ଆବୁଧାବି : ଯୁବ ଖେଳାଳିଙ୍କୁ ନେଇ ଗଠିତ ଦିଲ୍ଲୀ କ୍ୟାପିଟାଲ୍ସ ସୁନ୍ଦର ଫର୍ମରେ ରହିଛି। ଚଳିତ ଆଇପିଏଲ୍ରେ ୯ ମ୍ୟାଚ୍ ଖେଳି ୭ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ଏହି ଦଳ ଶନିବାର ଆବୁଧାବିରେ ରାଜସ୍ଥାନ ରୟାଲ୍ସକୁ ଭେଟିବ। ଋଷଭ ପନ୍ତଙ୍କ ନେତୃତ୍ବାଧୀନ ଦିଲ୍ଲୀ ପ୍ରଥମ ଚରଣରେ ୮ ମ୍ୟାଚ୍ରୁ ୬ ବିଜୟ ପାଇଥିଲା। ଦ୍ବିତୀୟ ଚରଣରେ ଏହି ଦଳ ସନ୍ରାଇଜର୍ସ ହାଇଦ୍ରାବାଦକୁ ୮ ୱିକେଟ୍ରେ ହରାଇ ବିଜୟରୁ ଅଭିଯାନ ଆରମ୍ଭ କରିବା ସହ ଟେବୁଲର ଶୀର୍ଷ ସ୍ଥାନକୁ ଫେରିଥିଲା। ଦିଲ୍ଲୀ ପାଇଁ ଶିଖର ଧୱନ (୪୨୨ ରନ୍) ଓ ପୃଥ୍ବୀ ସ’ (୩୧୯ ରନ୍) ଭଲ ଆରମ୍ଭ କରୁଛନ୍ତି। ଏହି ଯୋଡ଼ି ୮୮ ଚୌକା ଓ ୨୧ ଛକା ସହ ୬ ଅର୍ଦ୍ଧଶତକୀୟ ଭାଗୀଦାରି କରିଛନ୍ତି। ଫଳରେ ଏହି ଯୋଡ଼ିଙ୍କୁ ଅଟକାଇବା ରାଜସ୍ଥାନ ପାଇଁ ବଡ଼ ଆହ୍ବାନ ହେବ। ପ୍ରଥମ ଚରଣରେ ଆହତ ଯୋଗୁଁ ବାଦ୍ ପଡ଼ିଥିବା ଶ୍ରେୟସ ଆୟର ଅପରାଜିତ ୪୭ ରନ୍ ସହ ସୁନ୍ଦର ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହା ଦଳ ପାଇଁ ଆଉ ଏକ ଶୁଭ ଖବର। ଅଧିନାୟକ ପନ୍ତ (୨୪୮ ରନ୍), ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍ ଓ ସିମ୍ରନ ହେଟମେୟରଙ୍କୁ ନେଇ ଦିଲ୍ଲୀର ମଧ୍ୟଭାଗ ଦୃଢ଼ ରହିଛି। ବୋଲିଂରେ ଅଭେଶ ଖାନ୍ ଭଲ କରୁଥିଲା ବେଳେ ଦକ୍ଷିଣ ଆଫ୍ରିକାର ଦୁଇ ଦ୍ରୁତ ବୋଲର କାଗିସୋ ରବାଦା ଓ ଅନିରିକ୍ ନର୍ଖିଆ ମଧ୍ୟ ଯେକୌଣସି ବ୍ୟାଟିଂ ଲାଇନ୍କୁ ଧ୍ବସ୍ତବିଧ୍ବସ୍ତ କରିବାକୁ ସକ୍ଷମ। ତେବେ ମଝି ଓଭରରେ ସ୍ପିନର ଅକ୍ଷର ପଟେଲ ଓ ରବିଚନ୍ଦ୍ରନ ଅଶ୍ବିନଙ୍କୁ ସଂଘର୍ଷ କରିବାକୁ ପଡ଼ୁଛି ଏବଂ ମାର୍କସ ଷ୍ଟୋଇନିସ ଆହତ ହେବା ଦଳ ଲାଗି ବଡ଼ ସଂକଟ।
