ଦିଲ୍ଲୀର ଲଗାତାର ଦ୍ୱିତୀୟ ବିଜୟ

ଧୋନି ବାହିନୀର ଦ୍ୱିତୀୟ ପରାଜୟ

ଦୁବାଇ : ଆଇପିଏଲ୍‌-୧୩ର ଶୁକ୍ରବାର ମ୍ୟାଚ୍‌ରେ ଚେନ୍ନାଇ ସୁପର୍‌ କିଙ୍ଗ୍ସକୁ ୪୪ ରନ୍‌ରେ ପରାସ୍ତ କରି ଦିଲ୍ଲୀ କ୍ୟାପିଟାଲ୍ସ ପଏଣ୍ଟ୍‌ ଟେବୁଲ୍ ଶୀର୍ଷକୁ ଉନ୍ନୀତ ହୋଇଛି। ପ୍ରଥମ ଦଳ ଭାବେ ଦିଲ୍ଲୀ ୨ରୁ ୨ ବିଜୟ ହାସଲ କରିଥିବା ବେଳେ ଉଦ୍‌ଘାଟନୀ ମ୍ୟାଚ୍‌ରେ ବିଜେତା ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଥିବା ଚେନ୍ନାଇ ସୁପର୍ କିଙ୍ଗ୍ସ ଲଗାତାର ପରାଜୟ ବରଣ କରିଛି। ଶୁକ୍ରବାର ଶ୍ରେୟସ ଆୟରଙ୍କ ଯୁବ ତାରକା ଖଚିତ ଦିଲ୍ଲୀ ୧୭୫/୩ରେ ସୀମିତ ରହିବା ପରେ ‌ମହେନ୍ଦ୍ର ସିଂହ ଧୋନିଙ୍କ ଦଳକୁ ୧୩୧/୭ରେ ଅଟକାଇ ଦେଇଥିଲା। ପୃଥ୍ବୀ ସ’ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ଦୁବାଇ ଇଣ୍ଟରନ୍ୟାସନାଲ୍ କ୍ରିକେଟ୍ ଷ୍ଟାଡିୟମ୍‌ରେ ମହେନ୍ଦ୍ର ସିଂହ ଧୋନି ଶୁକ୍ରବାର ଟସ୍ ଜିତି ପ୍ରଥମେ କ୍ଷେତ୍ରରକ୍ଷଣ କରିବାକୁ ପସନ୍ଦ କରିଥିଲେ। ପ୍ରଥମରୁ ସତର୍କତାର ସହ ବ୍ୟାଟିଂ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ପୃଥୀ ସ’ ଏବଂ ଶିଖର ଧାୱନ ଯୋଡ଼ି ୯୪ ରନ୍‌ର ଭାଗୀଦାରି ଗଢ଼ିଥିଲେ। ପାୱାର ପ୍ଲେ ଭିତରେ ୱିକେଟ୍ ହରାଇନଥିଲେ ମଧ୍ୟ ୩୬ ରନ୍ ଉଠାଇଥିଲେ। ପ୍ରଥମରୁ ସଂଘର୍ଷ କରିଥିବା ଧାୱନ (୩୫, ୨୭ ବଲ୍‌)ଙ୍କୁ ଲେଗ୍ ସ୍ପିନର୍‌ ପୀୟୂଷ ଚାୱଲା ଲେଗ୍ ବିଫୋର କରି ଦିଲ୍ଲୀକୁ ପ୍ରଥମ ଝଟକା ଦେଇଥିଲେ। ଗୋଟିଏ ଓଭର ବ୍ୟବଧାନ ପରେ ପୃଥୀ ସ’ଙ୍କୁ (୬୪, ୪୩ ବଲ) ଚାୱଲା ଦ୍ବିତୀୟ ଶିକାର କରିଥିଲେ। ଦ୍ବାଦଶ ଓଭରରେ ୧ ୱିକେଟ୍ ହରାଇ ୧୦୦ ରନ୍ ଅତିକ୍ରମ କରିଥିବା ଦିଲ୍ଲୀ ସମ୍ଭାବ୍ୟ ୨୦୦ ରନ୍ କରିବ ବୋଲି ଆଶା କରାଯାଉଥିଲା। ମଧ୍ୟକ୍ରମରେ ଦୁଇ ବିଦେଶୀ ବୋଲର ସାମ୍ କରନ୍ ଏବଂ ଜୋସ୍ ହାଜେଲ୍‌ଉଡ୍‌ ନିୟନ୍ତ୍ରିତ ବୋଲିଂ କରିବାରୁ ଦିଲ୍ଲୀ ରନ୍‌ ଗତି ବାନ୍ଧି ହୋଇ ରହିଥିଲା। ତେବେ ଅଧିନାୟକ ଶ୍ରେୟସ ଆୟର (୨୬, ୨୨ ବଲ) ଏବଂ ୱିକେଟରକ୍ଷକ ଋଷବ ପନ୍ତ (୩୭*, ୨୫ ବଲ)ଙ୍କ ମଧ୍ୟରେ ୫୮ ରନ୍ ଭାଗୀଦାରି ବଳରେ ଦିଲ୍ଲୀ ୧୭୫ ରନ୍ କରିପାରିଥିଲା। ୧୯ତମ ଓଭରରେ ସାମ୍ କରନ ମାତ୍ର ୪ ରନ୍ ଦେଇ ଆୟରଙ୍କ ୱିକେଟ୍ ନେବା ଦିଲ୍ଲୀକୁ ମଧ୍ୟ ଆହ୍ବାନଭରା ସ୍କୋର୍‌ ହାସଲରୁ ରୋକିଥିଲା। ଚେନ୍ନାଇର ଦ୍ବିତୀୟ ସ୍ପିନର୍‌ ଭୂମିକା ତୁଲାଉଥିବା ରବୀନ୍ଦ୍ର ଜାଦେଜା ଲଗାତାର ତୃତୀୟ (୨/୪୨, ୦/୪୦, ୦/୪୪) ମ୍ୟାଚ୍‌ରେ ୪୦ରୁ ଊର୍ଧ୍ବ ରନ୍ ବ୍ୟୟ କରିବା ମଧ୍ୟ ଚିନ୍ତା ବଢ଼ାଇଛି।

