ବିଶାଖପାଟଣା: ଚଳିତ ଆଇପିଏଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ରୋମାଞ୍ଚକ ଭାବେ ଲ‌କ୍ଷ୍ନୌ ସୁପର ଜାଏଣ୍ଟ୍‌ସକୁ ୧ ୱିକେଟ୍‌ରେ ପରାସ୍ତ କରିଛି। ସୋମବାର ମୁକାବିଲାରେ ଋଷଭ ପନ୍ତଙ୍କ ନେତୃତ୍ବାଧୀନ ଲକ୍ଷ୍ନୌକୁ ତାଙ୍କ ପୂର୍ବ ଦଳ ଦିଲ୍ଲୀ କ୍ୟାପିଟାଲ୍ସ ହରାଇ ଦେଇଛି। ୨୧୦ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ୩ ବଲ୍ ପୂର୍ବରୁ ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା। ପଶ୍ଚାତ୍‌ଧାବନ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ମଧ୍ୟ ଦିଲ୍ଲୀ ଅସମ୍ଭବକୁ ସମ୍ଭବ କରି ଦେଇଛି। ଆରମ୍ଭରୁ ୩/୭ ସ୍ଥିତି ବେଳେ ଫାଫ୍‌ ଡୁ’ପ୍ଲେସିସ୍‌ (୨୯ ରନ୍‌) ଓ ଅଧିନାୟକ ଅକ୍ଷର ପଟେଲ (୨୨ ରନ୍‌) ଚତୁର୍ଥ ୱିକେଟ୍‌ରେ ୪୩ ରନ୍‌ ଯୋଡ଼ି ପାଳି ସମ୍ଭାଳିଥିଲେ। ଏହି ଦୁଇଜଣ ଆଉଟ୍‌ ହୋଇଯିବାରୁ ଦିଲ୍ଲୀ ୬୫/୫ରେ ବି ସଂଘର୍ଷ କରିଥିଲା। ତ୍ରିଷ୍ଟନ ଷ୍ଟବ୍ସ (୨୨ ବଲ୍‌ରୁ ୩୪ ରନ୍‌), ବିପରାଜ ନିଗମ (୧୫ ବଲ୍‌ରୁ ୩୯ ରନ୍) ଭଲ ଖେଳିବାରୁ ଦଳ ଲଢ଼ିଥିଲା। ଶେଷ ଓଭରରୁ ୬ ରନ୍ ଆବଶ୍ୟକ ଥିବାବେଳେ ସାହାବାଜ ଅହମ୍ମଦଙ୍କ ତୃତୀୟ ବଲ୍‌କୁ ଛକା ମାରି ଇମ୍ପାକ୍ଟ ପ୍ଲେୟାର ଆଶୁ‌ତୋଷ (୩୧ ବଲ୍‌ରୁ ୬୬ ରନ୍, ୫ ଚୌକା, ୫ ଛକା) ଏ ଋତୁର ସବୁଠାରୁ ଉତ୍କଣ୍ଠାପୂର୍ଣ୍ଣ ବିଜୟ ଆଣି ଦେଇଥିଲେ।

Advertisment

ପୂର୍ବରୁ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୌ ଦଳ ପାୱାର ପ୍ଲେ ଭିତରେ ଗୋଟିଏ ୱିକେଟ୍‌ ହରାଇ ୬୪ ରନ୍‌ କରି ଭଲ ଆରମ୍ଭ କରିଥିଲା। ମିଚେଲ ମାର୍ସ (୭୨, ୩୬ ବଲ୍‌, ୬ ଚୌକା, ୬ ଛକା) ଓ ନିକୋଲାସ ପୂରନ (୭୫, ୩୦ ବଲ୍‌, ୬ ଚୌକା, ୭ ଛକା) ବିସ୍ଫୋରକ ପାଳି ଖେଳିଥିଲେ। ଏଥିସହ ଉଭୟ ଦ୍ବିତୀୟ ୱିକେଟ୍‌ରେ ୮୭ ରନ୍‌ ଯୋଡ଼ି ଦଳକୁ ବଡ଼ ସ୍କୋର୍‌ ଦିଗରେ ନେଇଥିଲେ। ତେବେ ମଧ୍ୟକ୍ରମରେ ଦଳ ଏହି ରନ୍‌ ହାରକୁ ବଜାୟ ରଖିପାରି ନଥିଲା। ଏମାନଙ୍କ ବାଦ୍‌ ଡେଭିଡ୍‌ ମିଲର (୨୭, ୧୯ ବଲ୍‌, ୧ ଚୌକା, ୨ ଛକା) ଉପଯୋଗୀ ପାଳି ଖେଳିବାରୁ ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍‌ସ ୨୦୦ ଅତିକ୍ରମ କରିଥିଲା। ମିଲର୍ ଶେଷ ଦ‌ୁଇ ବଲ୍‌କୁ ଛକା ମାରି ଦଳକୁ ୨୦୯ରେ ପହଞ୍ଚାଇଥିଲେ।

ସଂକ୍ଷିପ୍ତ ସ୍କୋର୍‌: ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ୨୦ ଓଭରରେ ୨୦୯/୮ (ମିଚେଲ ମାର୍ସ ୭୨, ନିକୋଲାସ ପୂରନ ୭୫, ଡେଭିଡ୍‌ ମିଲର ୨୭, ମିଚେଲ ଷ୍ଟାର୍କ ୩/୪୨, କୁଲଦୀପ ୟାଦବ ୨/୨୦, ମୁକେଶ କୁମାର ୧/୨୨, ବିପରାଜ ନିଗମ ୧/୩୫)। ଦିଲ୍ଲୀ କ୍ୟାପିଟାଲ୍ସ ୧୯.୩ ଓଭରରେ ୨୧୧/୯ (ଆଶୁତୋଷ ଶର୍ମା-୬୬*, ବିପରାଜ ନିଗମ-୩୯, ତ୍ରିଷ୍ଟାନ୍ ଷ୍ଟବ୍ସ-୩୪, ଫାଫ୍‌ ଡୁ’ପ୍ଲେସିସ୍‌ ୨୯, ଅକ୍ଷର ପଟେଲ ୨୨, ଶାର୍ଦୁଳ ଠାକୁର ୨/୧୯, ମଣିମାରନ ସିଦ୍ଧାର୍ଥ-୨/୩୯, ଦିବେଶ ରାଠି-୨/୩୧, ରବି ବିଷ୍ଣୋଇ-୨/୫୩)।