ଆଇପିଏଲ୍‌-୧୩: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୫୯ ରନ୍‌ରେ ପରାସ୍ତ କଲା ଦିଲ୍ଳୀ କ୍ୟାପିଟାଲ୍ସ

ଦୁବାଇ: ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଆଜି ଖେଳାଯାଉଥିବା ଆଇପିଏଲ ୨୦୨୦ର ୧୯ ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୫୯ ରନ୍‌ରେ ପରାସ୍ତ କରିଛି  ଦିଲ୍ଳୀ କ୍ୟାପିଟାଲ୍ସ । ବାଙ୍ଗାଲୋର ୧୯୭ ରନ୍‌ର ବିଶାଳ ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୯ ୱିକେଟ ହରାଇ ୧୩୭ ରନ୍‌ କରି ପରାଜୟ ବରଣ କରିଛି  ।

ବାଙ୍ଗାଲୋର ପକ୍ଷରୁ ପ୍ରଥମରୁ ଧିମା ବ୍ୟାଟିଂ ଦେଖିବାକୁ ମିଳିଥିଲା । ଓପନର ଦେବଦତ୍ତ ପାଡିକଲ୍‌ ମାତ୍ର ୪ ରନ୍‌ କରି ଆଉଟ ହୋଇଥିବା ବେଳେ ଆରୋନ ଫିଞ୍ଚ୍‌ ୧୪ ବଲ୍‌ ଖେଳି ମାତ୍ର ୧୩ ରନ୍‌ କରି ଆଉଟ ହୋଇଥିଲେ । ଦଳ ପକ୍ଷରୁ ଅଧିନାୟକ ବିରାଟ କୋହଲି ସର୍ବାଧିକ ୪୩ ରନ୍‌ କରିଥିଲେ । କିନ୍ତୁ ଏହା ବାଙ୍ଗାଲୋରକୁ ବିଜୟ ଦେବାରେ ସକ୍ଷମ ହୋଇ ନଥିଲା । ଅନ୍ୟପଟେ ଦିଲ୍ଲୀ ପକ୍ଷରୁ ଘାତକ ବୋଲିଂ ଦେଖିବାକୁ ମିଳିଥିଲା। କାଗିସୋ ରାବାଡା ୪ ୱିକେଟ, ଅକ୍ଷର ପଟେଲ ଓ ଅନ୍ରିଚ୍ ନର୍ଟେଜେ ୨-୨ଟି ୱିକେଟ ନେଇଥିବା ବେଳେ ରବିଚନ୍ଦ୍ରନ୍ ଅଶ୍ୱିନ୍ ଗୋଟିଏ  ୱିକେଟ ନେଇ ବାଙ୍ଗାଲୋରର ବ୍ୟାଟିଂ ବିପର୍ଯ୍ୟୟ ଘଟାଇ ଥିଲେ । ଫଳରେ ଦିଲ୍ଳୀ ଏହି ମ୍ୟାଚକୁ ୫୯ ରନ୍‌ରେ ଜିତି ନେଇଥିଲା । ଏହି ବିଜୟ ସହ ୮ ପଏଣ୍ଟ ସଂଗ୍ରହ କରି ଦଳ ତାଲିକାରେ ପ୍ରଥମରେ ରହିଛି ଦିଲ୍ଳୀ କ୍ୟାପିଟାଲ୍ସ ।

ପୂର୍ବରୁ ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି ଟସ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଦିଲ୍ଲୀ ପକ୍ଷରୁ ପୃଥ୍ଵୀ ସ’ ଓ ଶିଖର ଧାଓ୍ଵନ ଦଳକୁ ଭଲ ଆରମ୍ଭ ଦେଇଥିଲେ । ସ’ ୪୨ ରନ କରିଥିବା ବେଳେ ଧାଓ୍ଵନ ୩୨ ରନ ସଂଗ୍ରହ କରିଥିଲେ । ଉଭୟ ପ୍ରଥମ ଓ୍ଵିକେଟ ଯୋଡ଼ିରେ ୬୮ ରନର ଭାଗିଦାରୀ କରିଥିଲେ । ମାତ୍ର ଅଧିନାୟକ ଶ୍ରେୟସ ଆୟର ୧୧ ରନ କରି ଆଉଟ୍ ହୋଇ ଯାଇଥିଲେ । ତେବେ ଋଷଭ ପନ୍ଥ ଓ ମାର୍କସ ଷ୍ଟଇନିସ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଏକ ଭଲ ସ୍ତରକୁ ନେଇଥିଲେ । ପନ୍ଥ ୩୭ ରନ କରିଥିବା ବେଳେ ଷ୍ଟଇନିସ ସର୍ବାଧିକ ୫୩ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୪ ଓ୍ଵିକେଟ ହରାଇ ୧୯୬ କରିଥିଲା ।

ସମ୍ବନ୍ଧିତ ଖବର