ଆଇପିଏଲରେ ପଶିଲା କରୋନା, ଦିଲ୍ଲୀର ଫିଜିଓ କରୋନା ପଜିଟିଭ ଚିହ୍ନଟ

ମୁମ୍ବାଇ : ବିସିସିଆଇ ପକ୍ଷରୁ ବ୍ୟାପକ ସତର୍କତା ସତ୍ତ୍ବେ ଆଇପିଏଲରେ କରୋନା ଭୁତାଣୁ ଅନୁପ୍ରବେଶ କରିବାରେ ସଫଳ ହୋଇଛି । ଦିଲ୍ଲୀ କ୍ୟାପିଟାଲ୍ସର ଫିଜିଓ ପାଟ୍ରିକ ଫରହାର୍ଡ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଦିଲ୍ଲୀ ଦଳର ଏକ ମେଡିକାଲ ଟିମ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି ବୋଲି ଆଇପିଏଲ ପକ୍ଷରୁ ସୂଚନା ଦିଆଯାଇଛି ।
ଚଳିତ ବର୍ଷର ଆଇପିଏଲରେ ଏହା ପ୍ରଥମ କରୋନା ସଂକ୍ରମଣ ବୋଲି କୁହାଯାଉଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ଖେଳାଳୀ ଓ କର୍ମଚାରୀଙ୍କ ପରୀକ୍ଷା କରାଯାଉଛି । ତେବେ କେତେ ଜଣଙ୍କୁ ଏକାନ୍ତବାସରେ ରଖାଯାଇଛି ସେ ସମ୍ପର୍କରେ ଆଇପିଏଲ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।

ଗତବର୍ଷ କରୋନା ସଂକ୍ରମଣ କାରଣରୁ ଆଇପିଏଲକୁ ଅଧାରୁ ସ୍ଥଗିତ ରଖିବାକୁ ପଡିଥିଲା । କେତେକ ଖେଳାଳୀ ଓ କର୍ମଚାରୀ ସଂକ୍ରମିତ ହେବା ପରେ ଆଇପିଏଲକୁ ସ୍ଥଗିତ ରଖାଯାଇଥିଲା । ପରେ ଅବଶିଷ୍ଟ ଆଇପିଏଲ ମ୍ୟାଚଗୁଡିକୁ ୟୁଏଇରେ ଆୟୋଜନ କରାଯାଇଥିଲା ।
ଅନ୍ୟପକ୍ଷରେ ଚଳିତ ବର୍ଷର ଆଇପିଏଲରେ ନୈରାଶ୍ୟଜନକ ପ୍ରଦର୍ଶନ କରିଚାଲିଥିବା ଚେନ୍ନାଇ ଦଳକୁ ଏକ ଶକ୍ତ ଧକ୍କା ଲାଗିଛି । ଦଳର ଦ୍ରୁତ ବୋଲର ଦିପକ ଚହର ଚଳିତ ବର୍ଷର ଆଇପିଏଲରୁ ବାଦ ପଡିଛନ୍ତି । ପିଠି ଯନ୍ତ୍ରଣା କାରଣରୁ ସେ ଦଳରୁ ବାଦ ପଡିଥିବା ସିଏସକେ ପକ୍ଷରୁ କୁହାଯାଇଛି । ଗତ ବର୍ଷ ଚେନ୍ନାଇ ଚାମ୍ପିଅନ ହେବା ପଛରେ ଦୀପକଙ୍କ ଉଲ୍ଲେଖନୀୟ ଅବଦାନ ଥିଲା । ଗତଥର ସେ ୧୪ଟି ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର