ରାଜସ୍ଥାନକୁ ଦାବିଲା ଦିଲ୍ଲୀ

ନୂଆଦିଲ୍ଲୀ : ଦିଲ୍ଲୀ କ୍ୟାପିଟାଲ୍ସ ଶନିବାର ୫ ୱିକେଟ୍‌ରେ ପ୍ରଥମ ବିଜେତା ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ତା’ ସହ ଚଳିତ ଆଇପିଏଲ୍‌ରେ ନବମ ବିଜୟ ହାସଲ କରିଛି। ସେପଟେ ରାଜସ୍ଥାନ ଅଷ୍ଟମ ପରାଜୟ ବରଣ କରିଛି। ଶନିବାରର ସହଜ ବିଜୟ ପରେ ଦିଲ୍ଲୀ ଲିଗ୍ ପର୍ଯ୍ୟାୟର ମୋଟ ୧୪ ମ୍ୟାଚ୍‌ରୁ ୯ ବିଜୟ ଓ ୫ ପରାଜୟ ସହ ୧୮ ପଏଣ୍ଟ ଅର୍ଜନ କରିଛି। ରାଜସ୍ଥାନ ସେହି ୧୪ ମୁକାବିଲାରୁ ୫ ବିଜୟ ଏବଂ ୮ ପରାଜୟ ସହ ୧୦ ପଏଣ୍ଟରେ ତା’ର ଅଭିଯାନ ଶେଷ କରିଛି। ପୂର୍ବରୁ‌ ପ୍ଲେ ଅଫରେ ସ୍ଥାନ ପକ୍କା କରି ନେଇଥିବା ଦିଲ୍ଲୀ କିନ୍ତୁ ଶୀର୍ଷରେ ରହି ଏହି ପର୍ଯ୍ୟାୟକୁ ଯିବାର ସମ୍ଭାବନା ଉଭେଇ ଯାଇଛି। ଶନିବାରର ଏହି ସ୍ବଳ୍ପ ରନ୍ ବିଶିଷ୍ଟ ମୁକାବିଲାରେ ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ମାତ୍ର ୧୧୯ ରନ୍ କରିଥିଲା। ଦିଲ୍ଲୀର ପୁରୁଖା ଦ୍ରୁତ ବୋଲର ଈଶାନ୍ତ ଶର୍ମା (୪-୦-୩୮-୩)ଙ୍କ ତିନିଟି ଝଟ୍‌କାରେ ରାଜସ୍ଥାନ ପୂରା ଦୋହଲି ଯାଇଥିଲା। ୱିକେଟ୍ ରକ୍ଷକ ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନ୍ ରନ୍ ଆଉଟ୍ ହେବା ମଧ୍ୟ ରାଜସ୍ଥାନ ପାଇଁ ଆଉ ଏକ ବଡ଼ କ୍ଷତି ଥିଲା। ପାୱାର ପ୍ଲେର ୬ ଓଭରରେ ୪ ଜଣ ଶୀର୍ଷସ୍ତରୀୟ ବ୍ୟ‌ାଟ୍ସମ୍ୟାନଙ୍କୁ ହରାଇଥିବା ରାଜସ୍ଥାନ ପରେ ଟ୍ରେଣ୍ଟ ବୋଲ୍ଟ (୪-୦-୨୭-୨) ଓ ଅମିତ ମିଶ୍ରା (୪-୦-୧୭-୩)ଙ୍କ ଘାତକ ବୋଲିଂର ସମ୍ମୁଖୀନ ହୋଇ ନପାରି ଏକ ସମ୍ମାନଜନକ ସ୍କୋରରୁ ବଞ୍ଚିତ ହୋଇଥିଲା। ଦଳର ୧୮ ବର୍ଷୀୟ ଯୁବ ତାରକା ରିଆନ ପରାଗ (୫୦ ରନ୍, ୪୯ ବଲ୍, ୪ ଚୌକା, ୨ ଛକା)ଙ୍କ ଉପଯୋଗୀ ଅର୍ଧଶତକ ବଳରେ ହିଁ ରାଜସ୍ଥାନ ଶହେ ଟପିଥିଲା। ଏହାର ଜବାବରେ ଦିଲ୍ଲୀ ୨୮ ରନ୍‌ରେ ୨ ୱିକେଟ୍ ହରାଇବା ସତ୍ତ୍ବେ ଋଷବ ପନ୍ତ (୫୩* ରନ୍, ୩୮ ବଲ୍, ୨ ଚୌକା, ୫ ଛକା)ଙ୍କ ଅପରାଜିତ ଅର୍ଧଶତକ ବଳରେ ୩.୫ ଓଭର ପୂର୍ବରୁ ବିଜୟୀ ହୋଇଥିଲା। ଈଶ୍ ସୋଢ଼ୀଙ୍କୁ ଛକା ମାରି ପନ୍ତ ୧୬.୧ ଓଭରରେ ଦିଲ୍ଲୀକୁ ବିଜୟୀ କରାଇଥିଲେ।

