ଓଡ଼ିଶା ଫୁଟ୍‌ବଲ୍‌ ବିକାଶରେ ଯୋଡ଼ିହେବ ଦିଲ୍ଲୀ ଡାଇନାମସ୍‌

ଭୁବନେଶ୍ବର: ଓଡ଼ିଶାରେ ତୃଣମୂଳସ୍ତରରୁ ଫୁଟ୍‌ବଲ୍‌ର ବିକାଶ ପାଇଁ ଖୁବ୍ ଶୀଘ୍ର ଆସିବାକୁ ଯାଉଛି ବୈପ୍ଳବିକ ପରିବର୍ତନ। ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର ଆଗଭର ପରେ ଏହି ପଦକ୍ଷେପ ପଛରେ ପଡ଼ିଯାଇଥିବା ଓଡ଼ିଶା ଫୁଟ୍‌ବଲ୍‌କୁ ନୂଆ ଦିଶା ଦେବ ବୋଲି ବିଶ୍ବାସ କରାଯାଉଛି। ଦୁଇଟି ବର୍ଗର ଜାତୀୟ ଫୁଟ୍‌ବଲ୍‌ ଦଳକୁ ସମର୍ଥନ କରି ଆସିଥିବା ଓଡ଼ିଶା ସରକାର ଏବେ ଆଉ ପା‌ଦେ ଆଗକୁ ବଢ଼ି ଆଇଏସ୍‌ଏଲ୍ ଦଳ ଦିଲ୍ଲୀ ଡାଇନାମସ୍‌ ସହ ବୁଝାମଣାପତ୍ର ସ୍ବାକ୍ଷର କରିବାକୁ ଯାଉଛନ୍ତି। ସରକାରୀ ମୋହର ଲାଗିବା ଅପେକ୍ଷାରେ ଥିବା ଏହି ବୁଝାମଣାପତ୍ର ସମ୍ଭବ ହେଲେ ଓଡ଼ିଶା ଫୁଟବଲ୍‌ରେ ଯୁଗାନ୍ତକାରୀ ପରିବର୍ତନ ହେବ‌। କ୍ରୀଡ଼ା ବିଭାଗର ଏକ ଆଭ୍ୟନ୍ତରୀଣ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି ବୁଝାମଣାପତ୍ରରେ ଓଡ଼ିଶା ସରକାର ଦିଲ୍ଲୀ ଡାଇନାମସ୍‌କୁ କେବଳ ଭିତ୍ତିଭୂମି ଯୋଗାଇଦେବେ। ଦିଲ୍ଲୀ ଡାଇନାମସ୍ ଏହାର ନାମ ପରିବର୍ତନ କରିବ। ହକି ପରେ ଭାରତୀୟ ୧୬ ବର୍ଷରୁ କମ୍‌ ଦଳ ଏବଂ ଇଣ୍ଡିଆନ୍ ଆରୋଜ୍ ଭଳି ଜାତୀୟ ଫୁଟବଲ୍‌ ଦଳକୁ ପ୍ରାୟୋଜିତ କରି ସାରିଥିବା ଓଡ଼ିଶା ଏବେ ଏହି ଆଇଏସଏଲ୍ ଦଳକୁ କେବଳ ଭିତ୍ତିଭୂମି ଯୋଗାଇଦେବ। ପ୍ରତି ବଦଳରେ କିନ୍ତୁ ଏହି ଦଳର ଫୁଟ୍‌ବଲ୍ ଅଭିଜ୍ଞତାକୁ ଓଡ଼ିଶାରେ ଏହି ଖେଳରେ ଉପଯୋଗ କରିବା ଲାଗି ଖସଡ଼ା ପ୍ରସ୍ତୁତ ହୋଇଛି। ୧୩, ୧୫, ୧୮ ବର୍ଷରୁ କମ୍‌ ଆଇ ଲିଗ୍‌ ଦଳ କେବଳ ଓଡ଼ିଶାର