ଅହମଦାବାଦ: ଚଳିତ ଆଇପିଏଲ୍ର ଅଷ୍ଟମ ରାଉଣ୍ଡ୍ ପ୍ରଥମ ମୁକାବିଲାରେ ପଞ୍ଜାବ କିଙ୍ଗ୍ସକୁ ୭ ୱିକେଟ୍ରେ ପରାସ୍ତ କରି ଦିଲ୍ଲୀ କ୍ୟାପିଟାଲ୍ସ ପଏଣ୍ଟ ଟେବୁଲ୍ ଶୀର୍ଷକୁ ଉଠିଛି। ଋଷଭ ପନ୍ତ୍ଙ୍କ ଦଳ ଅଷ୍ଟମ ମ୍ୟାଚ୍ରୁ ଷଷ୍ଠ ବିଜୟ ପାଇଥିବା ବେଳେ ପଞ୍ଜାବ କିଙ୍ଗ୍ସ ସମାନ ମ୍ୟାଚ୍ରୁ ପଞ୍ଚମ ପରାଜୟ ବରଣ କରି ଅସ୍ଥିର ପ୍ରଦର୍ଶନ ଜାରି ରଖିଛି। ରବିବାର ରାତିରେ କାମଚଳା ଅଧିନାୟକ ମୟଙ୍କ ଅଗ୍ରୱାଲଙ୍କ ଆକର୍ଷଣୀୟ ୯୯* ରନ୍ ବଳରେ ପଞ୍ଜାବ ୧୬୬/୬ କରିଥିଲା। ଜବାବରେ ଶିଖର ଧାୱନଙ୍କ ଆଉ ଏକ ଜବରଦସ୍ତ ପାଳି (୬୯*, ୪୭ ବଲ୍, ୬ ଚୌକା, ୨ ଛକା) ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ୨.୨ ଓଭର ପୂର୍ବରୁ ୩ ୱିକେଟ୍ ବିନିମୟରେ ୧୬୭ ରନ୍ ସଂଗ୍ରହ କରିନେଇଥିଲା। ପୃଥ୍ବୀ ସ’ (୩୯) ଏବଂ ଷ୍ଟିଭ୍ ସ୍ମିଥ୍ (୨୫) ସମାନ ୨୨ ଲେଖାଏଁ ବଲ୍ ଖେଳି ଉପଯୋଗୀ ଅବଦାନ ଦେଇଥିଲେ। ସିମ୍ରନ୍ ହେଟମେୟର୍ କିନ୍ତୁ ୪ ବଲ୍ରୁ ୧୬* ରନ୍ କରି ମ୍ୟାଚ୍ ମୁଣ୍ଡି ମାରିଥିଲେ। ତେବେ ଅପରାଜିତ ୯୯ ରନ୍ ପାଇଁ ମୟଙ୍କ ଅଗ୍ରୱାଲ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ମୟଙ୍କଙ୍କ ୯୯* ବେକାର
ଚଳିତ ଆଇପିଏଲ୍ର ଦ୍ବିତୀୟ ଭାଗ ଆରମ୍ଭରୁ ପଞ୍ଜାମ କିଙ୍ଗ୍ସର କାମଚଳା ଅଧିନାୟକ ମୟଙ୍କ ଅଗ୍ରୱାଲଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଥିଲା। ଆପେଣ୍ଟିସାଇଟିସ୍ ଅସ୍ତ୍ରୋପଚାର କାରଣରୁ ଏହି ମ୍ୟାଚ୍ ଖେଳିବାରୁ କେଏଲ୍ ରାହୁଲ ବଞ୍ଚିତ ହେବାରୁ ମୟଙ୍କ ଅଗ୍ରୱାଲ୍ ଅଧିନାୟକତ୍ବ ସୁଯୋଗ ପାଇଥିଲେ। ଏହା ତାଙ୍କ ଖେଳ ଜୀବନର କୌଣସି ଫର୍ମାଟରେ ପ୍ରଥମ ନେତୃତ୍ବ ଥିଲା। ପୂର୍ବରୁ କେବଳ ଗୋଟିଏ ଭାରତ ‘ଏ’ ମ୍ୟାଚ୍ରେ ନେତୃତ୍ବ ନେଇଥିଲେ। ପ୍ରଭସିମ୍ରନ ସିଂହଙ୍କ ସହ ପାଳି ଆରମ୍ଭ କରିଥିବା ମୟଙ୍କ ପ୍ରଥମରୁ ସତର୍କତାର ସହ ବ୍ୟାଟିଂ କରିଥିଲେ ମଧ୍ୟ କ୍ରମେ ଆକ୍ରମଣାତ୍ମକ ହୋଇ ଉଠିଥିଲେ। ୩୭ ବଲ୍ରୁ ଅର୍ଦ୍ଧଶତକ ପୂର୍ଣ୍ଣ କରିଥିଲେ ମଧ୍ୟ ପରବର୍ତୀ ୨୧ ବଲ୍ରୁ ୪୯ ରନ୍ ଯୋଡ଼ିଥିଲେ। ଶେଷ ଓଭର ବୋଲିଂ କରିଥିବା ଅଭେସ୍ ଖାନ୍ଙ୍କ ଶେଷ ୩ ବଲ୍ରୁ ୪, ୬, ୪ ମାରିଥିଲେ ମଧ୍ୟ ଶତକଠାରୁ ମାତ୍ର ୧ ରନ୍ ପାଇଁ ବଞ୍ଚିତ ରହିଥିଲେ। ଆଇପିଏଲ୍ ଅଧିନାୟକତ୍ବ ପଦାର୍ପଣରେ ସର୍ବାଧିକ ବ୍ୟକ୍ତିଗତ ରନ୍ କରିବାରେ ସେ ସଞ୍ଜୁ ସାମସନ୍ (୧୧୯* ବନାମ ପଞ୍ଜାବ, ୨୦୨୧)ଙ୍କ ପରେ ଦ୍ବିତୀୟ ସ୍ଥାନରେ ରହିଥିଲେ। ତେବେ ସପ୍ତମ ଉଦାହରଣ ତଥା ଷଷ୍ଠ ଖେଳାଳି ଭାବେ ୯୯ ରନ୍ରେ ଅଟକିଥିଲେ। ପୂର୍ବରୁ ସୁରେଶ ରାଇନା ଓ କ୍ରିସ୍ ଗେଲ୍ ଥରେ ଲେଖାଏଁ ୯୯* ରନ୍ କରିଥିଲେ। ବିରାଟ କୋହଲି, ପୃଥ୍ବୀ ସ’ ଈଶାନ କିଶନ, କ୍ରିସ୍ ଗେଲ୍ ଥରେ ଲେଖାଏଁ ୯୯ ରନ୍ରେ ଆଉଟ୍ ହୋଇଥିଲେ। ମୟଙ୍କଙ୍କ ପାଳିକୁ ରବିବାର କେବଳ ପ୍ରଥମ ମ୍ୟାଚ୍ ଖେଳିଥିବା ଦାୱିଦ ମଲାନ (୨୬, ୨୬ ବଲ୍) ସହଯୋଗ କରିଥିଲେ। ତଥାପି ଦଳ ୬ ୱିକେଟ୍ ହରାଇ ୧୬୬ ରନ୍ କରି ନେଇଥିଲା। କ୍ରିସ୍ ଗେଲ୍, ଦୀପକ ହୁଦା, ଶାହାରୁଖ୍ ଖାନ୍ ବିଫଳ ହୋଇଥିଲେ। କାଗିସୋ ରବାଦା (୩-୦-୩୬-୩) ସଫଳ ବୋଲର ଥିଲେ।
ସବା କରିମ କ୍ୟାପିଟାଲ୍ସର ପ୍ରତିଭା ଅନ୍ବେଷଣ ମୁଖ୍ୟ
ପୂର୍ବତନ ଭାରତୀୟ ୱିକେଟ୍ରକ୍ଷକ ତଥା ଜାତୀୟ ଚୟନକର୍ତ୍ତା ସବା କରିମ ଦିଲ୍ଲୀ କ୍ୟାପିଟାଲ୍ସର ପ୍ରତିଭା ଅନ୍ବେଷଣ ମୁଖ୍ୟ ଭାବେ ନିଯୁକ୍ତି ହୋଇଛନ୍ତି। କରିମ ଜାନୁଆରି ପର୍ଯ୍ୟନ୍ତ ବିସିସିଆଇ ସାଧାରଣ ପ୍ରବନ୍ଧକ (କ୍ରିକେଟ୍ ପରିଚାଳନା) ଥଲେ। ୫୩ ବର୍ଷୀୟ କରିମ ଭାରତ ପକ୍ଷରୁ ୩୪ ଦିନିକିଆ ଓ ଗୋଟିଏ ଟେଷ୍ଟ୍ ଖେଳିଥିଲେ। ଆଖି ଯନ୍ତ୍ରଣା ଯୋଗୁଁ ସେ ଅବସର ନେବାକୁ ବାଧ୍ୟ ହୋଇଥିଲେ। ଦିଲ୍ଲୀ କ୍ୟାପିଟାଲ୍ସ ଟ୍ବିଟ୍ କରି କରିମଙ୍କ ନିଯୁକ୍ତି ନେଇ ସ୍ପଷ୍ଟ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/d54ghf4h9s4h56sffffffffffffffffffff.jpg)