ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଏକାଦଶ ମ୍ୟାଚରେ ପଂଜାବ କିଙ୍ଗସକୁ ୬ ଉଇକେଟରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ୍। ୧୯୬ ରନର ଲକ୍ଷ୍ୟକୁ ପିଛାକରି ଦିଇ୍ଲୀ ୧୮.୨ ଓଭରରେ ୪ ଉଇକେଟ୍ ହରାଇ ୧୯୮ ରନ୍ କରି ବିଜୟ ହାସଲ କରିଛି। ଦିଲ୍ଲୀ ପକ୍ଷରୁ ଶିଖର ଧାୱନ୍ ସର୍ବାଧିକ ୯୨ ରନ୍ କରିଥିବା ବେଳେ ପୃଥ୍ବୀ ସ ୩୨ ରନ୍ କରିଥିଲେ। ପଞ୍ଚମ ଉଇକେଟ ଯୋଡ଼ିରେ ମାର୍କ ଷ୍ଟୋଇନିସ୍ ଓ ଲଲିତ ଯାଦବ ଯଥାକ୍ରମେ ୨୭ ଓ ୧୨ ରନ କରି ଦଳକୁ ବିଜୟ ଦେଇଥିଲେ। ଏହାଫଳରେ ଦିଲ୍ଲୀ ସମୁଦାୟ ୩ ମ୍ୟାଚ ଖେଳି ଦୁଇଟିରେ ବିଜୟ ହାସଲ କରି ପଏଣ୍ଟ ଟେବୁଲରେ ଦ୍ବିତୀୟ ସ୍ଥାନରେ ପହଞ୍ଚିଛି।
ମୁମ୍ବାଇର ୱାଙ୍ଖ୍ଡେ ଷ୍ଟାଡିୟମ୍ରେ ରବିବାର ଦିଲ୍ଲୀ ଟିମ୍ ଟସ୍ ଜଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ କେଏଲ୍ ରାହୁଲଙ୍କ ନେତୃତ୍ବରେ ପଂଜାବ ବ୍ୟାଟିଂ କରିଥିଲା। ପଂଜାବ ନିର୍ଦ୍ଧାରିତ ୨୦ ଓଭରରେ ୪ଟି ୱିକେଟ୍ ହରାଇ ୧୯୫ ରନ୍ କରିଥିଲା। ପଂଜାବର ଇନିଂସ ଆରମ୍ଭ କରିଥିଲେ କେଏଲ୍ ରାହୁଲ ଓ ମୟଙ୍କ ଅଗ୍ରୱାଲ। ଉଭୟ ଓପନର ପ୍ରଥମ ୱିକେଟ୍ରେ ୧୨୨ ରନ୍ କରିଥିଲେ। ଦିଲ୍ଲୀର ପ୍ରଥମ ଶିକାର ହେବା ପୂର୍ବରୁ ମୟଙ୍କ ଟିମ୍ ପାଇଁ ସର୍ବାଧିକ ୬୯ ରନ୍ ସଂଗ୍ରହ କରିଥିଲେ। ସେ ୩୬ଟି ବଲ ଖେଳି ୭ଟି ଚୌକା ଓ ୪ଟି ଛକା ମାରିଥିଲେ। ମୟଙ୍କ ଆଉଟ୍ ହେବା ପରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ ଖେଳିବାକୁ ଆସିଥିଲେ। ପଂଜାବ ୨ୟ ୱିକେଟ୍ ଭାବେ ରାହୁଲଙ୍କୁ ହରାଇଥିଲା। ସେତେବେଳକୁ ସ୍କୋର ୧୪୧ ରନ୍ ହୋଇଥିଲା।
କ୍ରିସ୍ ଗେଲ୍ ପଡ଼ିଆରେ ବେଶି ସମୟ ରହିପାରି ନଥିଲେ। ସେ ୯ଟି ବଲ ଖେଳି ୧୧ ରନ୍ କରି ଦିଲ୍ଲୀର ୩ୟ ଶିକାର ହୋଇଥିଲେ। ୧୫୮ ରନ୍ରେ ପଂଜାବର ୩ ଜଣ ଆଉଟ୍ ହୋଇଥିଲେ। ନିକୋଲାସ ପୂରନ ୯ରନ୍ କରିଥିଲେ। ଦୀପକ ହୁଡ଼ା ଅପରାଜିତ ୨୨ ରନ୍ ଓ ଶାହାରୁଖ ଖାନ୍ ଅପରାଜିତ ୧୫ ରନ୍ ଯୋଡ଼ିଥିଲେ। ଦିଲ୍ଲୀ ପାଇଁ କ୍ରିସ୍ ୱକ୍ସ, ଲୁକମାନ ମେରିୱାଲା, କାଗିସୋ ରାବଡ଼ା ଓ ଅଭେସ ଖାନ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/Delhi-1.png)