ଆଇପିଏଲ୍‌-୧୩: ଚେନ୍ନାଇ ସୁପରକିଙ୍ଗସକୁ ୫ ୱିକେଟରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ

ସାରଜା: ସାରଜା କ୍ରିକେଟ ଷ୍ଟାଡିୟମଠାରେ ଖେଳାଯାଉଥିବା ଚଳିତ ଆଇପିଏଲର ୩୪ ତମ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସକୁ ୫ ୱିକେଟରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଦ୍ବିତୀୟ ପାଳିରେ ଦିଲ୍ଲୀ ୧୮୦ ରନ୍‌ର ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୫ ୱିକେଟ ହରାଇ ୧୮୫ ରନ୍‌ କରି ବିଜୟ ହାସଲ କରିଛି । ଦିଲ୍ଲୀ ପକ୍ଷରୁ ଶିଖର ଧାୱନ ସର୍ବାଧିକ ୧୦୧ ରନ୍‌ କରିଥିବା ବେଳେ ଶ୍ରେୟସ୍ ଆୟର ୨୩ ବଲରେ ୨୩ ରନ୍‌ ଓ ମାର୍କସ୍ ଷ୍ଟୋଇନିସ୍ ୧୪ ବଲରେ ୨୪ ରନ୍‌ କରିଥିଲେ। ଶେଷ ଓଭରରେ ଅକ୍ଷର ପଟେଲ ୩ଟି ଛକା ମାରି ଦିଲ୍ଲୀକୁ ବିଜୟ ଦେଇଥିଲେ । ଅନ୍ୟପଟେ ଚେନ୍ନାଇ ପକ୍ଷରୁ ଦୀପକ ଚହର ୨ଟି ୱିକେଟ ନେଇଥିବା ବେଳେ ଶାର୍ଦ୍ଦୁଲ ଠାକୁର, ଡୱେନ ବ୍ରାଭୋ, ସାମ୍ କରନ୍ ୧-୧ ୱିକେଟ ନେଇଥିଲେ । ଏହି ବିଜୟ ସହ ଦିଲ୍ଲୀ କ୍ୟାପିଟାଲ୍ସ ୧୪ ଅଙ୍କ ସଂଗ୍ରହ କରି ଦଳ ତାଲିକାରେ ପ୍ରଥମରେ ରହିଛି ।

ପୂର୍ବରୁ ଚେନ୍ନାଇ ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ତେବେ ଦଳ ପ୍ରଥମରୁ ହିଁ ସାମ କରନଙ୍କ ଓ୍ଵିକେଟ ହରାଇ ବିପଦରେ ପଡ଼ିଥିଲା । କିନ୍ତୁ ଫାଫ୍‌ ଡୁ ପ୍ଲେସିସ୍‌ ଓ ସେନ ଓ୍ଵାଟସନ ଲଢୁଆ ବ୍ୟାଟିଂ କରି ଦଳକୁ ଉଦ୍ଧାର କରିଥିଲେ । ଡୁ ପ୍ଲେସିସ ୫୮ ଓ ଓ୍ଵାଟସନ ୩୬ ରନ କରିଥିଲେ । ଅମ୍ବାତି ରାୟଡୁ ୪୫ ରନ ଓ ରବୀନ୍ଦ୍ର ଜାଦେଜା ୩୩ ରନ କରିଥିଲେ । ଏସବୁ ବ୍ୟାଟ୍ସମ୍ୟାନଙ୍କ ଯୋଗଦାନ ଫଳରେ ଦଳ ୨୦ ଓଭରରେ ୪ ଓ୍ଵିକେଟ ହରାଇ ୧୭୯ ରନ କରିଥିଲା ।

ସମ୍ବନ୍ଧିତ ଖବର