ଜବାବରେ ମୁରଲୀ ବିଜୟ ଏବଂ ସେନ୍ ୱାଟସନ୍‌ ପାୱାର ପ୍ଲେ ଭିତରେ ପ୍ୟାଭିଲିଅନ୍ ଫେରିଯିବାରୁ ଚେନ୍ନାଇ ସୁପର୍‌ କିଙ୍ଗ୍ସ ପ୍ରାରମ୍ଭିକ ସଙ୍କଟରେ ପଡ଼ିଥିଲା। ପୃଥୀ ସ’ଙ୍କ କ୍ୟାଚ୍ ହାତଛଡ଼ାରୁ ବର୍ତ୍ତିଥିଲେ ମଧ୍ୟ ୱାଟସନ୍ ଏହାର ଫାଇଦା ଉଠାଇ ପାରିନଥିଲେ। ଋତୁରାଜ ଗାଏକ୍ବାଡ ମଧ୍ୟ ରନ୍‌ ଆଉଟ୍ ହୋଇ ସିଏସକେକୁ ୪୪/୩ରେ ସଂଘର୍ଷ କରିବାକୁ ସୁଯୋଗ ଦେଇଥିଲେ। ଫାପ୍ ଡୁ ପ୍ଲେସିସଙ୍କ ସହ ଯୋଗ ଦେଇ କେଦାର ଯାଦବ (୨୬, ୨୧ ବଲ୍) ୫୪ ରନ୍ ଭାଗୀଦାରି ପ୍ରତିଷ୍ଠା କରିଥ‌ିଲେ ମଧ୍ୟ ବଡ଼ ପାଳି ଖେଳିପାରିନଥିଲେ। ଦକ୍ଷିଣ ଆଫ୍ରିକୀୟ ଦ୍ରୁତ ବୋଲର ଅନରିଚ୍ ନୋର୍ଜେଙ୍କ ଦ୍ବିତୀୟ ଶିକାର ହୋଇଥିଲେ କେଦାର ଯାଦବ। ରନ୍ ଚାପ ବଢ଼ିବା ପରେ ଫାପ୍ ଡୁ ପ୍ଲେସିସ୍ (୪୩, ୩୫ ବଲ)ଙ୍କୁ ରବାଦା ଆଉଟ୍ କରି ଦେଇଥିଲେ। ୬ ନମ୍ବରରେ ଆସିଥିବା ମହେନ୍ଦ୍ର ସିଂହ ଧୋନି ଏବଂ ‌ରବୀନ୍ଦ୍ର ଜାଦେଜାଙ୍କ ପାଇଁ ଆଉ ବିଜୟ ଛଡ଼ାଇନେବା ସୁଯୋଗ ନ ଥିଲା। କାଗିସୋ ରବାଦା (୩/୨୬), ଅନିରିଚ୍ ନର୍ଜେ (୨/୨୧) ଏବଂ ଅକ୍ଷର ପଟେଲ୍ (୧/୧୮) ଉତ୍ସାହହୀନ ଚେନ୍ନାଇକୁ ୧୩୧/୭ ରୋକିବାରେ ପ୍ରମୁଖ ଭୂମିକା ତୁଲାଇଥିଲେ।

ସମ୍ବନ୍ଧିତ ଖବର