ଫାଇନାଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ : ଏଲିମିନେଟର୍‌ ଖେଳିବେ ମୁମ୍ବାଇ ଇଣ୍ଡିଆନ୍ସ-ୟୁପି ୱାରିୟର୍ସ

ମୁମ୍ବାଇ: ଦିଲ୍ଲୀ କ୍ୟାପିଟାଲ୍ସ ଦଳ ସିଧାସଳଖ ଭାବେ ଚଳିତ ମହିଳା ପ୍ରିମିୟର୍‌ ଲିଗ୍‌ର ଫାଇନାଲ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ମଙ୍ଗଳବାର ଅନ୍ତିମ ଲିଗ୍ ମ୍ୟାଚ୍‌ରେ ମେଗ୍‌ ଲାନିଙ୍ଗ୍‌ଙ୍କ ଦଳ ୫ ୱିକେଟ୍‌ରେ ୟୁପି ୱାରିୟର୍ସକୁ ପରାସ୍ତ କରିଥିଲା। ଏହି ବିଜୟ ସହିତ ଦିଲ୍ଲୀ କ୍ୟାପିଟାଲ୍‌ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ସମାନ ୧୨ ପଏଣ୍ଟରେ ଟାଇ‌ କରିଥିଲେ। କିନ୍ତୁ ଉନ୍ନତ ନେଟ୍ ରନ୍‌ ରେଟ୍ (ଏନ୍‌ଆର୍‌ଆର୍‌) କାରଣରୁ ଦିଲ୍ଲୀ ଟାଇଟଲ୍ ଲଢ଼େଇରେ ସିଧାସଳଖ ପହଞ୍ଚିଯାଇଛି। ମୁମ୍ବାଇ ଇଣ୍ଡିଆନ୍ସ ଶୁକ୍ରବାର ୟୁପି ୱାରିୟର୍ସ ସହ ଏଲିମିନେଟର୍ ‌ଖେଳି ଫାଇନାଲ୍‌ ଖେଳିବାର ଦ୍ବିତୀୟ ସୁଯୋଗ ପାଇବ। ଏହି ମ୍ୟାଚ୍‌ର ବିଜେତା ରବିବାର ଦିଲ୍ଲୀ କ୍ୟାପିଟାଲ୍‌ସ ସହ ଫାଇନାଲ୍ ଖେଳିବ।

ମଙ୍ଗଳବାର ୟୁପି ୱାରିୟର୍ସ ଭଲ ଆରମ୍ଭ କରିଥିଲେ ମଧ୍ୟ ନିୟମିତ ବ୍ୟବଧାନରେ ୱିକେଟ୍‌ ହରାଇବା ସହ ରନ୍‌ ହାରକୁ ବଢ଼ାଇ ପାରିନଥିଲା। ତାହିଲା ମ୍ୟାକ୍‌ଗ୍ରା (୫୮*, ୩୨ ବଲ୍‌, ୮ ଚୌକା, ୨ ଛକା) ଆକର୍ଷଣୀୟ ଅର୍ଦ୍ଧଶତକ ହାସଲ କରିବାରୁ ୟୁପି ୧୩୮ ରନ୍‌ ପର୍ଯ୍ୟନ୍ତ ପହଞ୍ଚିଥିଲା। ଜବାବରେ ଦିଲ୍ଲୀ ବିନା ଅସୁବିଧାରେ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା। ୧୩ ବଲ୍‌ ପୂର୍ବରୁ ମେଗ୍‌ ଲାନିଙ୍ଗ୍‌ଙ୍କ ଦଳ ୫ ୱିକେଟ୍‌ ହରାଇ ବିଜୟୀ ହୋଇଥିଲା। ଅଲ୍ ରାଉଣ୍ଡ୍ ପ୍ରଦର୍ଶନ କରିଥିବାରୁ ଆଲିସା କ୍ୟାପ୍‌ସେ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସଂକ୍ଷିପ୍ତ ସ୍କୋର: ୟୁପି ୱାରିୟର୍ସ ୨୦ ଓଭରରେ ୧୩୮/୬ (ତାହିଲା ମ୍ୟାକ୍‌ଗ୍ରା-୫୮*, ଆଲିସା ହିଲି-୩୬, ଶ୍ବେତା ସେରାୱତ-୧୯, ଆଲିସ କ୍ୟାପ୍‌ସେ-୩/୨୬, ରାଧା ୟାଦବ-୨/୨୮, ଜେସ୍‌ ୟୋନାସେନ୍‌-୧/୨୪)। ଦିଲ୍ଲୀ କ୍ୟାପିଟାଲ୍ସ-୧୭.୫ ଓଭରରେ ୧୪୨/୫ (‌ମେଗ୍ ଲାନିଙ୍ଗ-୩୯, ମାରିଜାନ୍ କାପ୍‌-୩୪*, ଆଲିସ୍ କାପ୍‌ସେ-୩୪, ସବନିମ୍ ଇସମାଇଲ୍‌-୨/୨୯, ସୋଫି ଏସେଲଷ୍ଟୋନ୍‌-୧/୨୫, ସୋପଧଣ୍ଡି ଯଶଶ୍ରୀ-୧/୨୬)।

ସମ୍ବନ୍ଧିତ ଖବର