷଲ ପଟେଲ୍‌-୩୬*, ଲୁଙ୍ଗି ଏନ୍‌ଗିଡି-୨/୧୪, ରବୀନ୍ଦ୍ର ଜାଦେଜା-୧/୧୯, ଦୀପକ ଚହର୍‌-୧/୨୩, ସାର୍ଦୁଲ ଠାକୁର୍‌-୧/୨୭)। ଚେନ୍ନାଇ ସୁପର୍‌ କିଙ୍ଗ୍‌ସ: ୨୦ ଓଭରରେ ୧୨୮/୬ (ଅମ୍ବାତି ରାୟୁଡୁ-୫୦, ମହେନ୍ଦ୍ର ସିଂହ ଧୋନି-୧୭, ରବୀନ୍ଦ୍ର ଜାଦେଜା-୨୭*, ଟ୍ରେଣ୍ଟ୍‌ ବୋଲ୍‌ଟ-୨/୨୦, ଅମିତ୍‌ ମିଶ୍ରା-୨/୨୦, ସନ୍ଦୀପ ଲମିଛାନେ-୧/୨୧, ହର୍ଷଲ୍‌ ପଟେଲ୍‌-୧/୨୩)।

ସମ୍ବନ୍ଧିତ ଖବର