ପ୍ଲେ ଅଫ୍‌ରେ ଦିଲ୍ଲୀ, ଚେନ୍ନାଇ, ଭାଗ୍ୟ ଭରସାରେ ବାଙ୍ଗାଲୋର

ଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ ଚଳିତ ଆଇପିଏଲ୍‌ର ପ୍ଲେ ଅଫ୍ ପର୍ଯ୍ୟାୟରେ ସ୍ଥାନ ସୁରକ୍ଷିତ କରିଛନ୍ତି। ଶନିବାର ରାଜସ୍ଥାନ ରୟାଲ୍ସ ୭ ୱିକେଟ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିବା ପରେ ପରିସଂଖ୍ୟାନ ଦୃଷ୍ଟିରୁ ଚେନ୍ନାଇ ପ୍ରଥମ ଦଳ ଭାବେ ପ୍ଲେ ଅଫ୍ ଟିକେଟ ହାସଲ କରିଥିଲା। ରବିବାର ଦିଲ୍ଲୀ କ୍ୟାପିଟାଲ୍ସ ୧୬ ରନ୍‌ରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ହରାଇ ଦ୍ବିତୀୟ ଦଳ ଭାବେ ଏହି ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ୨୦୧୨ ମସିହା ପରେ ଦିଲ୍ଲୀ ପ୍ରଥମ ଥର ପାଇଁ ପ୍ଲେଅଫ୍‌ ସଫଳତା ଲାଭ କରିଛି। ସେପଟେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ପୁଣି ଥରେ ଲିଗ୍ ପର୍ଯ୍ୟାୟରୁ ବିଦା ହେବାର ଦ୍ବାର ଦେଶରେ ପହଞ୍ଚି ଯାଇଛି। ଶେଷ ଦୁଇ ମ୍ୟାଚ୍‌ରେ ବୃହତ୍ ବିଜୟ ସହ ଭାଗ୍ୟର ସାଥ୍ ମିଳିଲେ ଯାଇ ଏହି ଦଳ ପ୍ଲେ ଅଫ୍ ଯିବାର କିଛିଟା ଆଶା ରହିଛି। ପ୍ଲେ ଅଫ୍‌ର ମୋଟ ଚାରିଟି ଦଳ ମଧ୍ୟରୁ ଦୁଇଟି ନିଶ୍ଚିତ ହେବା ପରେ ବଳକା ଦୁଇଟି ସ୍ଥାନ ଲାଗି ପ୍ରତିଦ୍ବନ୍ଦ୍ବିତା ତୀବ୍ରତର ‌ହୋଇଛି। ଶେଷ ଦୁଇଟି ସ୍ଥାନ ଦୌଡ଼ରେ ରବିବାର ସୁଦ୍ଧା ୫ ଦଳ ରହିଛନ୍ତି। ଦିଲ୍ଲୀ (୧୬) ଦ୍ବାଦଶ ମୁକାବିଲାରୁ ଅଷ୍ଟମ ବିଜୟ ହାସଲ କରିବା ପରେ ନେଟ୍‌ ରନ୍‌ରେଟ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସ (୧୬)କୁ ଦ୍ବିତୀୟ ସ୍ଥାନକୁ‌ ଠେଲି ଦେଇଛି। ଏଣୁ ଶୀର୍ଷ ସ୍ଥାନ ଲାଗି ମୁକାବିଲା ମଧ୍ୟ ବେଶ୍ ରୋଚକ ହୋଇ ଯାଇଛି। ଏହି ସ୍ଥାନ ଦୌଡ଼ରେ ମଧ୍ୟ ୬ ଦଳ ରହିଛନ୍ତି।

ଆର୍‌ସିବି ପାଇଁ କର ବା ମର ଥିବା ରବିବାର ମୁକାବିଲାରେ ଦିଲ୍ଲୀ ୧୮୮ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ଜବାବରେ ଆର୍‌ସିବି ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ୧୭୧/୭ରେ ଅଟକି ଯାଇଥିଲା। ଫଳରେ ଦ୍ବାଦଶ ମ୍ୟାଚ୍‌ରୁ ଅଷ୍ଟମ ପରାଜୟ ବରଣ କରି ଶେଷ ସ୍ଥାନରେ ଝୁଲିଥିଲା। ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଦିଲ୍ଲୀ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ (୫୦ ରନ୍, ୩୭ ବଲ୍, ୫ ଚୌକା, ୨ ଛକା) ଓ ଅଧିନାୟକ ଶ୍ରେୟସ୍ ଆୟର (୫୨ ରନ୍, ୩୭ ବଲ୍, ୨ ଚୌକା, ୩ ଛକା)ଙ୍କ ଅର୍ଧଶତକ ବଳରେ ନିର୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୮୭ ରନ୍‌ର ସମ୍ମାନଜନକ ସ୍କୋର କରି ନେଇଥିଲା। ଆର୍‌ସିବି ଭଲ ଆରମ୍ଭ ପାଇଥିଲେ ମଧ୍ୟ ଏହି ଦଳର ଜଣେ ହେଲେ ବି ଖେଳାଳି ଅର୍ଧଶତକ ଅର୍ଜନ କରି ପାରି ନଥିଲେ। ଭଲ ଆରମ୍ଭକୁ କୌଣସି ଖେଳାଳି ବଡ଼ ସ୍କୋରରେ ରୂପାନ୍ତର କରି ନପାରିବା ହିଁ ଆର୍‌ସିବି ପରାଜୟର ପ୍ରମୁଖ କାରଣ ହୋଇଥିଲା। ୱିକେଟ୍‌ରକ୍ଷକ ପାର୍ଥିବ ପଟେଲ ୩୯, ଅଧିନାୟକ ବିରାଟ କୋହଲି ୨୩, ଏବି ଡି’ଭିଲିୟର୍ସ ୧୭, ଗୁରୁକିରଟ ସିଂହ ୨୭ ଓ ମାର୍କସ ଷ୍ଟୋ‌ଇନିସ୍ ୩୨* ରନ୍ କରିଥିଲେ। ଧାୱନ ତାଙ୍କ ବିସ୍ଫୋରକ ପାଳି ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସଂକ୍ଷିପ୍ତ ସ୍କୋର: ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୧୮୭/୫ (ଶିଖର ଧାୱନ ୫୦, ଶ୍ରେୟସ୍ ଆୟର ୫୨, ସେରଫାନେ ରଦରଫୋର୍ଡ ୨୮*, ୟୁଜବେନ୍ଦ୍ର ଚହଲ ୨/୪୧, ୱାସିଂଟନ ସୁନ୍ଦର ୧/୨୯)। ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ୨୦ ଓଭରରେ ୧୭୧/୭ (ପାର୍ଥିବ ପଟେଲ ୩୯, ବିରାଟ କୋହଲି ୨୩, ଏବି ଡି’ଭିଲିୟର୍ସ ୧୭, ମାର୍କସ ଷ୍ଟୋଇନିସ ୩୨*, ଗୁରୁକିରଟ ସିଂହ ୨୭, କାଗିସୋ ରବାଦା ୨/୩୧, ଅମିତ ମିଶ୍ରା ୨/୨୯)।

ସମ୍ବନ୍ଧିତ ଖବର