ହାଇଦ୍ରାବାଦକୁ ହରାଇ ଶୀର୍ଷରେ ଦିଲ୍ଲୀ

ଦୁବାଇ: ସହଜ ବିଜୟରୁ ଦିଲ୍ଲୀ କ୍ୟାପିଟାଲ୍ସ ଆଇପିଏଲ୍-୨୦୨୧ର ଦ୍ବିତୀୟ ଚରଣ ଆରମ୍ଭ କରିଛି। ବୁଧବାର ୮ ୱିକେଟ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ପୁଣି ଥ‌ରେ ପଏଣ୍ଟ୍‌ ତାଲିକାର ପ୍ରଥମ ସ୍ଥାନକୁ ଫେରିଛି। ଆଜି ନବମ ମ୍ୟାଚ୍‌ରୁ ସପ୍ତମ ବିଜୟ ହାସଲ କରିଥିବା ଦିଲ୍ଲୀ ୧୪ ପଏଣ୍ଟ୍‌ ସହ ପ୍ଲେ ଅଫ୍‌ର ନିକଟତର ବି ହୋଇଛି। ଅନ୍ୟପକ୍ଷରେ ସନରାଇଜର୍ସ ହାଇଦ୍ରାବାଦ ତାର ପରାଜୟ ଧାରାକୁ ରୋକିନପାରି ଅଷ୍ଟମ ମୁକାବିଲାରୁ ସପ୍ତମ ପରାଜୟ ବରଣ କରିଛି। ତା ସହିତ ଏହି ଦଳ ପଏଣ୍ଟ୍‌ ତାଲିକାର ସବାଶେଷ ସ୍ଥାନରେ ପୂର୍ବଭଳି ଅପରିବର୍ତ୍ତିତ ରହିଛି।

