ଆଇପିଏଲ୍‌-୧୩: ରାଜସ୍ଥାନ ରୟାଲ୍ସକୁ ୧୩ ରନ୍‌ରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ

ଦୁବାଇ:  ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ଚଳିତ ଆଇପିଏଲର ୩୦ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୧୩ ରନ୍‌ରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ। ଦ୍ବିତୀୟ ପାଳିରେ ୧୬୨ ରନ୍‌ର ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୮ ୱିକେଟ ହରାଇ ୧୪୮ ରନ୍‌ କରି ପରାଜୟ ବରଣ କରିଛି ରାଜସ୍ଥାନ ରୟାଲ୍ସ । ରାଜସ୍ଥାନ ରୟାଲ୍ସ ପକ୍ଷରୁ ପ୍ରଥମରୁ ଦମ୍‌ଦାର ବ୍ୟାଟିଂ ଦେଖିବାକୁ ମିଳିଥିଲା । ଜସ୍ ବଟଲର୍ ୯ ବଲରେ ୨୨ ରନ୍‌ କରିଥିବା ବେଳେ ବେନ୍ ଷ୍ଟୋକ୍ସ ୩୫ ବଲରେ ୪୧ ରନ୍‌ କରିଥିଲେ । ସେହିପରି ସଞ୍ଜୁ ସାମସନ୍ ୧୮ ବଲରେ ୨୫ ରନ୍‌ ରବିନ୍‌ ଉଥାପ୍ପା ୨୭ ବଲରେ ୩୨ ରନ୍‌ କରିଥିଲେ । ଅନ୍ୟପଟେ ଦିଲ୍ଲୀ ପକ୍ଷରୁ ଅନ୍ରିଚ୍ ନର୍ଖିଆ, ତୁଷାର ଦେଶପାଣ୍ଡେ ୨-୨ଟି ୱିକେଟ ନେଇଥିବା ବେଳେ ରବିଚନ୍ଦ୍ରନ୍ ଅଶ୍ୱିନ୍, କାଗିସୋ ରାବାଡା ଓ ଅକ୍ଷର ପଟେଲ ମଧ୍ୟ ୧-୧ ୱିକେଟ ନେଇ ଦିଲ୍ଲୀକୁ ବିଜୟ ଦେଇଥିଲେ ।  ଦିଲ୍ଲୀ କ୍ୟାପିଟାଲ୍ସ ଏହି ବିଜୟ ସହ ୧୨ ଅଙ୍କ ସଂଗ୍ରହ କରି ଦଳ ତାଲିକାରେ ପ୍ରଥମ ସ୍ଥାନରେ ରହିଛି ।

ପୂର୍ବରୁ ଦିଲ୍ଲୀ ଟସ ଜିଣି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଦିଲ୍ଲୀ ଦଳ ପ୍ରଥମରୁ ଦୁଇଟି ଓ୍ବିକେଟ ହରାଇ ସଂକଟର ସମ୍ମୁଖୀନ ହୋଇଥିଲା । ଦଳ ପ୍ରଥମ ଓଭରରେ ଓପନର ପୃଥ୍ବୀ ସ’ ଙ୍କୁ ହରାଇଥିଲା । ସେହିପରି ଦଳୀୟ ସ୍କୋର ମାତ୍ର ୧୦ ରନ ହୋଇଥିବା ବେଳେ ଅଭିଜ୍ଞ ଅଜିଙ୍କ୍ୟ ରାହାଣେଙ୍କ ଓ୍ବିକେଟ ହରାଇଥିଲା । ତେବେ ଅନ୍ୟତମ ଓପନର ଶିଖର ଧଓ୍ବନ ଓ ଅଧିନାୟକ ଶ୍ରେୟସ ଆୟର ଲଢୁଆ ବ୍ୟାଟିଂ ପ୍ରଦର୍ଶନ କରି ଶତକୀୟ ପାର୍ଟନରସିପ କରିବା ସହ ଦଳକୁ ବିପଦମୁକ୍ତ କରିଥିଲେ ଓ  ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ । ଧଓ୍ବନ ୫୭ ରନ କରିଥିବାବେଳେ ଆୟର ୫୩ରନ କରିଥିଲେ । ତେବେ ଏହି ଦୁଇ ଓ୍ବିକେଟ ଆଉଟ ହେବା ପରେ ଶେଷଭାଗ ବ୍ୟାଟ୍ସମ୍ୟାନମାନେ ବିଶେଷ ଯୋଗଦାନ ଦେଇପାରିନଥିଲେ ।  ତେବେ ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ ହରାଇ ୧୬୧ ରନ କରିଥିଲା ।

ସମ୍ବନ୍ଧିତ ଖବର