ନୂଆଦିଲ୍ଲୀ: ଦୁଇ ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂ ଧୋନି ଏବଂ ବିରାଟ କୋହଲିଙ୍କ ଝିଅମାନଙ୍କ ବିରୋଧରେ ସୋସିଆଲ ମିଡିଆରେ ଅଶ୍ଳୀଳ ମନ୍ତବ୍ୟ ପୋଷ୍ଟ କରିଥିବା ଅଭିଯୋଗରେ ଦିଲ୍ଲୀ ପୁଲିସ ସୋମବାର ୬ଜଣ ସୋସିଆଲ ମିଡିଆ ଆକାଉଣ୍ଟଧାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି।
ଦିଲ୍ଲୀ ମହିଳା କମିଶନ (ଡିସିଡବ୍ଲ୍ୟୁ) ଅଧ୍ୟକ୍ଷା ସ୍ୱାତୀ ମାଲିଓ୍ଵାଲଙ୍କ ପକ୍ଷରୁ ଏହି ମାମଲାରେ ନୋଟିସ ଜାରି କରାଯିବା ପରେ ପୁଲିସ ଏଫ୍ଆଇଆର ପଞ୍ଜୀକରଣ ସହ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଦୁଇ କ୍ରିକେଟରଙ୍କ ଝିଅମାନଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ଡିସିଡବ୍ଲ୍ୟୁ ଅଧ୍ୟକ୍ଷା ମାଲିଓ୍ଵାଲ ସଂପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦିଲ୍ଲୀ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ।
ଡିସିଡବ୍ଲ୍ୟୁ ଅଧ୍ୟକ୍ଷା ମାଲିଓ୍ଵାଲ କହିଛନ୍ତି, ମୋ ନୋଟିସ ପରେ ବିରାଟ କୋହଲି ଏବଂ ଏମଏସ ଧୋନିଙ୍କ ଝିଅମାନଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେବା ମାମଲାରେ ଦିଲ୍ଲୀ ପୁଲିସ ଏଫଆଇଆର ପଞ୍ଜୀକରଣ କରିଛି। ଖୁବ୍ ଶୀଘ୍ର, ସମସ୍ତ ଅପରାଧୀଙ୍କୁ ଗିରଫ କରାଯାଇ ଜେଲ ପଠାଯିବ।
ଉଲ୍ଲେଖଯୋଗ୍ୟ, କ୍ରିକେଟର କୋହଲି ଏବଂ ଧୋନିଙ୍କ ଝିଅ ଏବଂ ପତ୍ନୀଙ୍କ ବିରୋଧରେ ଆଶାଳୀନ ଏବଂ ଲିଙ୍ଗବାଦୀ ମନ୍ତବ୍ୟ ଟ୍ଵିିଟ୍ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଏଫଆଇଆର ପାଇଁ ଡିସିଡବ୍ଲୁ ମୁଖ୍ୟ ଦିଲ୍ଲୀ ପୁଲିସର ସାଇବର ସେଲକୁ ଏକ ନୋଟିସ ଜାରି କରିଥିଲେ।