ସଂକ୍ଷିପ୍ତ ସ୍କୋର: ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୧୧୫/୯ (ରିଆନ ପରାଗ ୫୦, ଶ୍ରେୟସ୍ ଗୋପାଳ ୧୨, ଅମିତ ମିଶ୍ର ୩/୧୭, ଈଶାନ୍ତ ଶର୍ମା ୩/୩୮, ଟ୍ରେଣ୍ଟ ବୋଲ୍ଟ ୨/୨୭)। ଦିଲ୍ଲୀ କ୍ୟାପିଟାଲ୍ସ ୧୨୧/୫ (ଋଷବ ପନ୍ତ ୫୩*, ଶିଖର ଧାୱନ ୧୬, ଶ୍ରେୟସ୍ ଆୟର ୧୫,ଇଶ୍ ସୋଢ଼ୀ ୩/୨୮, ଶ୍ରେୟସ୍ ଗୋପାଳ ୨/୨୧)।

ପରାଗ ସର୍ବକନିଷ୍ଠ ଅର୍ଧଶତକ ହାସଲକାରୀ
ରାଜସ୍ଥାନ ରୟାଲ୍ସ ତା’ ଶେଷ ଲିଗ୍ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସଠାରୁ ପରାଜିତ ହୋଇଥିଲା। ହେଲେ ଏହି ଦଳର ଯୁବ ତାରକା ରିଆନ ପରାଗ ଏକ ବିରଳ କୀର୍ତ୍ତିମାନ କରି ନେଇଥିଲେ। ୫୦ ରନ୍ କରି ସେ ଆଇପିଏଲ୍ ଇତିହାସର ସର୍ବକନିଷ୍ଠ ଅଧର୍ଶତକ ହାସଲକାରୀ ପାଲଟି ଯାଇଥିଲେ। ଏହି କ୍ରମରେ ପରାଗ ରାଜସ୍ଥାନର ଅନ୍ୟତମ ପ୍ରତିଭାବାନ ଖେଳାଳି ତଥା ୱିକେଟ୍ ରକ୍ଷକ ସଞ୍ଜୁ ସାମସନଙ୍କୁ ଟପିଥିଲେ। ଶନିବାର ସେ ମାତ୍ର ୧୭ ବର୍ଷ ୧୭୫ ଦିନରେ ଅର୍ଧଶତକ ହାସଲ କରିଲେ। ଅନ୍ୟପକ୍ଷରେ ସାମସନ୍ ୨୦୧୩ ମସିହାରେ ୧୮ ବର୍ଷ ୧୬୯ ଦିନରେ ଏହାକୁ ଛୁଇଁଥିଲେ। ଆବୁ ନଚିମଙ୍କ ପରେ ପରାଗ ଆସାମର ଦ୍ବିତୀୟ ଖେଳାଳି ଭାବେ ଆଇପିଏଲ୍ ଖେଳିବାର ଗୌରବ ମଧ୍ୟ ଅର୍ଜନ କରିଛନ୍ତି।

ସମ୍ବନ୍ଧିତ ଖବର