ଜୟପୁର: ଦଳଗତ ପ୍ରଦର୍ଶନ ବଳରେ ପ୍ଲେ ଅଫ୍ ଯୋଗ୍ୟତା ଅର୍ଜନ କରିଥିବା ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରି ଦିଲ୍ଲୀ କ୍ୟାପିଟାଲ୍ସ ଅଭିଯାନ ଶେଷ କରିଛି। ୧୪ରୁ ୭ ବିଜୟ ସହ ୧୫ ପଏଣ୍ଟ ପାଇ ପଞ୍ଚମ ସ୍ଥାନରେ ରହିବାର ଗୌରବ ବି ପାଇଛି। ଶନିବାର ପଞ୍ଜାବ କିଙ୍ଗ୍ସ ୨୦୬ ରନ୍ର ଲଢ଼ୁଆ ସ୍କୋର୍ ଛିଡ଼ା କରିଥିଲା। କିନ୍ତୁ ଏକାଧିକ ପରିବର୍ତ୍ତନ କରି ପଡ଼ିଆକୁ ଓହ୍ଲାଇଥିବା ଦିଲ୍ଲୀ କ୍ୟାପିଟାଲ୍ସ ୩ ବଲ୍ ପୂର୍ବରୁ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା। ସମୀର ରିଜ୍ଭୀ (୨୫ ବଲ୍ରୁ ୫୮ ରନ୍, ୩ ଚୌକା, ୫ ଛକା) ବିଜୟକୁ ସହଜ କରି ଦେଇଥିଲେ। ଅନ୍ୟପକ୍ଷରେ ପଞ୍ଜାବ ଶୀର୍ଷ ୨ ସ୍ଥାନରେ ରହିବାକୁ ଅବଶ୍ୟ ଆଉ ଏକ ସୁଯୋଗ ପାଇବ। ମୁମ୍ବାଇ ଇଣ୍ଡିଆନ୍ସ ସହ ସୋମବାର ଖେଳିବ ପଞ୍ଜାବ କିଙ୍ଗ୍ସ।
ସବାଇ ମାନସିଂହ ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଫାପ୍ ଡୁ’ ପ୍ଲେସିସ୍ ଟସ୍ ଜିତି କ୍ଷେତ୍ରରକ୍ଷଣ ନିଷ୍ପତ୍ତି ନେଇଥିଲେ। ପଞ୍ଜାବ କିଙ୍ଗ୍ସ ପାଇଁ ପ୍ରିୟାଂଶ ଆର୍ଯ୍ୟ (୯ ବଲ୍ରୁ ୬ ରନ୍) ସଂଘର୍ଷ କରିଥିବାବେଳେ ତାଙ୍କ ସାଥୀ ଓପନର୍ ପ୍ରଭସିମରନ୍ ସିଂହ (୧୮ ବଲ୍ରୁ ୨୮ ରନ୍) ଦଳକୁ ବଢ଼ିଆ ଆରମ୍ଭ ଦେଇଥିଲେ। ପାୱାର ପ୍ଲେ’ ଭିତରେ ୨ ୱିକେଟ୍ ହରାଇ ପଞ୍ଜାବ କିଙ୍ଗ୍ସ ୬୦ ରନ୍ କରିଥିଲା। ଜୋସ୍ ଇଙ୍ଗ୍ଲିସ୍ (୧୨ ବଲ୍ରୁ ୩୨ ରନ୍) ବିପ୍ରଜ ନିଗମଙ୍କ ଦ୍ବିତୀୟ ଶିକାର ହୋଇଥିଲେ। ପୂର୍ବରୁ ସେ ପ୍ରଭସିମ୍ରନଙ୍କୁ ବୋଲ୍ଡ କରିଦେଇଥିବାବେଳେ ଏଥର ୱିକେଟ୍ ପଛପଟେ କ୍ୟାଚ୍ ନେଇଥିଲେ ତ୍ରିଷ୍ଟନ୍ ଷ୍ଟବ୍ସ। ଏହା ପରେ ଅଧିନାୟକ ଶ୍ରେୟସ ଆୟର ଭାରତୀୟ ଟେଷ୍ଟ୍ ଦଳରେ ଅଣଦେଖା ଖବରକୁ ପଛରେ ପକାଇ ଆକ୍ରମଣାତ୍ମକ ଖେଳିଥିଲେ। ୩୪ ବଲ୍ରୁ ୫୩ ରନ୍ ସଂଗ୍ରହ କରି କୁଲଦୀପ ୟାଦବଙ୍କ ପ୍ରଥମ ଶିକାର ହୋଇଥିଲେ ସେ। ତାଙ୍କ ପାଳିରେ ୫ ଚୌକା ଓ ୨ ଛକା ସାମିଲ ଥିଲା। ମଧ୍ୟକ୍ରମରେ ନେହଲ ୱଢେରା (୧୬) ଓ ଶଶାଙ୍କ ସିଂହ (୧୧) ବିଫଳ ହୋଇଥିଲେ ମଧ୍ୟ ମାର୍କେସ ଷ୍ଟୋଇନିସ୍ (୧୬ ବଲ୍ରୁ ୪୪* ରନ୍) ଦଳକୁ ୨୦୦ ଅତିକ୍ରମ କରାଇ ନେଇଥିଲେ। ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଏହି ମ୍ୟାଚ୍ରେ ଟେଷ୍ଟ୍ ପ୍ରତ୍ୟାବର୍ତ୍ତନକାରୀ କରୁଣ ନାୟାର ଖେଳିଥିବାବେଳେ ଅଫଗାନିସ୍ତାନ ଓପନର୍ ସେଦିକୁଲା ଅଟଳ ପଦାର୍ପଣ କରିଥିଲେ।
ସଂକ୍ଷିପ୍ତ ସ୍କୋର୍: ପଞ୍ଜାବ କିଙ୍ଗ୍ସ ୨୦ ଓଭରରେ ୨୦୬/୮ (ଶ୍ରେୟସ ଆୟର-୫୩, ମାର୍କସ ଷ୍ଟୋଇନିସ୍-୪୪*, ଜୋସ୍ ଇଙ୍ଗ୍ଲିସ୍-୩୨, ପ୍ରଭସିମରନ୍ ସିଂହ-୨୮, ମୁସ୍ତାଫିଜୁର ରହମାନ-୩/୩୩, ବିପ୍ରଜ ନିଗମ-୨/୨୮, କୁଲଦୀପ ୟାଦବ-୨/୩୯, ମୁକେଶ କୁମାର-୧/୪୯)। ଦିଲ୍ଲୀ କ୍ୟାପିଟାଲ୍ସ ୧୯.୩ ଓଭରରେ ୨୦୮/୪ (ସମୀର ରିଜ୍ଭୀ-୫୮*, କରୁଣ ନାୟାର-୪୪, କେଏଲ୍ ରାହୁଲ-୩୫, ଫାପ୍ ଡୁ ପ୍ଲେସିସ୍-୨୩, ତ୍ରିଷ୍ଟନ୍ ଷ୍ଟବ୍ସ-୧୮*, ହରପ୍ରୀତ୍ ବ୍ରାର୍-୨/୪୧, ପ୍ରବୀଣ ଦୁବେ-୧/୨୦, ମାର୍କୋ ୟାନ୍ସେନ୍-୧/୪୧)।