ପ୍ରଥମ କ୍ବାଲିଫାୟାର୍‌ରେ ଆଜି ଦିଲ୍ଲୀ-ଚେନ୍ନାଇ: ଅଭିଜ୍ଞତା ବନାମ ଆ‌ତ୍ମବିଶ୍ବାସ

ଦୁବାଇ: ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି। ଭାରତ ଓ ୟୁଏଇ ଚରଣରେ ୫୬ଟି ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ଖେଳାଯିବା ପରେ ରବିବାରଠାରୁ ଆଇପିଏଲ୍‌-୧୪ର ପ୍ଲେ ଅଫ୍ ଆରମ୍ଭ ହେଉଛି। ଆଉ ପ୍ରଥମ କ୍ବାଲିଫାୟରରେ ଆସନ୍ତାକାଲି ଅଭିଜ୍ଞ ଚେନ୍ନାଇ ସୁପରକିଙ୍ଗ୍ସ ଏବଂ ଯୁବ ଖେଳାଳି ସମୃଦ୍ଧ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହେବେ। ସବାଧିକ ୨୦ ପଏଣ୍ଟ ହାସଲ କରି ଲିଗ୍‌ର ଶ୍ରେଷ୍ଠ ଦଳ ଭାବେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ଲେ ଅଫ୍‌କୁ ଯାଇଛି। ସେପଟେ ଆର୍‌ସିବି ସହ ସମାନ ୧୮ ପଏଣ୍ଟ ପାଇଥିଲେ ମଧ୍ୟ ଉନ୍ନତ ନେଟ୍ ରନ୍ ରେଟ୍ ଆଧାରରେ ଚେନ୍ନାଇ ଦ୍ବିତୀୟ ସ୍ଥାନରେ ରହି କ୍ବାଲିଫାୟର-୧ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ତେବେ ପ୍ଲେ ଅଫ୍ ଓ ଫାଇନାଲ୍ ଖେଳିବା ଦୃଷ୍ଟିରୁ ଦିଲ୍ଲୀଠାରୁ‌ ଚେନ୍ନାଇ ଢେର ଆଗରେ ରହିଛି। ସେହି ଦୃଷ୍ଟିରୁ ଚେନ୍ନାଇ ଚମକକୁ ଫିକା କରିବାକୁ ହେଲେ ଦିଲ୍ଲୀକୁ ଦୃଢ଼ତାର ପରିଚୟ ଦେବାକୁ ହେବ। ମହେନ୍ଦ୍ର ସିଂହ ଧୋନିଙ୍କ ପ୍ରେରଣାଦାୟୀ ନେତୃତ୍ବ ଓ ବଳିଷ୍ଠ ରଣନୀତିକୁ ନି‌ଷ୍ଫଳ କରିବାକୁ ହେଲେ ଦିଲ୍ଲୀର ଯୁବ ଅଧିନାୟକ ଋଷଭ ପନ୍ତଙ୍କ ଅଧିନାୟକତ୍ବରେ ଦିଲ୍ଲୀକୁ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡ଼ିବ। ଚେନ୍ନାଇ ପୂର୍ବରୁ ୮ ଥର ଫାଇନାଲ୍ ଖେଳି ୩ ଥର ବିଜେତା ହୋଇଛି। ଅନ୍ୟପକ୍ଷରେ ଦିଲ୍ଲୀ ମାତ୍ର ଥରେ ଫାଇନାଲ୍ ଖେଳି ନିଜ ପ୍ରଥମ ଟ୍ରଫି ବିଜୟ ଲକ୍ଷ୍ୟରେ ରହିଛି। ଗତବର୍ଷ ପ୍ରଥମ ଥର ପାଇଁ ଫାଇନାଲକୁ ଯାଇଥିବା ଦିଲ୍ଲା ମୁମ୍ବା‌ଇ ଇଣ୍ଡିଆନ୍ସଠାରୁ ହାରି ଉପବିଜେତାରେ ସନ୍ତୁଷ୍ଟ ରହିଥିଲା। ଚେନ୍ନାଇ ୧୦ଥର ପ୍ଲେ ଅଫ୍ ଖେଳିଥିଲା ବେଳେ ଦିଲ୍ଲୀ କେବଳ ୫ଥର ପ୍ଲେ ଅଫ୍‌କୁ ଯାଇଛି। ଉଭୟ ଦଳ ୨୫ ମ୍ୟାଚ୍‌ରେ ପରସ୍ପରକୁ ଭେଟିଛନ୍ତି। ସେଥିମଧ୍ୟରୁ ଚେନ୍ନାଇ ୧୫ ମ୍ୟାଚ୍ ଜିତିଥିଲା ବେଳେ ଦିଲ୍ଲୀ ୧୦ ମ୍ୟାଚ୍‌ରେ ବିଜୟୀ ହୋଇଛି। ହେଲେ ଚଳତି ଆଇପିଏଲ୍‌ ଋତୁର ପ୍ରଦର୍ଶନ ଅନୁସାରେ ଦିଲ୍ଲୀର ଆତ୍ମବିଶ୍ବାସ ଏବେ ଆକାଶଛୁଆଁ ରହିଛି। ସେହିଦୃଷ୍ଟିରୁ ରବିବାର ମ୍ୟାଚ୍‌ ବେଶ୍ ସଂଘର୍ଷପୂର୍ଣ୍ଣ ଓ ରୋମାଞ୍ଚଭରା ହେବ ବୋଲି ଆଶା କରାଯାଉଛି।

