ଆବୁଧାବି: ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଦୀର୍ଘ ପ୍ରତିକ୍ଷାର ଅବସାନ ଘଟିଛି। ରବିବାର ସନ୍ରାଇଜର୍ସ ହାଇଦ୍ରାବାଦକୁ ଉଦୟ ହେବାର କୌଣସି ସୁଯୋଗ ନଦେଇ ଫାଇନାଲରେ ସ୍ଥାନ ପକ୍କା କରି ନେଇଛି ଶ୍ରେୟସ୍ ଆୟରଙ୍କ ଦଳ। ଆଇପିଏଲ୍ର ଗତ ୧୨ ଋତୁରେ ଏକାଧିକବାର ଫାଇନାଲ୍ ଦ୍ବାରରେ ପହଞ୍ଚିଥିଲା ଦିଲ୍ଲୀ। ହେଲେ ଶେଷ କ୍ଷଣରେ ଏହି ଦଳ ହାତରୁ ଖସି ଯାଉଥିଲା ଟ୍ରଫି ଲଢ଼େଇ ଟିକେଟ। ଏଥର କିନ୍ତୁ ପ୍ରତୀକ୍ଷିତ ଲକ୍ଷ୍ୟକୁ ହାସଲ କରି ନେଇଛି ଦୁଇ ଥର ସେମିଫାଇନାଲିଷ୍ଟ ଦଳ। ରବିବାରର ଉତ୍କଣ୍ଠାପୂର୍ଣ୍ଣ , ରୋମାଞ୍ଚକର ତଥା ନାଟକୀୟ ଦ୍ବିତୀୟ କ୍ବାଲିଫାୟରରେ ସନ୍ରାଇଜର୍ସକୁ ୧୭ ରନ୍ରେ ହରାଇ ପ୍ରଥମ ଥର ଆଇପିଏଲ୍ ଫାଇନାଲ୍ରେ ପ୍ରବେଶ କରିଛି ଦିଲ୍ଲୀ। ଏବେ ମଙ୍ଗଳବାର ଟ୍ରଫି ଟକ୍କରରେ ଚାରି ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ସହ ମୁକାବିଲା କରିବ। ଦିଲ୍ଲୀ ତା’ ସହ ଗତବର୍ଷ ଏଲିମିନେଟର ପରାଜୟର ମଧୁର ପ୍ରତିଶୋଧ ନେଇଛି। ଗତବର୍ଷ ଦିଲ୍ଲୀକୁ ହରାଇ ହାଇଦ୍ରାବାଦ କ୍ବାଲିଫାୟରକୁ ଯାଇଥିଲା। ଏବର୍ଷ ହାଇଦ୍ରାବାଦକୁ ପଥଚ୍ୟୁତ କରି ଫାଇନାଲ ଖେଳିବାକୁ ଯାଉଛି ରାଜଧାନୀ ଏକ୍ସପ୍ରେସ୍ ଭାବେ ପରିଚିତ ଦିଲ୍ଲୀ କ୍ୟାପିଟାଲ୍ସ ଦଳ।
ମୋଡ଼ ବଦଳାଇଲେ ଷ୍ଟୋଇନିସ୍
ରବିବାର ୧୯୦ ରନ୍ର ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ସନ୍ରାଇଜର୍ସ ମାତ୍ର ୧୨ ରନ୍ରେ ଅଧିନାୟକ ଡେଭିଡ୍ ୱାର୍ନର (୨)ଙ୍କୁ ହରାଇଥିଲା। ତେବେ କେନ୍ ୱିଲିୟମସନ୍ (୬୭ ରନ୍, ୪୫ ବଲ୍, ୫ ଚୌକା, ୪ ଛକା)ଙ୍କ ଦ୍ରୁତ ଓ ଲଢ଼ୁଆ ଅର୍ଧଶତକ ସହ ଅବଦୁଲ ସମଦଙ୍କ ୧୬ ବଲ୍, ୩୩ (୨ ଚୌକା, ୨ ଛକା) ରନ୍ ବଳରେ ଦିଲ୍ଲୀ ପଞ୍ଝାରୁ ମ୍ୟାଚ୍ ଛଡ଼ାଇ ନେବାର ନିକଟରେ ପହଞ୍ଚି ଯାଇଥିଲା। ଠିକଣା ସମୟରେ ୱିଲିୟମସନଙ୍କୁ କୌଶଳ କ୍ରମେ ଆଉଟ୍ କରି ମାର୍କସ ଷ୍ଟୋଇନିସ୍ ମ୍ୟାଚ୍ର ମୋଡ଼ ପୂରା ବଦଳାଇ ଦେଇଥିଲେ। ରସିବ ଖାନ୍ ଏକ ଦର୍ଶନୀୟ ଛକା ମାରି ହାଇଦ୍ରାବାଦ ପାଇଁ ଆଶା ସୃଷ୍ଟି କରିଥିଲେ। ତେବେ ୱିକେଟ୍ ବଞ୍ଚାଇ ପାରି ନଥିଲେ। ଏହା ପରେ ନିୟମିତ ୱିକେଟ୍ ହରାଇ ହାଇଦ୍ରାବାଦ ୮ ୱିକେଟ୍ ବିନିମୟରେ ୧୭୨ ରନ୍ କରି ପରାଜିତ ହେବା ସହ ଚଳିତ ଆଇପିଏଲ୍ରୁ ବିଦାୟ ନେଇଥିଲା। ବିସ୍ଫୋରକ ସମଦଙ୍କ ସହ ହାଇଦ୍ରାବାଦର ଶେଷ ତିନିଟି ୱିକେଟ୍ ନେଇ କାଗିସୋ ରବାଦା ମଧ୍ୟ ପୁନର୍ବାର ବାଇଗଣୀ ଟୋପୀ ଫେରି ପାଇଥିଲେ। ହେଲେ ଷ୍ଟୋଇନିସ୍ ତାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ଧାୱନ ଧୂଲେଇ
ପ୍ରଥମ କ୍ବାଲିଫାୟରରେ ମୁମ୍ବାଇ ଇଣ୍ଡିଆନ୍ସଠାରୁ ହାରିବା ସତ୍ତ୍ବେ ପଏଣ୍ଟ୍ ତାଲିକାର ଶୀର୍ଷ ଦୁଇ ସ୍ଥାନରେ ରହି ଫାଇନାଲ୍ ଟିକେଟ ହାସଲ କରିବାର ଦ୍ବିତୀୟ ସୁଯୋଗ ପାଇଥିବା ଦିଲ୍ଲୀ ରବିବାର ଟସ୍ ଜିତିଥିଲା। ଆଉ ଅଧିନାୟକ ଶ୍ରେୟସ୍ ଆୟର ତୁରନ୍ତ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଏହାକୁ ଦୁଇ ପ୍ରାରମ୍ଭିକ ଯୋଡ଼ି ଶିଖର ଧାୱନ (୭୮ ରନ୍, ୫୦ ବଲ୍, ୬ ଚୌକା, ୨ ଛକା) ଓ ମାର୍କସ ଷ୍ଟୋଇନିସ୍ (୩୮ ରନ୍, ୨୭ ବଲ୍, ୫ ଚୌକା, ୧ ଛକା) ସାର୍ଥକ କରିଥିଲେ। ସିରିଜ୍ ବିଫଳତାର ସମ୍ମୁଖୀନ ହୋଇ ଆସୁଥିବା ପୃଥ୍ବୀ ସ’ ଦଳରୁ ବାଦ୍ ପଡ଼ିବା ପରେ ଷ୍ଟୋଇନିସ୍ ପାଳି ଆରମ୍ଭ କରିବାକୁ ପଦୋନ୍ନତି ପାଇଥିଲେ। ନିଜ ନୂଆ ଭୂମିକାରେ ଦାୟିତ୍ବବାନ ବ୍ୟାଟିଂ କରି ଧାୱନଙ୍କୁ ପୂର୍ଣ୍ଣ ସମର୍ଥନ ଦେଇଥିଲେ ସେ। ଉଭୟ ପାୱେର ପ୍ଲେ’ରୁ ୬୫ ରନ୍ ସହ ପ୍ରଥମ ୱିକେଟ୍ରେ ୮୬ ରନ୍ ଯୋଡ଼ିଥିଲେ। ଷ୍ଟୋଇନିସଙ୍କୁ ରସିଦ ଖାନ୍ ବୋଲ୍ଡ କରି ଯୋଡ଼ି ଭାଙ୍ଗିବା ପୂର୍ବରୁ ଦିଲ୍ଲୀ ମୂଳଦୁଆ ଦୃଢ଼ ହୋଇ ସାରିଥିଲା। ଧାୱନ କିନ୍ତୁ ନିଜ ଧୂଆଁଧାର ବ୍ୟାଟିଂ ଜାରି ରଖିଥିଲେ। ୨୬ ବଲ୍ରୁ ୫ ଚୌକା ଓ ୨ ଛକା ବଳରେ ଚଳିତ ଋତୁର ଚତୁର୍ଥ ଏବଂ ଆଇପିଏଲ୍ର ୪୧ତମ ଅର୍ଧଶତକ ଅର୍ଜନ କରିଥିଲେ ସେ। ଫଳରେ ଦିଲ୍ଲୀ ମାତ୍ର ୯.୪ ଓଭରରେ ୧୦୦ ରନ୍ ପୂରଣ କରିଥିଲା। ଚଳିତ ଆଇପିଏଲ୍ରେ ୬୦୦ ରନ୍ ପୂରଣ କରିବାରେ କେଏଲ୍ ରାହୁଲଙ୍କ ପରେ ଧାୱନ ବି ଦ୍ବିତୀୟ ଖେଳାଳି ହୋଇଥିଲେ। ତେବେ ତୃତୀୟ ସ୍ଥାନରେ ଖେଳିଥିବା ଅଧିନାୟକ ଶ୍ରେୟସ୍ ଆୟର (୨୧ ରନ୍, ୨୦ ବଲ୍, ୧ ଚୌକାଙ)ଙ୍କ ବ୍ୟାଟ୍ କିନ୍ତୁ ଚାଲିନଥିଲା। ଚର୍ତୁଦଶ ଓଭରରେ ଜାସନ ହୋଲ୍ଡରଙ୍କୁ ସେ ନିଜ ୱିକେଟ୍ ଉପହାର ଦେବା ପରେ ସିମରନ୍ ହେଟମେର (୪୨*, ୨୨ ବଲ୍, ୪ ଚୌକା, ୧ ଛକା)ଙ୍କ ଆକ୍ରମଣରେ ଦିଲ୍ଲୀ ଦ୍ରୁତ ରନ୍ ଯୋଡ଼ିଥିଲା। ହେଲେ ଊନ୍ନବିଂଶ ଓଭରରେ ରିଭର୍ସ ସ୍ବିପ୍ କରିବା ପ୍ରୟାସରେ ଧାୱନ୍ ଏଲ୍ବିଡବ୍ଲ୍ୟୁ ହେବା ପରେ ଦିଲ୍ଲୀ ରନ୍ ରେଟ୍ କମି ଯାଇଥିଲା। ସନ୍ଦୀପ ଶର୍ମାଙ୍କ ଫୁଲଟସ୍ ଅଫ୍ ଷ୍ଟିକ୍ ବାହାରେ ଥିଲା। ଧାୱନ କିନ୍ତୁ ରିଭ୍ୟୁ ନକରି ସିଧା ସଳଖ ପ୍ୟାଭିଲିୟନ ଫେରି ଯାଇଥିଲେ। ଶେଷ ୨ ଓଭରରେ ସନରାଇଜର୍ସ ବୋଲର ଅପେକ୍ଷାକୃତ ଭଲ ବୋଲିଂ କରି ଗୋଟିଏ ହେଲେ ବି ବାଉଣ୍ଡରି ବ୍ୟୟ କରିନଥିଲେ। ଫଳରେ ଦିଲ୍ଲୀ ନିର୍ଧାରିତ ୨୦ ଓଭରରେ ୩ ୱିକେଟ୍ ମିନିୟରେ ୧୮୯ ରନ୍ରେ ଅଟକି ଯାଇଥିଲା। ଶେଷ ୧୦.୨ ଓଭରରେ ଦିଲ୍ଲୀ କେବଳ ୮୯ ରନ୍ ଯୋଡ଼ି ପାରିଥିଲା। ଏକାଧିକ କ୍ୟାଚ୍ ହାତଛଡ଼ା କରିବା ସନ୍ରାଇଜର୍ସ ପାଇଁ ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/sdfghf4hsf4h98sf7sfh987h98fssfsfsfh.jpg)