ଶୀର୍ଷ ସ୍ଥାନ ପାଇଁ ଲଢ଼ିବେ ଦିଲ୍ଲୀ-ଚେନ୍ନାଇ

ଦୁବାଇ: ପ୍ଲେ ଅଫ୍‌ରେ ସ୍ଥାନ ପକ୍କା କରି ସାରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ ଏବେ ଶୀର୍ଷ ସ୍ଥାନରେ ରହି ଚଳିତ ଆଇପିଏଲ୍ ଅଭିଯାନ ଶେଷ କରିବା ଲକ୍ଷ୍ୟରେ ରହିଛନ୍ତି। ସେହିଦୃଷ୍ଟିରୁ ସୋମବାରର ଏକମାତ୍ର ମୁକାବିଲାରେ ପୂର୍ବବିଜେତା ଚେନ୍ନାଇ ଯେତେବେଳେ ଦିଲ୍ଲୀକୁ ଭେଟିବ ସେତେବେଳେ ରାଜସ୍ଥାନ ରୟାଲ୍ସ ବିପକ୍ଷ ତା’ର ପୂର୍ବ ପରାଜୟକୁ ଭୁଲିବାକୁ ଚେଷ୍ଟା କରିବ। କାରଣ ଶନିବାରର ଏହି ମ୍ୟାଚ୍‌ରେ ଯୁବ ତାରକା ଋତୁରାଜ ଗାଏକ୍ବାଡଙ୍କ ବିସ୍ଫୋରକ ଓ ପ୍ରଥମ ଟ୍ବେଣ୍ଟି-୨୦ ଶତକ ସତ୍ତ୍ବେ ଚେନ୍ନାଇ ଅପ୍ରତ୍ୟାଶିତ ଭାବେ ରାଜସ୍ଥାନ ରୟାଲ୍ସଠାରୁ ହାରିଯାଇଥିଲା। ପ୍ରତିପକ୍ଷ ଦିଲ୍ଲୀ ମଧ୍ୟ ଚେନ୍ନାଇକୁ ହରାଇ ପଏଣ୍ଟ ତାଲିକାର ଶୀର୍ଷକୁ ଉଠିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ। ଏହି ମ୍ୟାଚ୍ ‘ଆଇପିଏଲ୍-୨୦୨୧’ ଦ୍ବିତୀୟ ଚରଣର ଅନ୍ୟତମ ପ୍ରତୀକ୍ଷିତ ମୁକାବିଲାର ମାନ୍ୟତା ବି ଲାଭ କରିଛି।

