ଆଇପିଏଲ୍‌: ମୁମ୍ବାଇ ଇଣ୍ଡିଆନ୍‌ସକୁ ୪ ଓ୍ଵିକେଟ୍‌ରେ ହରାଇଲା ଦିଲ୍ଲୀ କ୍ୟାପିଟାଲ୍‌ସ

ମୁମ୍ବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୫ତମ ସଂସ୍କରଣର ୨ୟ ମ୍ୟାଚ୍‌ ମୁମ୍ବାଇ ଇଣ୍ଡିଆନ୍‌ସ ଓ ଦିଲ୍ଲୀ କ୍ୟାପିଟାଲ୍‌ସ ମଧ୍ୟରେ ମୁହାଁମୁହିଁ ହୋଇଛି। ମୁମ୍ବାଇର ବାବୋର୍ଣ୍ଣ ଷ୍ଟାଡିୟମରେ ରୋହିତ ଶର୍ମାଙ୍କ ଟିମ୍‌କୁ ଋଷଭ ପନ୍ତଙ୍କ ଟିମ୍‌ ୪ ଓ୍ଵିକେଟ୍‌ରେ ପରାସ୍ତ କରିଛି। ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍‌ସ ଟସ୍‌ ଜିତି ମୁମ୍ବାଇ ଇଣ୍ଡିଆନ୍‌ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ମୁମ୍ବାଇ ଇଣ୍ଡିଆନ୍‌ସକୁ ପ୍ରଥମେ ବ୍ୟାଟିଂ କରି ୫ ଓ୍ଵିକେଟ୍‌  ହରାଇ ୧୭୭ ରନ୍‌ କରିଥିଲା। ଫଳରେ ଦିଲ୍ଲୀକୁ ୧୭୮ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା।

ଦିଲ୍ଲୀ ଟିମ୍‌ ୧୮.୨ ଓଭରରେ ୬ଟି ଓ୍ଵିକେଟ୍‌ ହରାଇ ୧୭୯ ରନ୍‌ କରିପାରିଛି। ଦଳ ପକ୍ଷରୁ ମଧ୍ୟକ୍ରମର ବ୍ୟାଟ୍‌ର ଲଲିତ ଯାଦବ ସର୍ବାଧିକ ୪୮ ରନ୍‌ ସଂଗ୍ରହ କରିଛନ୍ତି। ସେ ୩୮ଟି ବଲ୍‌ ଖେଳି ୪ଟି ଚୌକା ଓ ୨ଟି ଛକା ମାରିଥିଲେ। ଲଲିତଙ୍କ ସହିତ ଅକ୍ଷର ପଟେଲ ବିଜୟର ଭାଗିଦାରୀ ହୋଇପାରିଥିଲେ। ଯୁବ କ୍ରିକେଟର ଅକ୍ଷର ୧୭ଟି ବଲ୍‌ର ସାମ୍ନା କରି ୨ଟି ଚୌକା ଓ ୩ଟି ଛକା ବଳରେ ୩୮ ରନ୍‌ କରିଥିଲେ। ଦିଲ୍ଲୀ ପାଇଁ ପୃଥ୍ଵୀ ସ’ ୩୮ ରନ୍‌, ଟିମ୍‌ ସେଫର୍ଟ ୨୧ ରନ୍‌, ଋଷଭ ପନ୍ତ ୧ ରନ୍‌ ଓ ଶାର୍ଦ୍ଦୁଳ ଠାକୁର ୨୨ ରନ୍‌ ସଂଗ୍ରହ କରିଥିଲେ।

ପ୍ରଥମ ପାଳିରେ ମୁମ୍ବାଇ ଇଣ୍ଡିଆନ୍‌ସ ତରଫରୁ ଓପନର ରୋହିତ ଶର୍ମା ଓ ଈଶାନ କିଶନ୍‌ ୮.୨ ଓଭରରେ ୬୭ ରନ୍‌ ଯୋଡିଥିଲେ। ରୋହିତ ୩୨ଟି ବଲ୍‌ ଖେଳି ୪ଟି ଚୌକା ଓ ୨ଟି ଛକା ସହ ୪୨ ରନ୍‌ କରି ଆଉଟ୍‌ ହୋଇଥିଲେ। ଏହାପରେ ବ୍ୟାଟଂ କରିବାକୁ ଆସିଥିବା ଅନମୋଲପ୍ରୀତ୍‌ ସିଂହ ମାତ୍ର ୯ ରନରେ ଆଉଟ୍‌ ହୋଇଥିଲେ। ତିଲକ୍‌ ବର୍ମା ୧୫ଟି ବଲ୍‌ ଖେଳି ୩ଟି ଚୌକା ସହ ୨୨ ରନରେ ଆଉଟ୍‌ ହୋଇଥିଲେ। ବିସ୍ଫୋରକ ବ୍ୟାଟର୍‌ କିରନ୍‌ ପୋଲାର୍ଡ ୬ଟି ବଲ୍‌ ଖେଳି ମାତ୍ର ୩ ରନରେ ଆଉଟ୍‌ ହୋଇଥିଲେ।

ମୁମ୍ବାଇ ଇଣ୍ଡିଆନ୍‌ସ ତରଫରୁ ବାମହାତୀ ବ୍ୟାଟର୍‌ ଈଶାନ କିଶନ ସବୁଠୁ ଭଲ ଖେଳି ୪୮ଟି ବଲ୍‌ ଖେଳି ୧୧ଟି ଚୌକା ଓ ୨ଟି ଛକା ସହ ଅପରାଜିତ ୮୧ ରନ୍‌ କରିଥିଲେ। ଟିମ୍‌ ଡେଭିଡ୍‌ ୧୨ ରନରେ ଆଉଟ୍‌ ହୋଇଥିଲେ। ଡାନିଏଲେ ସାମ୍‌ସ ୨ଟି ବଲରେ ୭ ରନ୍‌ କରି ଅପରାଜିତ ଥିଲେ। ଦିଲ୍ଲୀ କ୍ୟାପିଟାଲ୍‌ସ ପକ୍ଷରୁ କୁଳଦୀପ ଯାଦବ ୩ଟି ଖଲିଲ୍‌ ଅହମ୍ମଦ ୨ଟି ଓ୍ଵିକେଟ୍‌ ନେଇଥିଲେ।

ସମ୍ବନ୍ଧିତ ଖବର