ଅଭିଜ୍ଞତା ବନାମ ଆ‌ତ୍ମବିଶ୍ବାସ
ଆଇପିଏଲ୍‌ର ଅନ୍ୟତମ ସଫଳ ଦଳ ଚେନ୍ନାଇ ଏଥର ବି ସ୍ଥିର ପ୍ରଦର୍ଶନ ଦେଇ ଆସୁଥିଲା। ହେଲେ ‌ଅପ୍ରତ୍ୟାଶିତ ଭାବେ ଶେଷ ତିନିଟି ମ୍ୟାଚ୍ ହାରି ପରାଜୟର ଆଲୋଡ଼ା ହ୍ୟାଟ୍ରିକ୍ ଅର୍ଜନ କରିଥିଲା। ସେହିଭଳି ଶ୍ରୀକର ଭରତଙ୍କ ଶେଷ ବଲ୍‌ ଛକା ପାଇଁ ଦିଲ୍ଲୀ ମଧ୍ୟ ତାର ଶେଷ ଲିଗ୍‌ ମ୍ୟାଚ୍‌ରେ ଆର୍‌ସିବିଠାରୁ ହାରିଯାଇଥିଲା। ଏଣୁ ଉଭୟ ଦଳ ବିଜୟଧାରାକୁ ଫେରିବା ସହ ପ୍ରଥମ ପ୍ରୟାସରେ ହିଁ ଫାଇନାଲ୍ ଟିକେଟ ହାସଲ କରିନେବାକୁ ଚେଷ୍ଟା କରିବେ। ପରାଜିତ ଦଳ ଅବଶ୍ୟ ଏଲିମିନେଟରର ବିଜେତା ଦଳ ସହ ଦ୍ବିତୀୟ କ୍ବାଲିଫାୟର ଖେଳିବାର ସୁଯୋଗ ପାଇବ। ହେଲେ ରବିବାର ଯେଉଁ ଦଳ ବିଜୟୀ ହେବ ସିଏ ଆତ୍ମବିଶ୍ବାସର ସହ ଫାଇନାଲ୍ ଖେଳିବ। ଚେନ୍ନାଇ ପରାଜିତ ହେଲେ କିନ୍ତୁ ଲଗାତାର ଚାରିଟି ମ୍ୟାଚ୍ ହାରିବାର ଅପଯଶ ମୁଣ୍ଡାଇବ। ଦିଲ୍ଲୀ ହାରିଲେ ଲଗାତାର ଦ୍ବିତୀୟ ମ୍ୟାଚ୍ ହାରିବ।

