ଆଇପିଏଲ୍‌-୨୦: ଚେନ୍ନାଇ ସୁପର କିଙ୍ଗସ୍ ଆଗରେ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଦିଲ୍ଲୀ କ୍ୟାପିଟାଲ୍ସ

ଦୁବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍‌(ଆଇପିଏଲ)ର ତ୍ରୟୋଦଶ ସଂସ୍କରଣର ୭ମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ୍‌କୁ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି ଦିଲ୍ଲୀ କ୍ୟାପିଟାଲ୍ସ । ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଆଜି ଜାରି ରହିଥିବା ମ୍ୟାଚରେ ଚେନ୍ନାଇ ଟିମ୍‌ର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଧୋନୀଙ୍କ ଆମନ୍ତ୍ରଣ ପରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରିବା ପାଇଁ ପଡ଼ିଆକୁ ଓହ୍ଲାଇଥିଲା ।

ଦିଲ୍ଲୀ ଟିମ୍‌ର ଓପନର ପୃଥ୍ୱୀ ସ ବିସ୍ଫୋରକ ବ୍ୟାଟିଂ କରିଥିଲେ । ସେ ୪୩ଟି ବଲ ଖେଳି ୬୪ ରନ ସଂଗ୍ରହ କରିଥିଲେ । ଏଥିରେ ୯ଟି ଚୌକା ଓ ଗୋଟିଏ ଛକା ସାମିଲ ଥିଲା । ଟିମର ଅନ୍ୟତମ ଓପନର ଶିଖର ଧାୱନ ୩ଟି ଚୌକା ଓ ଗୋଟିଏ ଛକା ବଳରେ ବ୍ୟକ୍ତିଗତ ୩୫ ରନ୍ ସଂଗ୍ରହ କରିଥିଲେ । ସେହପରି ଅଧିନାୟକ ଶ୍ରେୟସ ଆୟାର ୨୨ଟି ବଲରୁ ଗୋଟିଏ ଚୌକା ସହିତ ୨୬ ରନ ସଂଗ୍ରହ କରିଥିଲେ । ଟିମ ପାଇଁ ଋଷଭ ପନ୍ତ ଅପରାଜିତ ୩୭ ରନ ଓ ମାର୍କସ ଷ୍ଟୋଇନିସ ଅପରାଜିତ ୫ ରନ୍ କରିଥିଲେ ।

ଚେନ୍ନାଇ ସୁପର କିଙ୍ଗ୍‌ସ ତରଫରୁ ପିୟୁଷ ଚାୱଲା ୪ ଓଭର ବୋଲିଂ କରି ୩୩ ରନ ଦେଇଥିଲେ ଓ ସେ ୨ଟି ୱିକେଟ ଅକ୍ତିଆର କରିଥିଲେ । ସେହିଭଳି ସାମ କୁରାନଙ୍କୁ ଗୋଟିଏ ୱିକେଟ ମିଳିଥିଲା । କୁରାନ ନିଜର ୪ ଓଭର ବୋଲିଂରେ ୨୭ ରନ ଖର୍ଚ୍ଚ କରିଥିଲେ ।

ସମ୍ବନ୍ଧିତ ଖବର