ଆଇପିଏଲ୍‌-୨୦୨୧ର ୟୁଏଇ ପର୍ଯ୍ୟାୟରେ ଚେନ୍ନାଇ ଓ ଦିଲ୍ଲୀ ଆଧିପତ୍ୟ ଜାହିର କରିବା ସହ ପ୍ରଥମ ଦୁଇ ଦଳ ଭାବେ ପ୍ଲେ ଅଫ୍‌ରେ ପ୍ରବେଶ କରିଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ପୂର୍ବ ମ୍ୟାଚ୍‌ରେ ଦିଲ୍ଲୀ ବିଜୟୀ ହୋଇଥିଲା। ରାଜସ୍ଥାନଠାରୁ ଚେନ୍ନାଇ ହାରିବା କିନ୍ତୁ ସମସ୍ତଙ୍କୁ ଚକିତ କରିଥିଲା। ଗାଏକ୍ବାଡ୍‌ଙ୍କ ସ୍ମରଣୀୟ ଶତକ ବଳରେ ଚେନ୍ନାଇ ୧୮୯/୪ ରନ୍‌ର ବିଶାଳ ସ୍କୋର କରିଥିଲା। ହେଲେ ଏହି ଦଳର ବୋଲରମାନେ ରାଜସ୍ଥାନକୁ ୧୯୦ ରନ୍‌ର ବଡ଼ ବିଜୟ ସହଜରେ ହାସଲ କରିନେବାକୁ ଦେଇଥିଲେ। ଏଣୁ ଶକ୍ତିଶାଳୀ ବ୍ୟାଟିଂ ବାହିନୀ ଥିବା ଦିଲ୍ଲୀ ସମ୍ମୁଖରେ ଚେନ୍ନାଇ ବୋଲର ପୁଣି ଥରେ ପରୀକ୍ଷାର ସମ୍ମୁଖୀନ ହେବେ। ଗତ ଦୁଇ ମ୍ୟାଚ୍‌ରେ ଅବଶ୍ୟ ଦିଲ୍ଲୀ ବ୍ୟାଟର୍‌ କିଛିଟା ସଂଘର୍ଷ କରିଛନ୍ତି। କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ନିୟମିତ ୱିକେଟ୍ ହରାଇବା ପରେ ରନ୍ ସଂଗ୍ରହ ହାର ଆଶାଜନକ ଭାବେ ବଢ଼ାଇ ପାରି ନଥିଲା ଦିଲ୍ଲୀ। ଅନ୍ୟପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଗତମ୍ୟାଚ୍‌ରେ ପ୍ରାରମ୍ଭିକ ବିପର୍ଯ୍ୟୟ ପରେ ଅଧିନାୟକ ଋଷଭ ପନ୍ତ ଓ ପୂର୍ବତନ ଅଧିନାୟକ ଶ୍ରେୟସ୍ ଆୟର ଦିଲ୍ଲୀକୁ ରକ୍ଷା କରିଥିଲେ। ତେବେ ଏହି ମ୍ୟାଚ୍ ସାରଜାର ମନ୍ଥର ପିଚ୍‌ରେ ଖେଳାଯାଇଥିଲା। ଦୁବାଇରେ ଏହି ସ୍ଥିତି ବଦଳି ପାରେ। କାରଣ ଏଠାକାର ପିଚ୍ ପାରମ୍ପରିକ ଭାବେ ବ୍ୟାଟର୍‌ଙ୍କୁ ସୁହାଇଥାଏ। ଶିଖର ଧାୱନ, ଷ୍ଟିଭେନ୍ ସ୍ମିଥ୍ ଓ ପୃଥ୍ବୀ ସ’ଙ୍କ ଭଳି ଖେଳାଳିଙ୍କୁ କିନ୍ତୁ ତୁଳନାତ୍ମକ ଭାବେ ଅଧିକ ଦାୟିତ୍ବବାନ ହେବାକୁ ପଡ଼ିବ। ସେପଟେ ଜୋସ୍ ହାଜେଲଉଡ୍, ଦୀପକ ଚହର, ଡ୍ବେନ୍ ବ୍ରା‌ଭୋ ଓ ଶାର୍ଦୁଳ ଠାକୁରଙ୍କ ଭଳି ଚେନ୍ନାଇ ବୋଲରଙ୍କୁ ଆରମ୍ଭରୁ ଦିଲ୍ଲୀକୁ ଝଟ୍‌କା ଦେବାକୁ ପଡ଼ିବ। ଆହତ ଅଲରାଉଣ୍ଡର ମାର୍କସ ଷ୍ଟୋଇନିସଙ୍କ ଅନୁପସ୍ଥିତିକୁ କିନ୍ତୁ ଦିଲ୍ଲୀ ନିଶ୍ଚିତ ଭାବେ ଅନୁଭବ କରିବ। ଦୁଇ ଦଳ ଅତୀତରେ ପରସ୍ପରକୁ ଭେଟିଥିବା ୨୪ ମ୍ୟାଚ୍‌ରେ କିନ୍ତୁ ଦିଲ୍ଲୀଠାରୁ ଚେନ୍ନାଇ ଢେର ଆଗରେ ରହିଛି। ଚେନ୍ନାଇ ସେଥିମଧ୍ୟରୁ ୧୫ ମ୍ୟାଚ୍ ଜିତିଥିଲା ବେଳେ ଦିଲ୍ଲୀ କେବଳ ୯ ମ୍ୟାଚ୍ ଜିତିଛି। ପୁରୁଖା ତଥା ପ୍ରେରଣାଦାୟୀ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ଚେନ୍ନାଇ ଏହି ଧାରାକୁ ଆଗେଇ ‌ନେଇ ସୋମବାର ଦିଲ୍ଲୀ ବିପକ୍ଷରେ ‌ଷୋଡ଼ଶ ବିଜୟ ହାସଲ କରିବା ଲକ୍ଷ୍ୟରେ ରହିଛି।

ସମ୍ଭାବ୍ୟ ଚେନ୍ନାଇ ସୁପରକିଙ୍ଗ୍ସ: ମହେନ୍ଦ୍ର ସିଂହ ଧୋନି (ଅଧିନାୟକ), ଋତୁରାଜ ଗା‌ଏକ୍ବାଡ୍, ସୁରେଶ ରାଇନା, ଅମ୍ବା‌ତି ରାୟୁଡୁ, ଡ୍ବେନ୍ ବ୍ରାଭୋ, ଶାର୍ଦୁଳ ଠାକୁର, ସାମ୍ କରନ, ମୋଇନ ଅଲ୍ଲୀ, ରବୀନ୍ଦ୍ର ଜାଦେଜା, ଲୁଙ୍ଗି ଏନଗିଡ଼ି, କେ ଗୌତମ/ମିଚେଲ ସାଣ୍ଟନର।

ସମ୍ଭାବ୍ୟ ଦିଲ୍ଲୀ କ୍ୟାପିଟାଲ୍ସ: ଋଷଭ ପନ୍ତ (ଅଧିନାୟକ), ଶ୍ରେୟସ୍ ଆୟର, ପୃଥ୍ବୀ ସ’, ଶିଖର ଧାୱନ, ସିମରନ୍ ହେଟମେୟର, ଷ୍ଟିଭ୍ ସ୍ମିଥ୍, ଅନରିକ ନର୍ଖିୟା, ଅଭେସ ଖାନ୍, କାଗିସୋ ରବାଦା, ଅକ୍ଷର ପଟେଲ, ଲଳିତ ଯାଦବ, ରବିଚନ୍ଦ୍ରନ୍‌ ଅଶ୍ବିନ।

ସମ୍ବନ୍ଧିତ ଖବର