ନୂଆଦିଲ୍ଲୀ : ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯ୍ୟାତନା ଦେଇଥିବା ଅଭିଯୋଗରେ ଅଭିଯୁକ୍ତ ଭାରତୀୟ କୁସ୍ତି ସଂଘ (ଡବଲ୍ୟୁଏଫ୍ଆଇ) ସଭାପତି ତଥା ସାଂସଦ ବ୍ରିଜଭୂଷଣ ଶରଣ ସିଂହଙ୍କ ବୟାନକୁ ଶୁକ୍ରବାର ଦିଲ୍ଲୀ ପୁଲିସ୍ ରେକର୍ଡ କରିଛି। ଡବଲ୍ୟୁଏଫ୍ଆଇ ସହକାରୀ ସମ୍ପାଦକ ବିନୋଦ ତୋମାରଙ୍କ ବୟାନ ମଧ୍ୟ ରେକର୍ଡ କରିଛି ଦିଲ୍ଲୀ ପୁଲିସ୍। ଗତ ମାସରେ ଦିଲ୍ଲୀ ପୁଲିସ୍ ବ୍ରିଜଭୂଷଣଙ୍କ ନାମରେ ଦୁଇଟି ଏଫ୍ଆଇଆର୍ ଦାଏର କରିଥିଲା। ପ୍ରଥମ ମାମଲାରେ ସେ ଜଣେ ନାବାଳିକାକୁ ଏବଂ ଦ୍ବିତୀୟଟିରେ ୩ ଜଣ ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ କରାଯାଇଥିଲା। ତଦନ୍ତରେ ସହଯୋଗ କରିବାକୁ ବ୍ରିଜଭୂଷଣଙ୍କୁ ନୋଟିସ୍ ଦିଆଯାଇଥିଲା।
ଶୁକ୍ରବାର ପ୍ରାୟ ୩ ଘଣ୍ଟାଧରି ଦିଲ୍ଲୀ ପୁଲିସ୍ ବ୍ରିଜଭୂଷଣଙ୍କୁ ଜେରା କରିଥିବା ବେଳେ ତାଙ୍କ ବୟାନ ରେକର୍ଡ କରାଯାଇଥିଲା। ବ୍ରିଜଭୂଷଣଙ୍କୁ ପୂର୍ବରୁ ସିଟ୍ (ସ୍ପେଶାଲ୍ ଇନଭେଷ୍ଟିଗେସନ୍ ଟିମ୍) ମଧ୍ୟ ଜେରା କରିଛି। ଉଭୟ ତଦନ୍ତ ବେଳେ ବ୍ରିଜଭୂଷଣ ଦୃଢ଼ ଭାବେ ଅଭିଯୋଗକୁ ଖଣ୍ଡନ କରିଆସିଛନ୍ତି। ଏପରିକି ଅଭିଯୋଗର ସତ୍ୟତା ପ୍ରମାଣ ପାଇଁ ଡକ୍ୟୁମେଣ୍ଟ ପ୍ରଦାନ କରାଯାଉ ବୋଲି ବ୍ରିଜଭୂଷଣ ଦାବି କରିଛନ୍ତି। ପୁଲିସ୍ କହିଛି ଆବଶ୍ୟକ ପଡ଼ିଲେ ବ୍ରିଜଭୂଷଣଙ୍କୁ ପୁଣି ଜେରା କରାଯିବ। ଏହି ପ୍ରସଙ୍ଗରେ ମୋଟ ୩୦ ଜଣଙ୍କ ବୟାନ ରେକର୍ଡ କରାଯିବ।
ଇତିମଧ୍ୟରେ କ୍ରୀଡ଼ା ମନ୍ତ୍ରଣାଳୟ ଗଠନ କରିଥିବା ଓଭରସାଇଟ୍ କମିଟିର ତଦନ୍ତ ରିପୋର୍ଟ ହସ୍ତଗତ ହୋଇଛି ବୋଲି ଦିଲ୍ଲୀ ପୁଲିସ୍ କହିଛି। ତଦନ୍ତର ଅଂଶବିଶେଷ ଭାବେ ଦିଲ୍ଲୀ ପୁଲିସ୍ ମଧ୍ୟ ଏହାର ଦଳକୁ ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, କର୍ଣ୍ଣାଟକ ଓ ହରିୟାଣା ପଠାଇଛି। ବ୍ରିଜଭୂଷଣଙ୍କ ପୂର୍ବରୁ ଅଭିଯୋଗ ଆଣିଥିବା ନାବାଳିକାର ବୟାନକୁ ମଧ୍ୟ ଗୁରୁବାର ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ରେକର୍ଡ କରାଯାଇଥିଲା। ଖୁବ୍ ଶୀଘ୍ର ଅନ୍ୟ ସମସ୍ତ ୬ ଅଭିଯୋଗକାରିଣୀ କୁସ୍ତିଯୋଦ୍ଧାଙ୍କ ବୟାନ ମଧ୍ୟ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ରେକର୍ଡ କରାଯିବ ବୋଲି ପୁଲିସ୍ କହିଛି। ଅନ୍ୟପକ୍ଷରେ ଯନ୍ତର ମନ୍ତରରେ ଚାଲିଥିବା କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ବିଂଶତମ ଦିବସରେ ପହଞ୍ଚିଛି।