ଆବୁଧାବି: ବ୍ୟାଟିଂ ଓ ବୋଲିଂ ବେଳକୁ ମିଳିତ ପ୍ରଦର୍ଶନ କାରଣରୁ ଦିଲ୍ଲୀ କ୍ୟାପିଟାଲ୍ସ ଶନିବାର ୩୩ ରନ୍ରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରି ପ୍ଲେ ଅଫ୍ ଯୋଗ୍ୟତାକୁ ଏକ ପ୍ରକାର ନିଶ୍ଚିତ କରିଛି। ଋଷଭ ପନ୍ତ୍ଙ୍କ ଦଳ ୧୦ ମ୍ୟାଚ୍ରୁ ଅଷ୍ଟମ ବିଜୟ ସହ ପୁଣି ଥରେ ପଏଣ୍ଟ ଟେବୁଲ୍ ଶୀର୍ଷକୁ ମଧ୍ୟ ଉଠିଛି। ଆନୁଷ୍ଠାନିକ ଭାବେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ଲେ ଅଫ୍ ଯୋଗ୍ୟତା ଅର୍ଜନ କରିନଥିଲେ ମଧ୍ୟ ଅତୀତରେ ୧୬ ପଏଣ୍ଟ ପାଇ କେହି ବଞ୍ଚିତ ହୋଇନଥିବାରୁ ପନ୍ତ୍-ପଣ୍ଟିଂଙ୍କ ଦଳ ଏବେ ଆଶ୍ବସ୍ତ ରହିଛି। ଅନ୍ୟପକ୍ଷରେ ରାଜସ୍ଥାନ ରୟାଲ୍ସ ନବମ ମ୍ୟାଚ୍ରୁ ପଞ୍ଚମ ପରାଜୟ ବରଣ କରି ଚିନ୍ତାରେ ପଡ଼ିଛି। ସଞ୍ଜୁ ସାମ୍ସନଙ୍କ ଦଳକୁ ଶନିବାର ବୋଲରମାନେ ସୁଯୋଗ ଦେଇଥିଲେ ମଧ୍ୟ ବ୍ୟାଟ୍ସମ୍ୟାନ୍ ମାନେ ଏହାକୁ ହାତଛଡ଼ା କରି ଦେଇଥିଲେ।
ଶନିବାର ଟସ୍ ହାରି ବ୍ୟାଟିଂ ପାଇଥିବା ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଏହାର ପ୍ରାରମ୍ଭିକ ଯୋଡ଼ି ପୃଥୀ ସ’ ଏବଂ ଶିଖର ଧାୱନ ନିରାଶ କରିଥିଲେ। ୪.୧ ଓଭର ବେଳକୁ ଦିଲ୍ଲୀ ଉଭୟଙ୍କ ୱିକେଟ୍ ହରାଇ ମାତ୍ର ୨୧ ରନ୍ କରିଥିଲା। ଶ୍ରେୟସ ଆୟର (୪୩, ୩୨ ବଲ୍) ଏବଂ ଅଧିନାୟକ ଋଷଭ ପନ୍ତ୍ (୨୪, ୨୪ ବଲ୍) ତୃତୀୟ ୱିକେଟ୍ ଭାଗୀଦାରିରେ ୬୨ ରନ୍ ଯୋଡ଼ି ସ୍ଥିତିରେ ସୁଧାର ଆଣିଥିଲେ। ଏହାପରେ ମଧ୍ୟ ନିମ୍ନକ୍ରମରେ ସିମ୍ରନ୍ ହେଟମେୟର (୨୮, ୧୬ ବଲ୍), ଲଳିତ ଯାଦବ (୧୪*, ୧୫ ବଲ୍) ଏବଂ ଅକ୍ଷର ପଟେଲ୍ (୧୨, ୭ ବଲ୍)ଙ୍କ ଉପଯୋଗୀ ପାଳି କାରଣରୁ ଦିଲ୍ଲୀ ୧୫୪ ରନ୍ ସଂଗ୍ରହ କରି ନେଇଥିଲା। ମୁସ୍ତାଫିଜୁର ରହମାନ (୨/୨୨), ଚେତନ ସାକାରିୟା (୨/୩୩), ରାହୁଲ ତିୱାତିଆ (୧/୧୭)ଙ୍କ ଟାଇଟ୍ ବୋଲିଂ ଦିଲ୍ଲୀକୁ ବଡ଼ ସ୍କୋର୍ କରିବାର ସୁଯୋଗ ଦେଇନଥିଲା।
୧୫୫ ରନ୍ ବିଜୟ ଲକ୍ଷରେ ଖେଳିଥିବା ରାଜସ୍ଥାନ ରାୟାଲ୍ସ ପ୍ରଥମରୁ ସୁଯୋଗ ଛାଡ଼ି ଦେଇଥିଲା। ୧୭ ରନ୍ ଭିତରେ ୩ ୱିକେଟ୍ ହରାଇଥିବା ରାଜସ୍ଥାନ ପାୱାର ପ୍ଲେ ଶେଷ ବେଳକୁ ୨୧/୩ରେ ସଂଘର୍ଷ କରିଥିଲା। ଅଭେଶ୍ ଖାନ୍ ଏବଂ ଅନରିକ୍ ନର୍ଖିୟା ରାଜସ୍ଥାନ ପାଳିକୁ ସେଟ୍ ହେବାକୁ ଦେଇନଥିଲେ। ନର୍ଖିୟା ଏବଂ ଅଶ୍ବିନ୍ ନିଜ ନିଜ ପ୍ରଥମ ଓଭରରେ ମଧ୍ୟ ୱିକେଟ୍ ନେଇଥିଲେ। ଦ୍ବାଦଶ ଓଭର ବେଳକୁ ରୟାଲ୍ସ ଦଳ ୫୫ ରନ୍ରେ ୫ ୱିକେଟ୍ ହରାଇ ପରାଜୟ ସ୍ବୀକାର କରି ନେଇଥିଲା। ଅଧିନାୟକ ସଞ୍ଜୁ ସାମସନ୍ (୭୦*, ୫୩ ବଲ୍) ଶେଷ ପର୍ଯ୍ୟନ୍ତ ଲଢ଼ିଥିଲେ ମଧ୍ୟ ସାଥିହରା ହୋଇ ସହଜ ଲାଗୁଥିବା ଲକ୍ଷ୍ୟକୁ ଅତିକ୍ରମ କରପାରିନଥିଲେ। ସାମସନଙ୍କ ବ୍ୟତୀତ ଅନ୍ୟ ଜଣେ ମାତ୍ର ରୟାଲ୍ସ ବ୍ୟାଟର୍ ମହିପାଲ୍ ଲୋମରୋର୍ (୧୯, ୨୪ ବଲ୍) ଦୁଇ ଅଙ୍କ ଛୁଇଁ ପାରିଥିଲେ। ସଞ୍ଜୁ ଏକା ୫୩ ବଲ୍ରୁ ୭୦* ରନ୍ କରିଥିଲେ, କିନ୍ତୁ ତାଙ୍କ ଦଳର ଅନ୍ୟମାନେ ୭୩ ବଲରୁ ୪୫ ରନ୍ ଯୋଡ଼ିଥିଲେ। ୧୫୫ ରନ୍ ଲକ୍ଷ୍ୟ ପଶ୍ଚାତଧାବନ କରିହେବା ଭଳି ଥିଲେ ମଧ୍ୟ ଆମେ ଏତେ ୱିକେଟ୍ ହରାଇବାରୁ ଲୟରେ ରହିପାରିନଥିଲୁ ବୋଲି କହିଥିଲେ ସଞ୍ଜୁ। ପ୍ରଥମ ଥର ପାଇଁ ସଞ୍ଜୁ ଅପରାଜିତ ରହିଥିବା ବେଳେ ତାଙ୍କ ଦଳ ପରାଜୟ ବରଣ କରିଥିଲା। ଶ୍ରେୟସ ଆୟର୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।