ଶକ୍ତି ଓ ସାମର୍ଥ୍ୟ ଦୃଷ୍ଟିରୁ ଦୁଇଟି ଯାକ ଦଳ କେହି କାହାରିଠୁ କମ୍ ନୁହନ୍ତି। ଚେନ୍ନାଇ ପାଖରେ ଲମ୍ବା ଅଭିଜ୍ଞତା ଥିବା‌ ବହୁ ପ୍ରତିଭାବାନ ଖେଳାଳି ଅଛନ୍ତି। ଯୁବ ଓପନର ଋତୁରାଜ ଗାଏକ୍ବାଡ୍‌ଙ୍କୁ ଛାଡ଼ି‌ଲେ ଚେନ୍ନାଇ ବ୍ୟାଟିଂ ବାହିନୀର ସବୁ ଶୀର୍ଷକ୍ରମ ଖେଳାଳି ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଜଣେ ଜଣେ ସୁପରିଚିତ ନାଁ। ଫାଫ୍ ଡୁ’ପ୍ଲେସିସ୍, ମୋଇନ ଅଲ୍ଲୀ, ଅମ୍ବାତି ରାୟୁଡୁ, ସୁରେଶ ରାଇନା, ଡ୍ବେନ୍ ବ୍ରଭୋ ସମସ୍ତେ ଜଣେ ଜଣେ ମ୍ୟାଚ୍ ବିଜୟୀ ଖେଳାଳି। ଅଧିନାୟକ ଧୋନି ଏବେ ଭଲ ଫର୍ମରେ ନାହାନ୍ତି। ତଥାପି ସେ ‌ଯେ କୌଣସି ମୁହୂର୍ତରେ ମ୍ୟାଚ୍‌ର ମୋଡ଼ ବଦଳାଇ ଦେବାର ଦମ୍ଭ ରଖନ୍ତି। ତାଙ୍କୁ ମଧ୍ୟ ସୀମିତ ଓଭର କ୍ରିକେଟ୍‌ର ସର୍ବଶ୍ରେଷ୍ଠ ଅଧିନାୟକର ମାନ୍ୟତା ମିଳେ। ଚେନ୍ନାଇ ପାଖରେ ଜୋସ୍ ହାଜେଲଉଡ୍, ଦୀପକ ଚହର, ଶାର୍ଦୁଳ ଠାକୁରଙ୍କ ଭଳି ଦ୍ରୁତ ବୋଲର ଏବଂ ମୋଇନ ଅଲ୍ଲୀ, ରବୀନ୍ଦ୍ର ଜାଦେଜା ଓ ଡ୍ବେନ୍ ବ୍ରାଭୋଙ୍କ ଭଳି ଅଲରାଉଣ୍ଡର ଅଛନ୍ତି। ଅନ୍ୟପକ୍ଷରେ ଶିଖର ଧାୱନ, ପୃଥ୍ବୀ ସ’, ଶ୍ରେୟସ୍ ଆୟର, ଷ୍ଟିଭେନ୍ ସ୍ମିଥ୍, ନିଜେ ଋଷଭ ପନ୍ତ, ସିମରନ୍ ହେଟମେୟରଙ୍କୁ ନେଇ ଦିଲ୍ଲୀର ବ୍ୟାଟିଂକ୍ରମ ବି ବେଶ୍ ସୁଦୃଢ଼। ତେବେ ଏମାନଙ୍କୁ ସ୍ଥିରତା‌ ରଖିବାକୁ ହେବ। ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ୍ ଆହତ ହୋଇ ବାଦ ପଡ଼ିବା ଦିଲ୍ଲୀ ପାଇଁ ଏକ ଶକ୍ତ ଧକ୍କା ହୋଇଥିଲେ ମଧ୍ୟ ଅନ୍ୟ ଖେଳାଳିମାନେ ଏହାକୁ ସଫଳତାର ସହ ଭରଣା କରିଛନ୍ତି। ବୋଲିଂରେ ଅନରିକ ନର୍ଖିୟା, କାଗିସୋ ରବାଦା, ଅଭେସ ଖାନଙ୍କ ଦ୍ରୁତ ବୋଲିଂ ସାଙ୍ଗକୁ ଅକ୍ଷର ପଟେଲ ଓ ରବିଚନ୍ଦ୍ରନ୍‌ ଅଶ୍ବିନଙ୍କ ସ୍ପିନ୍ ପ୍ରତିପକ୍ଷକୁ ଘାଇଲା କରିବାକୁ ପୂରା ସକ୍ଷମ।

ସମ୍ଭାବ୍ୟ ଚେନ୍ନାଇ ସୁପରକିଙ୍ଗ୍ସ: ଋତୁରାଜ ଗାଏକ୍ବାଡ୍, ଫାଫ୍ ଡୁପ୍ଲେସିସ୍, ମୋଇନ ଅଲ୍ଲୀ, ରବିନ ଉଥାପ୍ପା, ଅମ୍ବାତି ରାୟୁଡୁ, ମହେନ୍ଦ୍ର ସିଂହ ଧୋନି (ଅଧିନାୟକ), ରବୀନ୍ଦ୍ର ଜାଦେଜା, ଡ୍ବେନ୍ ବ୍ରାଭୋ, ଦୀପକ ଚହର, ଶାର୍ଦୁଳ ଠାକୁର, ଜୋସ୍ ହାଜେଲଉଡ୍।

ସମ୍ଭାବ୍ୟ ଦିଲ୍ଲୀ କ୍ୟାପିଟାଲ୍ସ: ପୃଥ୍ବୀ ସ’, ଶିଖର ଧାୱନ, ଋଷଭ ପନ୍ତ (ଅଧିନାୟକ), ଶ୍ରେୟସ୍ ଆୟର, ସିମରନ୍ ହେଟମେୟର, ରିପଲ ପଟେଲ, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ବିନ, କାଗିସୋ ରବାଦା, ଅଭେସ ଖାନ୍, ଅନରିକ ନର୍ଖିୟା।

ସମ୍ବନ୍ଧିତ ଖବର