ମଙ୍ଗଳବାରର ଏହି ଏକତରଫା ମୁକାବିଲାରେ ଦିଲ୍ଲୀ ବୋଲରଙ୍କ ତୋଫାନି ବୋଲିଂର ସମ୍ମୁଖୀନ ହୋଇ ନପାରି ସନରାଇଜର୍ସ ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ମାତ୍ର ୧୩୪ ରନ୍ କରିଥିଲା। ଶକ୍ତିଶାଳୀ ବ୍ୟାଟିଂକ୍ରମ ରଖିଥିବା ଦିଲ୍ଲୀ ପାଇଁ ୧୩୫ ରନ୍‌ର ଲକ୍ଷ୍ୟକୁ ହାସଲ କରିବା ଆଦୌ କଷ୍ଟକର ହୋଇ ନଥିଲା। ପୃଥ୍ବୀ ସ’ (୧୧) ଅବଶ୍ୟ ସଅଳ ନିଜ ୱିକେଟ୍ ଫିଙ୍ଗି ଦେଇଥିଲେ। ତେବେ ଶିଖର ଧାୱନ (୪୨) ତାଙ୍କ ସ୍ବାଭାବିକ ଖେଳ ଖେଳି ୪୨ ରନ୍‌ର ମହତ୍ବପୂର୍ଣ୍ଣ ପାଳି ଖେଳିଥିଲେ। ଏହା ପରେ ଅଧିନାୟକ ଋଷଭ ପନ୍ତ (୩୫*) ଓ ପୂର୍ବତନ ଅଧିନାୟକ ଶ୍ରେୟସ୍ ଆୟର (୪୭*) ଅବିଭାଜିତ ତୃତୀୟ ୱିକେଟ୍‌ରେ ୬୭ ରନ୍ ଯୋଡ଼ି ୧୩ ବଲ୍ ପୂର୍ବରୁ ଦିଲ୍ଲୀ ବିଜୟୀ କରାଇଥିଲେ। ଜାସନ ହୋଲ୍ଡରଙ୍କୁ ଲଙ୍ଗ ଅନ୍ ଉପରେ ଛକା ମାରି ଆୟର ଦିଲ୍ଲୀ ବିଜୟରେ ମୁଣ୍ଡି ମାରିଥିଲେ। ୧୭.୫ ଓଭରରେ ମାତ୍ର ୨ ୱିକେଟ୍ ହରାଇ ଏହି ଦଳ ୧୩୯ ରନ୍ କରି ନେଇଥିଲା। ଅନ୍ୟପକ୍ଷରେ ଚଳିତ ଆଇପିଏଲ୍‌ର ସର୍ବାଧିକ ରନ୍ ସ୍କୋରର ଭାବେ ଧାୱନ ନାରଙ୍ଗୀ ଟୋପିର ହକଦାର ହୋଇଥିଲେ। ତେବେ ଦମ୍‌ଦାର ବୋଲିଂ କରିଥିବା ଅନ୍‌ରିକ୍‌ ନର୍ଖିୟା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସନ୍‌ରାଇଜର୍ସକୁ ଘାଇଲା କଲେ ନର୍ଖିୟା-ରବାଦା
ପୂର୍ବରୁ ଚଳିତ ଆଇପିଏଲ୍‌ର ୩୩ତମ ତଥା ୟୁଏଇ ଚରଣର ଚତୁର୍ଥ ମ୍ୟାଚ୍‌ରେ କେନ୍‌ ୱିଲିୟମ୍‌ସନ୍‌ଙ୍କ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ୧୩୪ ରନ୍‌ରେ ରୋକି ଦେଇଥିଲା ଋଷଭ ପନ୍ତ୍‌ଙ୍କ ଦିଲ୍ଲୀ କ୍ୟାପିଟାଲ୍ସ। ଟସ୍‌ ଜିତି ବ୍ୟାଟିଂ କରିଥିବା ହାଇଦ୍ରାବାଦ୍‌ ମ୍ୟାଚ୍‌ର ତୃତୀୟ ବଲ୍‌ରେ ଅଷ୍ଟ୍ରେଲୀୟ ତାରକା ଡେଭିଡ୍‌ ୱାର୍ଣ୍ଣର (୦)ଙ୍କୁ ହରାଇଥିଲା। ୱିକେଟ୍‌ରକ୍ଷକ ରିଦ୍ଧିମାନ ସାହା (୧୮) ଓ ଅଧିନାୟକ କେନ୍‌ ୱିଲିୟମସନ୍‌ ପାଳି ସମ୍ଭାଳିଥିଲେ। ହେଲେ ଦଳୀୟ ସ୍କୋର୍‌ ୨୯ରେ ରିଦ୍ଧିମାନ ପ୍ୟାଭିଲିୟନ ଫେରିଥିଲେ। ୱିଲିୟମସନ୍‌ (୧୮)ଙ୍କ ସହ ମନୀଷ ପାଣ୍ଡେ (୧୭) ଯୋଡ଼ି ୮.୨ ଓଭରରେ ସ୍କୋର୍‌ ୫୦ରେ ପହଞ୍ଚାଇଥିଲେ। ଏମାନଙ୍କ ୩୧ ରନ୍‌ ହିଁ ହାଇଦ୍ରାବାଦ ପାଳିର ସର୍ବୋଚ୍ଚ ଭାଗୀଦାରି ଥିଲା। ଏହାପରେ ଅବଦୁଲ ସାମଦ (୨୮) ଏବଂ ରସିଦ ଖାନ୍‌ (୨୨) ଦଳୀୟ ସ୍କୋର୍‌କୁ ୧୫୦ ପାଖାପାଖି ପହଞ୍ଚାଇବାର ଆଶା ଦେଇଥିଲେ। ହେଲେ ଶେଷ ଓଭରରେ ଦୁଇଟି ରନ୍‌ ଆଉଟ୍‌ ଯୋଗୁଁ ବଡ଼ ସ୍କୋର୍‌ କରିବାରେ ହାଇଦ୍ରାବାଦ ବିଫଳ ହୋଇଥିଲା। ଅନରିକ୍‌ ନର୍ଖିଆ (୪-୦-୧୨-୨) ଚମତ୍କାର ବୋଲିଂ ଚିତ୍ର ପାଇଥିଲା ବେଳେ କାଗିସୋ ରବାଦା ସର୍ବାଧିକ ୩ ଏବଂ ଅକ୍ଷର ପଟେଲ ୨ ୱିକେଟ୍‌ ଅକ୍ତିଆର କରିଥିଲେ।

ସମ୍ବନ୍ଧିତ ଖବର