ଅନ୍ୟପକ୍ଷରେ ପ୍ରଥମ ଚରଣରେ ବିଜୟ ପାଇଁ ସଂଘର୍ଷ କରୁଥିବା ରାଜସ୍ଥାନ ଦ୍ବିତୀୟ ଚରଣର ପ୍ରଥମ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସକୁ ୨ ରନ୍ରେ ହରାଇ ଆତ୍ମବିଶ୍ବାସ ଫେରିପାଇଛି। ଏହି ବିଜୟ ସହ ରାଜସ୍ଥାନ ମଧ୍ୟ ପ୍ଲେ-ଅଫ୍ ଆଶା ଉଜ୍ଜୀବିତ ରଖିଛି। ଯଦି ଦିଲ୍ଲୀ ବିପକ୍ଷ ମ୍ୟାଚ୍ ରାଜସ୍ଥାନ ଜିତେ ତେବେ ଏହି ଦଳ ପଏଣ୍ଟ ଟେବୁଲର ଚତୁର୍ଥରେ ପହଞ୍ଚିବା ସହ ପ୍ଲେ-ଅଫ୍ର ନିକଟତର ହେବ। ରାଜସ୍ଥାନ ପାଇଁ ଦୁଇ ଯୁବ ତାରକା ଯଶସ୍ବୀ ଜୟସ୍ବାଲ ଓ ମହିପାଳ ଲୋମରୋର୍ ପଞ୍ଜାବ ବିପକ୍ଷରେ ଭଲ ପ୍ରଦର୍ଶନ ଦେଇଥିଲେ। ତେବେ ଅଧିନାୟକ ସଂଜୁ ସାମସନ୍ଙ୍କୁ ଟିକେ ଅଧିକ ଦାୟିତ୍ବ ନେବା ଦଳ ପାଇଁ ଆବଶ୍ୟକ ପଡ଼ୁଛି। ବୋଲିଂରେ କାର୍ତ୍ତିକ ତ୍ୟାଗୀ ଓ ବାଂଲାଦେଶର ମୁସ୍ତାଫିଜୁର ରହମାନ ଶେଷ ସମୟରେ ନିଜ କାର୍ଯ୍ୟ ଠିକ୍ରେ ତୁଲାଇଛନ୍ତି। ଶେଷ ଦୁଇ ଓଭରରେ ପଞ୍ଜାବକୁ ୮ ରନ୍ ଆବଶ୍ୟକ ଥିଲା ବେଳେ ମୁସ୍ତାଫିଜୁର ୪ ଏବଂ କାର୍ତ୍ତିକ ୨ ୱିକେଟ୍ ନେବା ସହ ୧ ରନ୍ ଦେଇ ଦଳକୁ ଚତୁର୍ଥ ବିଜୟ ଭେଟି ଦେଇଥିଲେ। ଏହି ପୂର୍ବତନ ବିଜେତା ଦଳ ବିଜୟ ଧାରି ଜାରି ରଖିବା ସହ ୨ ପଏଣ୍ଟ ଲକ୍ଷ୍ୟରେ ରହିବ। ତେବେ ଦିଲ୍ଲୀ ବିପକ୍ଷ ଶନିବାର ମ୍ୟାଚ୍ରେ ରୟାଲ୍ସ ସମ୍ମୁଖରେ ବଡ଼ ଆହ୍ବାନ ହେଉଛି ଚଳିତ ଆଇପିଏଲ୍ରେ ସର୍ବୋଚ୍ଚ ରନ୍ ହାସଲକାରୀ ଶିଖର ଧାୱନଙ୍କୁ ଏବଂ ଲୟରେ ଥିବା ପୃଥ୍ବୀ ସ’କୁ ଅଟକାଇବା। ଏଭଳି କରି କ’ଣ ଆତ୍ମବିଶ୍ବାସ ଫେରିପାଇଥିବା ରାଜସ୍ଥାନ ଲୟରେ ଥିବା ଦିଲ୍ଲୀ ଅଟକାଇପାରିବ କି?
ସମ୍ଭାବ୍ୟ ଦିଲ୍ଲୀ କ୍ୟାପିଟାଲ୍ସ ଏକାଦଶ: ଋଷଭ ପନ୍ତ (ଅଧିନାୟକ), ପୃଥ୍ବୀ ସ’, ଶିଖର ଧାୱନ, ଶ୍ରେୟସ ଆୟର, ମାର୍କସ ଷ୍ଟୋଇନିସ/ ଷ୍ଟିଭ ସ୍ମିଥ୍, ସିମ୍ରନ ହେଟମେୟର, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ବିନ, କାଗିସୋ ରବାଦା, ଅନ୍ରିକ୍ ନର୍ଖିଆ, ଅଭେଶ ଖାନ୍।
ସମ୍ଭାବ୍ୟ ରାଜସ୍ଥାନ ରୟାଲ୍ସ ଏକାଦଶ: ସଂଜୁ ସାମସନ (ଅଧିନାୟକ), ଯଶସ୍ବୀ ଜୟସ୍ବାଲ, ଏଭିନ ଲୁଇସ, ଲିଅମ ଲିଭିଂଷ୍ଟୋନ, ମହିପାଳ ଲୋମରୋର, ରିୟାନ ପରାଗ, ରାହୁଲ ତେୱାତିଆ, କ୍ରିସ ମୋରିସ, ଚେତନ ସାକାରିୟା, କାର୍ତ୍ତିକ ତ୍ୟାଗୀ, ମୁସ୍ତାଫିଜୁର ରହମା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/Pant-Samson.jpg)