ନୂଆଦିଲ୍ଲୀ: ଯେଉଁ ଜାତୀୟ କ୍ରୀଡ଼ା ସଂଘ (ଏନ୍ଏସ୍ଏଫ୍)ଗୁଡ଼ିକ ଜାତୀୟ କ୍ରୀଡ଼ା ନୀତିକୁ ଠିକ୍ ଭାବେ ଅନୁସରଣ କରୁନାହାନ୍ତି ସେମାନଙ୍କୁ ଅସ୍ଥାୟୀ ତଥା ସାମୟିକ ସ୍ବୀକୃତି ଦେବା ଅଭ୍ୟାସକୁ ବନ୍ଦ କର। ଏଭଳି ସ୍ବୀକୃତି ଦେବା ସଂପୂର୍ଣ୍ଣ ଅନୁଚିତ ବୋଲି ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଶୁକ୍ରବାର କ୍ରୀଡ଼ା ମନ୍ତ୍ରଣାଳୟକୁ ପରାମର୍ଶ ଦେଇଛନ୍ତି। ବରଂ ଜାତୀୟ କ୍ରୀଡ଼ା ନୀତିକୁ ଅନୁପାଳନ କରିବାକୁ ସେମାନଙ୍କୁ କୁହାଯାଉ ବୋଲି ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ଜଷ୍ଟିସ୍ ହିମା କୋହଲି ଏବଂ ନାଜ୍ମି ୱାଜିରିଙ୍କୁ ଗଠିତ ଏକ ଖଣ୍ଡପୀଠ ନିର୍ଦେଶ ଦେଇଛନ୍ତି। ଆଗାମୀ ବର୍ଷ ଟୋକିଓ ଅଲିମ୍ପିକ୍ ରହିଥିବାରୁ କ୍ରୀଡ଼ାବିତ୍ମାନଙ୍କ ପ୍ରଶିକ୍ଷଣ ଆରମ୍ଭ ପାଇଁ ସ୍ବୀକୃତି ରଦ୍ଦ କରାଯାଇଥିବା ୫୭ ଏନ୍ଏସ୍ଏଫ୍କୁ ସାମୟିକ ବାର୍ଷିକ ସ୍ବୀକୃତି ମଞ୍ଜୁର ଅନୁମତି ଦେବା ଦାବିରେ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ମାମଲା ଦାୟର କରାଯାଇଥିଲା। ଏହାର ଶୁଣାଣି ବେଳେ ଖଣ୍ଡପୀଠ ଏହି ନିର୍ଦେଶ ଦେଇଛନ୍ତି। ଏଥି ସହିତ ଆଇନଜୀବୀ ରାହୁଲ ମେହେରଙ୍କୁ ମଧ୍ୟ ତାଙ୍କ ପକ୍ଷ ରଖିବା ପାଇଁ ନୋଟିସ ଜାରି କରାଯାଇଛି। କେଉଁସବୁ ଏନ୍ଏସ୍ଏଫ୍ ଅତୀତରେ ଜାତୀୟ କ୍ରୀଡ଼ା ନୀତିକୁ ଅନୁପାଳନ କରୁନଥିଲେ ଏବଂ କେଉଁମାନେ ପାଳନ କରୁଥିଲେ ସେନେଇ ପୂର୍ଣ୍ଣାଙ୍ଗ ତଥ୍ୟ ରଖିବାକୁ ନିର୍ଦେଶ ଦିଆଯାଇଛି। ଯାହଳଫଳରେ ଅସ୍ଥାୟୀ ସ୍ବୀକୃତି ମଞ୍ଜର ପ୍ରଦାନ ନେଇ ବିଚାର କରାଯାଇପାରିବ ବୋଲି ଖଣ୍ଡପୀଠ ମେହରେଙ୍କୁ ସଂକେତ ଦେଇଛନ୍ତି।