ପୁରୁଷ ଓ ମହିଳା ଫୁଟବଲ୍ ଖେଳାଳିଙ୍କୁ ନେଇ ଗଠିତ ହେବ। ଏହା ଛଡ଼ା ଦ୍ବିତୀୟ ଡିଭିଜନ୍‌ ଲାଗି ଗଠିତ ଦଳରେ ଓଡ଼ିଶା ଖେଳାଳି ୫୦ ପ୍ରତିଶତ ପିଲା ରହିବେ। ପୂର୍ବରୁ ବାଙ୍ଗାଲୋର ଏଫସି ସହିତ ଏଭଳି ଯୋଜନା କରିଥିଲେ ମଧ୍ୟ ଏବେ ଦିଲ୍ଲୀ ଡାଇନାମସ୍‌ ବାସ୍ତବ ରୂପରେଖ ନେବାକୁ ଯାଉଛି। ଏହା ଛଡ଼ା ନବ ନାମିତ ଆଇଏସ୍‌ଏଲ୍‌ ଦଳ ମଧ୍ୟ ଓଡ଼ିଶାର ସବୁ ଜିଲ୍ଲାରେ ଥିବା ବିଦ୍ୟାଳୟ ଏବଂ ପ୍ରମୁଖ ସହରଗୁଡ଼ିକରେ ଫୁଟ୍‌ବଲ୍ ବିକାଶ ପାଇଁ କାମ କରିବ। ପ୍ରଶିକ୍ଷକଙ୍କ ସ୍ତର ବଢ଼ାଇବା ସହିତ ସେମାନଙ୍କ ମାର୍ଗଦର୍ଶନରେ ବି ସହାୟକ ହେବ। ୭/୮ ବର୍ଷ ଭିତରେ ଯେଭଳି ଓଡ଼ିଶାରୁ ଅନ୍ତର୍ଜାତୀୟସ୍ତରର ଖେଳାଳି ସୃଷ୍ଟି ହୋଇପାରିବେ ସେଭଳି ଦୂରଦୃଷ୍ଟି ଧାର୍ଯ୍ୟ କରାଯାଇଛି ବୋଲି କ୍ରୀଡ଼ା ଓ ଯୁବସେବା ବିଭାଗର ଜଣେ ଅଧିକାରୀ ନିଜ ନାମ ଗୋପନ ରଖି ପ୍ରକାଶ କରିଛନ୍ତି। ପୂର୍ବରୁ ଓଡ଼ିଶା ସରକାର ୧୬ ବର୍ଷରୁ କମ୍ ଜାତୀୟ ଫୁଟ୍‌ବଲ୍ ଦଳକୁ ପ୍ରା‌‌‌ୟୋଜିତ କରି ଆସିଛି। ଓଡ଼ିଶା ସରକାର କେବଳ ଭିତ୍ତିଭୂମି ଓ ରହଣୀ ବ୍ୟବସ୍ଥା କରୁଛି। ଇଣ୍ଡିଆନ୍ ଆରୋଜ୍‌ ଜାତୀୟ ଯୁବ ଦଳ ମଧ୍ୟ କେବଳ ଓଡ଼ିଶା ଭିତ୍ତିଭୂମିର ସହାୟତା ନେଉଛି। ହେଲେ ଏହାର ପ୍ରତି ବଦଳରେ ଜାତୀୟ ଦଳରେ ଓଡ଼ିଶା ଖେଳାଳିଙ୍କୁ ସ୍ଥାନ ମିଳିବା ଯୁକ୍ତିସଂଗତ ନୁହେଁ। ବରଂ ଇଣ୍ଡିଆନ୍ ଆରୋଜ ଏବଂ ଜାତୀୟସ୍ତରର ଖେଳାଳିଙ୍କ ସହ ଖେଳିବାର ସୁଯୋଗ ପାଇବା ଓଡ଼ିଶାର ଭବିଷ୍ୟତ ଖେଳାଳିଙ୍କୁ ଗଢ଼ି ତୋଳିବା ସହିତ ସେମାନଙ୍କ ସ୍ତର ବଢ଼ାଇବାରେ ସହାୟକ ହେବ ବୋଲି ସେ ଯୁକ୍ତି ବାଢ଼ିଥିଲେ।

ସମ୍ବନ୍ଧିତ ଖବର