ଆଇପିଏଲ୍ ୨୦୨୦: ଚେନ୍ନାଇ ସୁପର କିଙ୍ଗସକୁ ୪୪ ରନରେ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ

ଦୁବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍‌(ଆଇପିଏଲ)ର ତ୍ରୟୋଦଶ ସଂସ୍କରଣର ୭ମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ୍ ଲଗାତର ଦ୍ବିତୀୟ ପରାଜୟ ବରଣ କରିଛି।  ବ୍ୟାଟସମ୍ୟାନମାନଙ୍କର ବିଫଳ ପ୍ରଦର୍ଶନ ଫଳରେ ୧୭୬ ରନର ବିଜୟ ଲକ୍ଷ ହାସଲ କରି ନ ପାରି ଦିଲ୍ଲୀ କ୍ୟାପିଟାଲ୍ସ ନିକଟରୁ ୪୪ ରନରେ ହାରିଯାଇଛି ଚେନ୍ନାଇ।

ଚେନ୍ନାଇର ଦୁଇ ଓପନର ସେନ୍ ୱାଟସନ୍ ଓ ମୂରଲୀ ବିଜୟ ଯଥାକ୍ରମେ ୧୪ ଓ ୧୦ ରନରେ ଆଉଟ୍ ହୋଇଯାଇଥିଲେ। ଏହାପରେ ଋତୁରାଜ ଗାଏକୱାଡ୍ ମାତ୍ର ୫ ରନ କରି ପାଭଲିଅନକୁ ଫେରିଯାଇଥିଲେ। ପରେ ଫାପ୍ ଡୁପ୍ଲେସିସ୍ ଓ କେଦାର ଯାଦବ ବ୍ୟାଟିଂ ସ୍ଥିତି ବଞ୍ଚାଇବାକୁ ପ୍ରୟାସ କରିଥିଲେ। ମାତ୍ର ରନ ସଂଗ୍ରହ ଧିମା ପଡ଼ିଯାଇଥିଲା। ଫାଫ୍ ଡୁପ୍ଲେସିସ୍ ୪୩(୩୫) ଓ କେଦାର ଯାଦବ ୨୬ (୨୧) କରି କ୍ରିଜରୁ ବିଦାୟ ନେଇଥିଲେ। ଏହାପରେ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନୀ ପଡ଼ିଆକୁ ଆସି ମ୍ୟାଚ ସୁଧାରିବାକୁ ଚାହିଁଥିଲେ, ମାତ୍ର ସେ ୧୫ ରନ୍ କରି ଆଉଟ୍ ହୋଇଯାଇଥିଲେ। ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ ହରାଇ ଚେନ୍ନାଇ ଦଳ ୧୩୧ ରନ କରିବାକୁ ସକ୍ଷମ ହୋଇଥିଲା। ଦିଲ୍ଲୀ କ୍ୟାପିଟାଲ୍ସର କାଗିସୋ ରବାଦା ୨୬ ରନ ଦେଇ ୩ ଉଇକେଟ୍ ଓ ଅନରିକ୍ ନର୍ଖିଆ ୨୧ ରନ ଦେଇ ୨ ଉଇକେଟ୍ ହାସଲ କରି ସଫଳ ସାବ୍ୟସ୍ତ ହୋଇଛନ୍ତି।

Photo: Cricbuzz

ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଆଜି ଆଇପିଏଲ ୨୦୨୦ର ୭ମ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା  । ଚେନ୍ନାଇ ସୁପରକିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂ ଧୋନି ଟସ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ବ୍ୟାଟିଂ ଲାଗି ପଡ଼ିଆକୁ ଓହ୍ଲାଇଥିଲା  ଦିଲ୍ଲୀ କ୍ୟାପିଟାଲ୍ସ।

ଦିଲ୍ଲୀର ଓପନର ପୃଥ୍ୱୀ ସ ବିସ୍ଫୋରକ ବ୍ୟାଟିଂ କରି ଇନିଂସ ଆରମ୍ଭ କରିଥିଲେ । ସେ ୪୩ଟି ବଲ ଖେଳି ୬୪ ରନ ସଂଗ୍ରହ କରିଥିଲେ । ଏଥିରେ ୯ଟି ଚୌକା ଓ ଗୋଟିଏ ଛକା ସାମିଲ ଥିଲା । ଟିମର ଅନ୍ୟତମ ଓପନର ଶିଖର ଧାୱନ ୩ଟି ଚୌକା ଓ ଗୋଟିଏ ଛକା ବଳରେ ବ୍ୟକ୍ତିଗତ ୩୫ ରନ୍ ସଂଗ୍ରହ କରିଥିଲେ । ସେହପରି ଅଧିନାୟକ ଶ୍ରେୟସ ଆୟାର ୨୨ଟି ବଲରୁ ଗୋଟିଏ ଚୌକା ସହିତ ୨୬ ରନ ସଂଗ୍ରହ କରିଥିଲେ । ଟିମ ପାଇଁ ଋଷଭ ପନ୍ତ ଅପରାଜିତ ୩୭ ରନ ଓ ମାର୍କସ ଷ୍ଟୋଇନିସ ଅପରାଜିତ ୫ ରନ୍ କରିଥିଲେ । ଏଥିସହ ନିର୍ଦ୍ଧାରିତ ୨୦ ଓଭର ଖେଳି ଚେନ୍ନାଇ ସୁପର କିଙ୍ଗସ୍‌କୁ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ ।

ଚେନ୍ନାଇ ସୁପର କିଙ୍ଗ୍‌ସ ତରଫରୁ ପିୟୁଷ ଚାୱଲା ୪ ଓଭର ବୋଲିଂ କରି ୩୩ ରନ ଦେଇଥିଲେ ଓ ସେ ୨ଟି ୱିକେଟ ଅକ୍ତିଆର କରିଥିଲେ । ସେହିଭଳି ସାମ କୁରାନଙ୍କୁ ଗୋଟିଏ ୱିକେଟ ମିଳିଥିଲା । କୁରାନ ନିଜର ୪ ଓଭର ବୋଲିଂରେ ୨୭ ରନ ଖର୍ଚ୍ଚ କରିଥିଲେ ।

ସମ୍ବନ୍ଧିତ ଖବର