ନୂଆଦିଲ୍ଲୀ: ପ୍ରଭସିମ୍ରନ ସିଂହଙ୍କ ପ୍ରଥମ ଆଇପିଏଲ୍‌ ଶତକ ପରେ ସ୍ପିନରମାନଙ୍କ ଶୃଙ୍ଖଳିତ ବୋଲିଂ ପ୍ରଦର୍ଶନ ବଳରେ ଶନିବାର ରାତିରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍ସ ୩୧ ରନ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ଅରୁଣ ଜେଟ୍‌ଲି ଷ୍ଟାଡିୟମ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ପ୍ରଭସିମ୍ରନଙ୍କ ଶତକ ସହାୟତାରେ ୧୬୭/୭ ସ୍କୋର କରିଥିଲା ବେଳେ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୩୬/୮ ରନ୍‌ରେ ରୋକିଦେଇଥିଲା। ଏହାଫଳରେ ଦିଲ୍ଲୀ ଅଷ୍ଟମ ପରାଜୟ ବରଣ କରିବା ସହ ଚଳିତ ଆଇପିଏଲ୍‌ରେ ପ୍ରଥମ ଦଳ ଭାବେ ପ୍ଲେଅଫ୍‌ ଦୌଡ଼ରୁ ବାଦ୍‌ ପଡ଼ିଛି। ପ୍ରଭସିମ୍ରନଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଦିଆଯାଇଥିଲା।

Advertisment

୧୬୮ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଡେଭିଡ୍‌ ୱାର୍ଣ୍ଣର ଓ ଫିଲ୍‌ ସଲ୍‌ଟ କଡ଼ା ଜବାବ ଦେଇଥିଲେ। ପାୱାରପ୍ଲେରୁ ୬୫ ରନ୍‌ ଉଠାଇ ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। କିନ୍ତୁ ସଲ୍‌ଟଙ୍କୁ ହରପ୍ରୀତ୍‌ ବ୍ରାର୍‌ ବୋଲ୍ଡ କରି ଯୋଡ଼ି ଭାଙ୍ଗିବା ସହ ମ୍ୟାଚ୍‌କୁ ପଞ୍ଜାବ ପଟକୁ ଢଳାଇଥିଲେ। ଏହାପରଠୁ ନିୟମିତ ବ୍ୟବଧାନରେ ଦିଲ୍ଲୀ ୱିକେଟ୍‌ ହରାଇଥିଲା। ଅ‌ଷ୍ଟମ ଓଭରରେ ମିଚେଲ୍‌ ମାର୍ଶଙ୍କୁ ରାହୁଲ ଚହର ଆଉଟ୍‌ କରିବା ପରେ ନବମ ଓଭରରେ ହରପ୍ରୀତ୍‌ ଯୁଗଳ ସଫଳତା ପାଇଥିଲେ। ପ୍ରଥମ ବଲ୍‌ରେ ରିଲି ରୁସୋ ଓ ଶେଷ ବଲ୍‌ରେ ଅର୍ଦ୍ଧଶତକ ଅର୍ଜନ କରିଥିବା ୱାର୍ଣ୍ଣରଙ୍କୁ ସେ ପାଭିଲିଅନ୍‌ ଫେରାଇଥିଲେ। ପରବର୍ତ୍ତୀ ଓଭରର ପ୍ରଥମ ବଲ୍‌ରେ ଭଲ ଲୟରେ ଥିବା ଅକ୍ଷର ପଟେଲ୍‌ଙ୍କୁ ଚହର ଦ୍ବିତୀୟ ଶିକାର କରିଥିଲେ। ନିମ୍ନକ୍ରମରୁ ଆଉ ବଡ଼ ରନ୍‌ ନବାହାରିବାରୁ ‌ଶେଷରେ ଦିଲ୍ଲୀକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ହରପ୍ରୀତ୍‌ ୩୦ ରନ୍‌ ବିନିମୟରେ ୪ ୱିକେଟ୍‌ ଓ ଚହର ପୂର୍ଣ୍ଣ କୋଟାରୁ ମାତ୍ର ୧୬ ରନ୍‌ ବ୍ୟୟ କରି ୨ ୱିକେଟ୍‌ ଅକ୍ତିଆର କରିଥିଲେ।

ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ଟସ୍‌ ଜିତି କ୍ଷେତ୍ରରକ୍ଷଣ କରିଥିଲା ବେଳେ ବୋଲରମାନେ ମ୍ୟାଚ୍‌ ଉପରେ ନିୟନ୍ତ୍ରଣ ରଖିଥିଲେ। ପାୱାରପ୍ଲେ ଭିତରେ ଶିଖର ଧାୱନ, ଲିଆମ୍‌ ଲିଭିଙ୍ଗଷ୍ଟୋନ୍‌ ଓ ଜିତେଶ ଶର୍ମାଙ୍କୁ ପଞ୍ଜାବ ହରାଇଥିଲା। କିନ୍ତୁ ଲଗାତାର ବିଫଳ ହେଉଥିବା ପ୍ରଭସିମ୍ରନ ସିଂହ ଏକାକି ଗୋଟିଏ ପଟରୁ ପାଳି ସମ୍ଭାଳିଥିଲେ। ସେ ସାମ୍‌ କରନ୍‌ଙ୍କ ସହ ଚତୁର୍ଥ ୱିକେଟ୍‌ରେ ୭୨ ରନ୍‌ ଯୋଡ଼ିଥିଲେ। ହେଲେ କରନ୍‌ଙ୍କୁ ପ୍ରବୀଣ ଦୁବେ ଆଉଟ୍‌ କରି ଯୋଡ଼ି ଭାଙ୍ଗିଥିଲେ। ତଥାପି ଚୌକା, ଛକାର ବର୍ଷା କରି ପ୍ରଭସିମ୍ରନ ୬୧ ବଲ୍‌ରୁ ପ୍ରଥମ ଶତକ ଅର୍ଜନ କରିଥିଲେ। ତାଙ୍କର ଏହି ସ୍ମରଣୀୟ ପାଳିରେ ୧୦ ଚୌକା ଓ ୬ ଛକା ସାମିଲ ଥିଲା। ପଞ୍ଜାବ ପାଳିରେ ‌କେବଳ ପ୍ରଭସିମ୍ରନ, କରନ୍‌ ଓ ସିକନ୍ଦର ରାଜା (୧୧*) ଙ୍କୁ ଛାଡ଼ିଦେଲେ ଚତୁର୍ଥ ଦୁଇ ଅଙ୍କ ରନ୍‌ ଅତରିକ୍ତ (୧୩)ରୁ ଆସିଥିଲା। ଦିଲ୍ଲୀ ପାଇଁ ଈଶାନ୍ତ ଶର୍ମା ୨, ଅକ୍ଷର ପଟେଲ, ପ୍ରବୀଣ ଦୁବେ, କୁଲଦୀପ ଯାଦବ, ମୁକେଶ କୁମାର ୧ ୱିକେଟ୍‌ ଲେଖାଏଁ ନେଇଥିଲେ।