ତିନି ଦଶନ୍ଧି ପରେ ଫେରିଲା ଦିଲ୍ଲୀ

ଭୁବନେଶ୍ୱର: ନୂଆଦିଲ୍ଲୀରୁ ତିନି ଦଶନ୍ଧି ତଳେ ଆରମ୍ଭ ହୋଇଥିବା ଏସୀୟ କ୍ରୀଡ଼ା ଅଭିଯାନ ନବମ ସଂସ୍କରଣ ସହ ପ୍ରତ୍ୟାବର୍ତନ କରିଥିଲା ସେଇ ସହରକୁ। ୧୯୮୨ ମସିହାର ନୂଆଦିଲ୍ଲୀର ଜବାହରଲାଲ୍‌ ନେହେରୁ ଷ୍ଟାଡିୟମରେ ଆୟୋଜିତ ଏହି ପ୍ରତିଯୋଗିତାରେ ଏସୀୟ କ୍ରୀଡ଼ା ଇତିହାସରେ ସର୍ବାଧିକ ୩୩ ଦେଶ ଭାଗ ନେଇଥିଲେ। ୪ ଥର ଆୟୋଜକ ବ୍ୟାଙ୍କକ୍‌ ପରେ ନୂଆଦିଲ୍ଲୀ ଦ୍ୱିତୀୟ ସହର ଭାବେ ଏକାଧିକ ଥର ଆୟୋଜନ କରିବା ତାଲିକାରେ ସାମିଲ ହୋଇଥିଲା। ୨୧ ଖେଳ, ୨୩ ଶୃଙ୍ଖଳାର ୧୯୬ ଇଭେଣ୍ଟ୍‌ରେ ଭାଗ ନେଇଥିଲେ ୪୫୯୫ ଖେଳାଳି। ରାଷ୍ଟ୍ରପତି ଜ୍ଞାନି ଜୈଲ୍‌ ସିଂହ ଉଦ୍‌ଘାଟନ କରିବା ଏବଂ ପିଟି ଉଷା ଖେଳାଳିଙ୍କ ପକ୍ଷରୁ ଶପଥ ନେବା ଥିଲା ଭାରତ ପାଇଁ ଭାବବିହ୍ଵଳ ମୁହୂର୍ତ। ପ୍ରଥମ ଥର ପାଇଁ ହ୍ୟାଣ୍ଡ୍‌ବଲ୍‌, ଅଶ୍ୱଚାଳନା, ନୌଚାଳନା, ଗଲ୍‌ଫ ଓ ମହିଳା ହକି ସାମିଲ ହୋଇ କରିଥିଲେ ପଦାର୍ପଣ। ଏସୀୟ କ୍ରୀଡ଼ା ସଂଘର ବିଲୟ ପରେ ଏସୀୟ ଅଲିମ୍ପିକ୍‌ ପରିଷଦ (ଓସିଏ) ଅଧୀନରେ ଏହା ଥିଲା ପ୍ରଥମ ସଂସ୍କରଣ। ପ୍ରଥମ ୮ ସଂସ୍କରଣରେ ପ୍ରାଧାନ୍ୟ ବିସ୍ତାର କରିବା ପରେ ଚୀନ ଯୁଗର ଆରମ୍ଭ ହୋଇଥିଲା ନୂଆଦିଲ୍ଲୀରୁ। ଚୀନ ୬୧ ସ୍ୱର୍ଣ୍ଣ, ୫୧ ରୌପ୍ୟ, ୪୧ କାଂସ୍ୟ ସହିତ ମୋଟ ୧୫୩ ପଦକ ଜିତି ପ୍ରଥମ ଥର ଦଳଗତ ବିଜେତା ହୋଇଥିଲା। ଜାପାନ ୫୭ ସ୍ୱର୍ଣ୍ଣ, ୫୨ ରୌପ୍ୟ, ୪୪ କାଂସ୍ୟ ସହିତ ସମାନ ୧୫୩ ପଦକ ଜିତି ଦ୍ୱିତୀୟ ସ୍ଥାନରେ ରହିଥିଲା। ଦକ୍ଷିଣ କୋରିଆ (୨୮+୨୮+୩୭), ଉତ୍ତର କୋରିଆ (୧୭+୧୯+୨୦) ତଳକୁ ଭାରତ (୧୭+୧୯+୨୦) ପଞ୍ଚମ ସ୍ଥାନକୁ ଉଠିଥିଲା। ଇଣ୍ଡୋନେସିଆ, ଇରାନ, ପାକିସ୍ତାନ, ମଙ୍ଗୋଲିଆ ଓ ଫିଲିପାଇନ୍‌ସ ପରବର୍ତୀ ୫ ସ୍ଥାନରେ ରହି ଶୀର୍ଷ ୧୦ ସମ୍ପୂର୍ଣ୍ଣ କରିଥିଲେ।

ନୂଆଦିଲ୍ଲୀରେ ଆୟୋଜିତ ଏସୀୟ କ୍ରୀଡ଼ାକୁ ପରବର୍ତୀ ସଂସ୍କରଣ (୧୯୮୬) ଏସିଆଡ୍‌, ୨୪ତମ ଅଲିମ୍ପିକ୍ସ (ସିଓଲ, ୧୯୮୮)ର ଏକ ୪୦୬ ଜଣିଆ ପ୍ରତିନିଧି ଦଳ ଆସିଥିଲେ। ସବୁ ବ୍ୟବସ୍ଥାର ପର୍ଯ୍ୟବେକ୍ଷଣ ସହିତ ପରିଚାଳନାକୁ ପରଖିଥିଲେ। ଦୂରଦର୍ଶନ ବି ପ୍ରଥମ ଥର ପାଇଁ ରଙ୍ଗିନ ପ୍ରସାରଣ ଆରମ୍ଭ କରିଥିଲା। କହିବାକୁ ଗଲେ ନୂଆଦିଲ୍ଲୀର ୧୯୮୨ ଏସିଆଡ୍‌ ଏକାଧିକ ପରିବର୍ତନ ସହିତ ଯୁଗାନ୍ତକାରୀ ରହିଥିଲା।

ସମ୍ବନ୍ଧିତ ଖବର