ନୂଆଦିଲ୍ଲୀ : ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି)ର ଦୁର୍ବଳ କ୍ଷେତ୍ରରକ୍ଷଣର ଫାଇଦା ଉଠାଇ ଦିଲ୍ଲୀ କ୍ୟାପିଟାଲ୍ସ ଶନିବାର ଘରୋଇ ମ୍ୟାଚ୍ରେ ଚତୁର୍ଥ ବିଜୟ ପାଇଛି। ଆର୍ସିବି ପକ୍ଷରୁ ୧୮୨ ରନ୍ର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ବେଳେ ଦିଲ୍ଲୀ ୧୬.୪ ଓଭରରେ ୭ ୱିକେଟ୍ ହାତରେ ଥାଇ ଏହାକୁ ହାସଲ କରିଥିଲା। ଏହି ବିଜୟ ସହ ଦିଲ୍ଲୀ ୮ ପଏଣ୍ଟ ପାଇ ପଏଣ୍ଟ ତାଲିକାର ଶେଷ ସ୍ଥାନ ଛାଡ଼ି ନବମ ସ୍ଥାନରେ ପହଞ୍ଚିଛି। ଏପରିକି ପୂର୍ବ ମ୍ୟାଚ୍କୁ ଆର୍ସିବି ୨୩ ରନ୍ରେ ଜିତିଥିଲା ବେଳେ ଏଥର ଦିଲ୍ଲୀ ମଧୁର ପ୍ରତିଶୋଧ ନେଇପାରିଛି।
ଫିଲ୍ ସଲ୍ଟ ଦିଲ୍ଲୀ ବିଜୟର ପ୍ରମୁଖ କର୍ଣ୍ଣଧାର ସାଜିବା ସହ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ। ମାତ୍ର ୧୭ ରନ୍ କରିଥିଲା ବେଳେ ଦୀନେଶ କାର୍ତ୍ତିକ ତାଙ୍କର କ୍ୟାଚ୍ ହାତଛଡ଼ା କରିବାରୁ ୪୫ ବଲ୍ରୁ ୮୭ ରନ୍ର ମ୍ୟାଚ୍ ବିଜୟୀ ପାଳି ଖେଳିଥିଲେ। ଏହି ବିସ୍ଫୋରକ ପାଳିରେ ୮ ଚୌକା ଓ ୬ ଛକା ସାମିଲ ଥିଲା। ଡେଭିଡ୍ ୱାର୍ଣ୍ଣର ଓ ସଲ୍ଟ ପ୍ରଥମ ୱିକେଟ୍ରେ ୬୦ ରନ୍ ଯୋଡ଼ି ମଜବୁତ୍ ମୂଳଦୁଆ ପକାଇଥିଲେ। ପାୱାରପ୍ଲେର ଶେଷ ଓଭରରେ ୱାର୍ଣ୍ଣର ଆଉଟ୍ ହେବା ପରେ ମିଚେଲ୍ ମାର୍ଶଙ୍କୁ ସାଥୀ କରି ୫୯ ରନ୍ ଓ ରିଲି ରୁସୋଙ୍କ ସହ ତୃତୀୟ ୱିକେଟ୍ରେ ୫୨ ରନ୍ ଯୋଡ଼ି ସଲ୍ଟ ଦଳକୁ ବିଜୟ ଦ୍ବାରରେ ପହଞ୍ଚାଇଥିଲେ। ମ୍ୟାକ୍ସୱେଲ୍ଙ୍କୁ ଛକା ମାରି ରୁସୋ ବିଜୟ ମୁଣ୍ଡି ମାରିଥିଲେ।