ଏହି ମାମଲାରେ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଅତିରିକ୍ତ ସୋଲିସିଟର୍ ଜେନେରାଲ ଚେତନ ଶର୍ମା ଏବଂ କେନ୍ଦ୍ର ସରକାରଙ୍କ ଷ୍ଟାଣ୍ଡିଂ କାଉନ୍ସେଲ୍ ଅନିଲ ସୋନି ନ୍ୟାୟାଳୟରେ ଯୁକ୍ତି ଉପସ୍ଥାପନ କରିଥିଲେ। ସେମାନେ ୫୭ ଏନ୍ଏସ୍ଏଫ୍କୁ ଅସ୍ଥାୟୀ ସ୍ବୀକୃତି ମଞ୍ଜୁର କରିବାକୁ ମଧ୍ୟବର୍ତୀକାଳୀନ ନିର୍ଦେଶ ଦେବାକୁ ଅନୁରୋଧ କରିଥିଲେ। ଅଲିମ୍ପିକ୍ ବର୍ଷ ଥିବାରୁ ବିଭିନ୍ନ କ୍ରୀଡ଼ା ଶୃଙ୍ଖଳର ଆଥ୍ଲେଟ୍ମାନେ ପ୍ରଶିକ୍ଷଣ ଓ ପ୍ରସ୍ତୁତି ଚଳାଇବା ପାଇଁ ନ୍ୟାୟାଳୟଙ୍କ ଅନୁମୋଦନ ଜରୁରି ବୋଲି କହିଥିଲେ। ହେଲେ ଅପର ପକ୍ଷର ପ୍ରଥମ ଶୁଣାଣି ବିନା କୌଣସି ନିର୍ଦେଶ ଦିଆଯାଇପାରିବନି ବୋଲି ଖଣ୍ଡପୀଠ ଜଣାଇ ଦେଇଥିଲେ। କେବଳ ସେତିକି ନୁହେଁ, ନ୍ୟାୟାଳୟ ମଧ୍ୟ କହିଥିଲେ ଯେ ସ୍ବୀକୃତି ମଞ୍ଜୁର ପାଇଁ ପ୍ରକ୍ରିୟା ଚଳିତ ବର୍ଷ ଜାନୁଆରିରୁ ଆରମ୍ଭ ହୋଇଥିଲା ବେଳେ ମନ୍ତ୍ରଣାଳୟ ପୂର୍ବରୁ କାହିଁକି ଆସିନଥିଲା। ଏବେ କାହିଁକି ତରବରିଆ ଭାବେ ଜରୁରି ନିର୍ଦେଶ ପାଇଁ କହୁଛି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ। ତଥାପି ଏ ସଂପର୍କିତ ତାଙ୍କ ଜବାବ ଦାଖଲ କରିବା ପାଇଁ ଆଇନଜୀବୀ ମେହେରଙ୍କୁ ନ୍ୟାୟାଳୟ ୩ ସପ୍ତାହ ସମୟ ଦେବା ସାଙ୍ଗକୁ ମାମଲାର ପରବର୍ତୀ ଶୁଣାଣି ଅଗଷ୍ଟ ୭ ତାରିଖକୁ ଧାର୍ଯ୍ୟ କରିଛନ୍ତି। ଏହା ପୂର୍ବରୁ ଏନ୍ଏସ୍ଏଫ୍ଗୁଡ଼ିକର ବାର୍ଷିକ ସ୍ବୀକୃତିକୁ ଅସ୍ଥାୟୀ ଭାବେ ନବୀକରଣ କରିବା ନେଇ କ୍ରୀଡ଼ା ମନ୍ତ୍ରଣାଳୟର ଜୁନ୍ ୨ ତାରିଖ ନିଷ୍ପତ୍ତିକୁ ଜୁନ୍ ୨୪ ତାରିଖରେ ଉଚ୍ଚ ନ୍ୟାୟାଳୟ କାଏମ ରଖିଥିଲେ।