ନୂଆଦିଲ୍ଲୀ: ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି ଟେଷ୍ଟ କ୍ରିକେଟକୁ ଅଲବିଦା କହିଥିବା ବେଳେ ଶ୍ରୀଲଙ୍କାର ଅଭିଜ୍ଞ ଖେଳାଳି ତଥା ତୃତୀୟ ସର୍ବାଧିକ ରନ୍ ସ୍କୋରର ଆଞ୍ଜେଲୋ ମାଥ୍ୟୁସ୍ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। 

Advertisment

ଜୁନ୍‌ରେ ଗାଲେ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ବାଂଲାଦେଶ ବିପକ୍ଷରେ ଖେଳାଯିବାକୁ ଥିବା ଟେଷ୍ଟ ମ୍ୟାଚ୍ ପରେ ୩୭ ବର୍ଷୀୟ ମାଥ୍ୟୁସ୍ ଏହି ଫର୍ମାଟରୁ ଅବସର ନେବେ। ମାଥ୍ୟୁସ୍ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ପାଇଁ ବି ଖେଳିଛନ୍ତି।

ମାଥ୍ୟୁସ୍ ୨୦୦୯ ମସିହାରେ ଗାଲେରେ ପାକିସ୍ତାନ ବିପକ୍ଷରେ ତାଙ୍କର ଟେଷ୍ଟ ଡେବ୍ୟୁ କରିଥିଲେ। ୧୬ ବର୍ଷର କ୍ୟାରିୟରରେ ସେ ଶ୍ରୀଲଙ୍କାର ତୃତୀୟ ସର୍ବାଧିକ ରନ୍ ସ୍କୋରର ହୋଇ ପାରିଛନ୍ତି। ଆଞ୍ଜେଲୋ ମାଥ୍ୟୁସ୍ ୧୧୮ଟି ଟେଷ୍ଟ ମ୍ୟାଚ୍ ଖେଳି ୪୪.୬୨ ହାରରେ ୮,୧୬୭ ରନ୍ ସଂଗ୍ରହ କରିଛନ୍ତି। ଏଥିରେ ୧୬ଟି ଶତକ ଏବଂ ୪୫ଟି ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ ରହିଛି। 

ମାଥ୍ୟୁସ୍ ସୋସିଆଲ ମିଡିଆରେ ଲେଖିଛନ୍ତି - ଅନ୍ତର୍ଜାତୀୟ ଟେଷ୍ଟ କ୍ରିକେଟକୁ ବିଦାୟ ଦେବାର ସମୟ ଆସି ଯାଇଛି!  ଗତ ୧୭ ବର୍ଷ ଧରି ଶ୍ରୀଲଙ୍କା ପାଇଁ କ୍ରିକେଟ ଖେଳିବା ମୋର ସବୁଠାରୁ ବଡ଼ ସମ୍ମାନ ଏବଂ ଗର୍ବର ବିଷୟ। ଜାତୀୟ ଜର୍ସି ପିନ୍ଧିଲେ ମନରେ ଯେଉଁ ଦେଶପ୍ରେମ ଏବଂ ସେବାର ଭାବନା ଜାତ ହୋଇ୍‌ଥାଏ ତାହା ଠାରୁ  ବଡ଼ ମୋ ପାଇଁ ଆଉ କିଛି ନାହିଁ। ମୁଁ କ୍ରିକେଟକୁ ମୋର ସର୍ବସ୍ୱ ଦେଇଛି ଏବଂ ପ୍ରତିବଦଳରେ କ୍ରିକେଟ ମୋତେ ସବୁକିଛି ଦେଇଛି ।’