ଆଇପିଏଲ୍‌-୧୩: କୋଲକାତା ନାଇଟ ରାଇଡର୍ସକୁ ୧୮ ରନ୍‌ରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲସ୍

ସାରଜା: ସାରଜା କ୍ରିକେଟ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ୍‌ ୨୦୨୦ର ୧୬ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସକୁ  ୧୮ ରନ୍‌ରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲସ୍‌ । ଦ୍ବିତୀୟ ପାଳିରେ କୋଲକାତା ୨୨୯ ରନ୍‌ର ବିଶାଳ ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୮ ୱିକେଟ ହରାଇ ୨୧୦ ରନ୍‌ କରି ପରାଜିତ ହୋଇଛି । କୋଲକାତା ପ୍ରଥମରୁ ଆକ୍ରାମଣାତ୍ମକ ବ୍ୟାଟିଂ କରିଥିଲା କିନ୍ତୁ ୨୨୯ ରନ୍‌ର ବିଶାଳ ଲକ୍ଷ୍ୟକୁ ପୂରା କରିପାରିନଥିଲା । କୋଲକାତା ପକ୍ଷରୁ ଶୁବମାନ ଗିଲ ୨୨ ବଲରେ ୨୮ ରନ୍‌, ନିତୀଶ ରାଣା ୩୫ ବଲରେ ୫୮ ରନ୍‌ କରିଥିଲେ । ଅନ୍ୟପଟେ ଇଏନ୍ ମୋର୍ଗାନ୍ ଓ ରାହୁଲ ତ୍ରିପାଠୀ ଶେଷ ଓଭର ବେଳକୁ ଲଢୁଆ ବ୍ୟାଟିଂ କରିଥିଲେ। ମୋର୍ଗାନ୍ ୧୮ ବଲରେ ୪୪ ରନ୍‌ କରିଥିବା ବେଳେ ତ୍ରିପାଠୀ ୧୬ ବଲ ଖେଳି ୩୬ ରନ୍‌ କରିଥିଲେ। କିନ୍ତୁ କୋଲକାତାକୁ ବିଜୟ ଦେବାରେ ସକ୍ଷମ ହୋଇ ନଥିଲେ। ଫଳରେ ଦିଲ୍ଲୀ କ୍ୟାପିଟାଲସ୍‌ ଏହି ମ୍ୟାଚକୁ ୧୮ ରନ୍‌ରେ ଜିତି ନେଇଥିଲା । ଦିଲ୍ଲୀ କ୍ୟାପିଟାଲସ୍‌ ପକ୍ଷରୁ ଏନରିକ୍ ନାର୍ତେଜ୍  ୩ଟି ୱିକେଟ, ହର୍ଷଲ ପଟେଲ ୨ଟି ୱିକେଟ ନେଇଥିବା ବେଳେ ଅମିତ ମିଶ୍ରା, କାଗିସୋ ରାବାଡା ଓ ମାର୍କସ୍ ଷ୍ଟୋଇନିସ୍ (୧-୧) ୱିକେଟ ନେଇଥିଲେ । ଏହି ବିଜୟ ସହ ଦିଲ୍ଲୀ ୬ ପଏଣ୍ଟ ହାସଲ କରି ଦଳ ତାଲିକାରେ ପ୍ରଥମ ସ୍ଥାନରେ ରହିଛି ।

ପୂର୍ବରୁ କୋଲକାତାର ଅଧିନାୟକ ଦିନେଶ କାର୍ତ୍ତିକ ଟସ ଜିଣି ଦିଲ୍ଲୀକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିବା ପରେ ଦୁଇ ଓପନର ପୃଥ୍ଵୀ ସ’ ଓ ଶିଖର ଧଓ୍ଵନ ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ଉଭୟ ପ୍ରଥମ ଓ୍ଵିକେଟ ଯୋଡ଼ିରେ ୫୬ ରନ କରିଥିଲେ । ଧଓ୍ଵନ ୧୬ ରନ ଓ ସ’ ୬୬ ରନ କରି ଆଉଟ ହୋଇଥିଲେ । ତେବେ ୩ୟ ସ୍ଥାନରେ ଆସିଥିବା ଦିଲ୍ଲୀ ଦଳର ଅଧିନାୟକ ଶ୍ରେୟସ ଆୟର ଧୂଆଁଧାର ବ୍ୟାଟିଂ କରି ମାତ୍ର ୩୮ ବଲରୁ ୬ ଛକା ଓ ୭ ଚୌକା ସହ ଅପରାଜିତ ୮୮ ରନ କରିଥିଲେ । ଋଷଭ ପନ୍ଥ ମଧ୍ୟ ମାତ୍ର ୧୭ ବଲରେ ୩୮ ରନ କରିଥିଲେ । ଏହା ଫଳରେ ଦିଲ୍ଲୀ ୨୦ ଓଭରରେ ୪ ଓ୍ଵିକେଟ ହରାଇ ୨୨୮ ରନ କରିଥିଲା ।

ସମ୍ବନ୍ଧିତ ଖବର